ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଅକ୍ଟୋବର ୨୧ରେ ବିଜେପୁର ଭୋଟ। ତିନି ଦଳରେ ଟିକେଟକୁ ନେଇ କସରତ୍‌ ଚାଲିଥିବା ବେଳେ ବିଜେଡି ଟିକେଟରେ କେଁ ପଶିଛି। ଏହି କେଁ ପୂରାଇଛନ୍ତି ବରଗଡ଼ର ପୂର୍ବତନ ସାଂସଦ ପ୍ରଭାସ ସିଂହ। ‘ମୁଁ ବି ଟିକେଟ ଆଶାୟୀ’ ଥିବା କହି ପ୍ରଭାସ ରାଜନୀତିକୁ ସରଗରମ କରିଛନ୍ତି।

‘‘ମୁଁ ବରଗଡ଼ର ପୂର୍ବତନ ସାଂସଦ ଥିଲି। ୨୦୧୯ରେ ମତେ ଟିକେଟ ମିଳିଲାନି। ମୁଁ କେବେ ପ୍ରତିବାଦ କରିନି। ଦଳ ଯାହା ଆଦେଶ ଦେଇଥିଲା ତାହା ମୁଁ ପାଳନ କରିଛି। ମୁଖ୍ୟମନ୍ତ୍ରୀ ବିଜେପୁରରେ ପ୍ରାର୍ଥୀ ହେଲେ। ମୁଁ ତାଙ୍କ ପାଇଁ ପ୍ରଚାର କରିଛି। ମୁଁ ତ ସକ୍ରିୟ ରାଜନୀତିରେ ଅଛି। ଯଦି ଯୁଯୋଗ ମିଳେ ତାହାଲେ ମୁଁ ବିଜେପୁରବାସୀଙ୍କ ସେବା କରିବା ପାଇଁ ପ୍ରସ୍ତୁତ ଅଛି’’, କହିଛନ୍ତି ପ୍ରଭାସ ସିଂହ।

ବିଜେପୁର ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ଅକ୍ଟୋବର-୨୧ରେ ହେବ ଭୋଟ। ହେଲେ କେଉଁ ଦଳରୁ କିଏ ପ୍ରାର୍ଥୀ ହେବ ସେନେଇ କିଛି ଚୂଡ଼ାନ୍ତ ହୋଇପାରିନି।

ବିଜେଡି ଟିକେଟ ପାଇଁ ସୁବାସ ଚୌହାନ ଏବଂ ରୀତା ସାହୁଙ୍କ ନାଁ ଚର୍ଚ୍ଚା ହେଉଥିଲା। ସୁବାସଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯିବା ପରେ ରୀତାଙ୍କ ପାଇଁ ରାସ୍ତା ପରିଷ୍କାର ଥିବା କୁହାଗଲା। ରୀତା ବି ଟିକେଟ ଆଶାରେ ବିଜେପୁରରେ ନିଜର କ୍ୟାମ୍ପେନିଂ ଆରମ୍ଭ କରି ଦେଇଛନ୍ତି।

ଟିକେଟକୁ ନେଇ ବିଜେଡି ଶିବିରରେ ମାନସ ମନ୍ଥନ ଚାଲିଥିବା ବେଳେ ପ୍ରଭାସ ସିଂହ ମୁହଁ ଖୋଲି ଅଡୁଆ ବଢ଼ାଇଛନ୍ତି।

‘‘ବରଗଡ଼ର ୭ଟି ଯାକ ବିଧାନସଭା ଏବଂ ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ଜିତନ୍ତୁ ବୋଲି ମୁଁ ଚାହୁଁଥିଲି। ଏନେଇ ପ୍ରଚାର ମଧ୍ୟ କରିଥିଲି। ହେଲେ କେବେ ଟିକେଟ ଦାବି କରି ନଥିଲି। ମୋର ତ ଆଶା ଅଛି ନିର୍ବାଚନ ଲଢ଼ିବାକୁ। ହେଲେ ଦଳ କ’ଣ ନିଷ୍ପତ୍ତି ନେଉଛି ତାକୁ ହିଁ ଅପେକ୍ଷା’’, କହିଛନ୍ତି ପ୍ରଭାସ ସିଂହ।

୨୦୧୪ରେ ପ୍ରଭାସ ବିଜେଡି ଟିକେଟରେ ବରଗଡ଼ ଲୋକସଭା ଆସନରୁ ବିଜୟୀ ହୋଇଥିଲେ। କିନ୍ତୁ ୨୦୧୯ ନିର୍ବାଚନରେ ପ୍ରଭାସଙ୍କୁ ଟିକେଟ ମିଳି ନଥିଲା। ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଜେଡି ବରଗଡ଼ରେ ପ୍ରାର୍ଥୀ କରିଥିଲା।

Comment