ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ବାୟୁସେନାର ସ୍ୱତନ୍ତ୍ର ବିମାନ ରାଜକମଲ ଯୋଗେ ସେ ଭୁବନେଶ୍ୱରେ ପହଞ୍ଚିଛନ୍ତି। ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବାପାଇଁ ବିମାନ ବନ୍ଦରରେ ରାଜ୍ୟପାଳ ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀଙ୍କ ସହ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଓ ପୋଲିସ୍ ଡିଜି ଉପସ୍ଥିତ ରହିଥିଲେ।

ଧାର୍ଯ୍ୟ ସମୟ ଅନୁସାରେ ଦିନ ୨ଟା ୩୦ ମିନିଟ ସମୟରେ ତାଙ୍କ ବିମାନ ଆସି ଭୁବନେଶ୍ୱରରେ ପହଞ୍ଚିଥିଲା। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ପତ୍ନୀ ସବିତା କୋବିନ୍ଦ ସହ ଭୁବନେଶ୍ଵର ବିମାନ ବନ୍ଦରରେ ଓହ୍ଲାଇଥିଲେ। ରାଷ୍ଟ୍ରପତିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଦୁଇ କେନ୍ଦ୍ରମନ୍ତ୍ରୀ ଉତ୍ତରୀୟ ଦେଇ ସ୍ୱାଗତ କରିଛନ୍ତି।

ବର୍ତ୍ତମାନ ରାଷ୍ଟ୍ରପତି ଭୁବନେଶ୍ୱରରୁ ବାହାରି ବ୍ରହ୍ମପୁରର ଗୋଳାବନ୍ଧ ଆର୍ମି ଏୟାର ଡିଫେନ୍ସ କଲେଜକୁ ଯିବେ। ସେଠାରେ ସେ ରାତ୍ରିଯାପନ କରି ଶନିବାର ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଆଖିଆଗରେ ରଖି କମିଶନରେଟ ପୋଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା।

Comment