ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେପୁର ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି। ରୀତା ସାହୁଙ୍କୁ ପୁଣି ଥରେ ବିଜେଡି ପ୍ରାର୍ଥୀ କରିଛି। ୩୦ରେ ପ୍ରାର୍ଥିପତ୍ର ଦାଖଲ କରିବେ ରୀତା। କିଛି ଦିନ ତଳେ ବିଜେପୁର ପାଇଁ କଂଗ୍ରେସ ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କରିଥିଲା।

୨୦୧୯ ନିର୍ବାଚନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ହିଞ୍ଜିଳି ଏବଂ ବିଜେପୁରରୁ ପ୍ରାର୍ଥୀ ହୋଇଥିଲେ। ଏହାସହ ନିର୍ବାଚନରେ ଦୁଇଟି ଆସନରୁ ବିଜୟୀ ମଧ୍ୟ ହୋଇଥିଲେ। ପରେ ହିଞ୍ଜିଳି ଆସନକୁ ରଖି ବିଜେପୁର ଆସନରୁ ଇସ୍ତଫା ଦେଇଥିଲେ ନବୀନ। ଏହାପରେ ବିଜେପୁର ଆସନରେ ଉପ-ନିର୍ବାଚନ ହେବା ନେଇ ସ୍ପଷ୍ଟ ହୋଇଥିଲା।

କିନ୍ତୁ ବିଜେଡି ଏଠାରେ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ପୂର୍ବତନ ବିଧାୟକ ରୀତା ସାହୁ ନା ବିଜେପି ଛାଡ଼ି ବିଜେଡି ଆସିଥିବା ସୁବାସ ଚୌହାନଙ୍କୁ ଦଳ ଟିକେଟ ଦେବ ତାକୁ ନେଇ ଅଙ୍କ କଷା ଚାଲିଥିଲା। ଶେଷରେ ନବୀନ ସୁବାସଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ କରି ସନ୍ତୁଷ୍ଟ କରିଥିଲେ।

ରୀତା ହେଉଛନ୍ତି ବିଜେପୁରର ପୂର୍ବତନ ବିଧାୟକ ସୁବଳ ସାହୁଙ୍କ ସ୍ତ୍ରୀ। ୨୦୧୭ରେ ସୁବଳଙ୍କ ଦେହାନ୍ତ ପରେ ରୀତା ଏବଂ ତାଙ୍କ ପୁଅ ବିଜେଡିକୁ ଆସିଥିଲେ। ରୀତାଙ୍କୁ ବିଜେଡି ୨୦୧୮ ଉପ-ନିର୍ବାଚନରେ ପ୍ରାର୍ଥୀ କରିଥିଲା। ୨୦୧୯ରେ ରୀତାଙ୍କୁ ଟିକେଟ ନଦେଇ ନିଜେ ନବୀନ ପ୍ରାର୍ଥୀ ହୋଇଥିଲେ।

Comment