ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବିଜେପୁର ଉପ-ନିର୍ବାଚନ ପାଇଁ କଂଗ୍ରେସ ଆଗୁଆ ପ୍ରାର୍ଥୀ ଘୋଷଣା କରି ଅନ୍ୟ ଦଳଠୁ ଆଗରେ ବୋଲି ପ୍ରମାଣିତ କରିଛି। ହେଲେ ଏହି ପ୍ରାର୍ଥୀ ଘୋଷଣାକୁ ନେଇ ଦଳରେ କେଁ ଦେଖାଦେଇଛି। ପୂର୍ବତନ ମନ୍ତ୍ରୀ ତଥା ୨୦୧୯ ନିର୍ବାଚନରେ କଂଗ୍ରେସର ପ୍ରାର୍ଥୀ ହୋଇଥିବା ରିପୁନାଥ ସେଠ୍‌ କେଁ ପୂରାଇଛନ୍ତି। ତାଙ୍କୁ ଦଳରେ ପଚରା ଯାଉ ନଥିବା କହି ଋଷିଛନ୍ତି।

‘‘ମତେ ଦଳରେ କେହି ପଚାରୁ ନାହାନ୍ତି। ବିଜେପୁର ନିର୍ବାଚନ ପାଇଁ ସବୁ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି। ହେଲେ ମତେ କିଛି ଦାୟିତ୍ୱ ମିଳିନି। ନିର୍ବାଚନ ପ୍ରଚାରରେ ମୁଁ ସାମିଲ ହେବିନି। ନିର୍ବାଚନ ବେଳେ ମୁଁ ବାହାରକୁ ପଳେଇବି’’, କହିଛନ୍ତି ରିପୁନାଥ।

ଅନ୍ୟ ଦଳରେ ମିଶିବା ନେଇ ପ୍ରଶ୍ନ ହେବାରୁ ସେ କହିଛନ୍ତି, ‘‘ମୁଁ କଂଗ୍ରେସରେ ଅଛି। ଶେଷ ପର୍ଯ୍ୟନ୍ତ ରହିବି। ଅନ୍ୟ ଦଳକୁ ଯିବାର ନାହିଁ।’’

ବିଜେପୁରରେ କଂଗ୍ରେସର କିଏ ପ୍ରାର୍ଥୀ ହେବେ ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା। ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିଥିଲା। କାହାକୁ ପ୍ରାର୍ଥୀ କଲେ ଦଳ ଭଲ ପ୍ରଦର୍ଶନ କରିବ ତାକୁ ନେଇ କମିଟି ଲୋକଙ୍କ ପରାମର୍ଶ ନେଇଥିଲା। ଏହାପରେ ଦଳରେ ଚାଲିଲା ମନ୍ଥନ।

କଂଗ୍ରେସ ଟିକେଟ ପାଇଁ ୧୦ରୁ ୧୫ ଆଶାୟୀ ଫର୍ମ ପକାଇଥିଲେ। ସେମାନଙ୍କ ଭିତରୁ ୫ ଜଣଙ୍କ ତାଲିକା କରିଥିଲା ପିସିସି। ଏହି ତାଲିକାରେ ରିପୁନାଥଙ୍କ ପୁଅ ଅଭିଷେକ ସେଠ୍‌ ଆଗରେ ରହିଥିବା କୁହାଗଲା। ଅଭିଷେକଙ୍କ ପାଇଁ ରିପୁନାଥ ମଧ୍ୟ ଲବି କରିଥିଲେ। ଅଭିଷେକ ଛାତ୍ର କଂଗ୍ରେସର ନେତା ମଧ୍ୟ ଥିଲେ।

ହେଲେ ଦଳ ଅଭିଷେକଙ୍କୁ ପ୍ରାର୍ଥୀ କଲାନି। ବରଗଡ଼ ଜିଲ୍ଲା କଂଗ୍ରେସ କମିଟିର ଉପ-ସଭାପତି ଦିଲ୍ଲୀପ କୁମାର ପଣ୍ଡାଙ୍କୁ ପ୍ରାର୍ଥୀ କରିଥିଲା। ଦିଲ୍ଲୀପଙ୍କୁ ପ୍ରାର୍ଥୀ କରିବାର ଦୁଇ ଦିନ ପରେ ରିପୁନାଥଙ୍କ ଅସନ୍ତୋଷ ସାମ୍ନାକୁ ଆସିଛି।

୨୦୧୮ ଉପ-ନିର୍ବାଚନରେ ମଧ୍ୟ ରିପୁନାଥ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହୋଇଥିଲା। ହେଲେ ପ୍ରଣୟ ସାହୁ ବାଜି ମାରି ନେଇଥିଲେ। ପ୍ରଣୟ ପରେ ବିଜେଡିରେ ଯୋଗ ଦେବାରୁ ରିପୁନାଥଙ୍କୁ ଦଳ ୨୦୧୯ ନିର୍ବାଚନରେ ପ୍ରାର୍ଥୀ କରିଥିଲା।

ଗୋଟିଏ ପଟେ କଂଗ୍ରେସର ଅବସ୍ଥା ଭଲ ନାହିଁ। ଗତ ନିର୍ବାଚନରେ କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ମାନ୍ୟତା ବି ହରାଇଛି। ମାତ୍ର ୯ ବିଧାନସଭା ଆସନରେ ଦଳ ବିଜୟୀ ହୋଇଥିଲା। ଅନ୍ୟପଟେ ଦଳରେ ଟଙ୍କା ଅଭାବ ଥିବାରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବଦାନ୍ୟ ବ୍ୟକ୍ତିଙ୍କଠାରୁ ସହାୟତା ମାଗିଛନ୍ତି। ଏପରିସ୍ଥଳେ ବରିଷ୍ଠ ନେତା ରିପୁନାଥଙ୍କ କ୍ଷୋଭ ଦଳ ପାଇଁ ଆହୁରି ଅଡୁଆ ସୃଷ୍ଟି କରିଥିବା କୁହାଯାଉଛି।

Comment