ଓଡ଼ିଶାଲାଇଭ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଦଲାଲଙ୍କ ସହ ସରକାରୀ କିରାଣୀଙ୍କ ଲିଙ୍କର ପର୍ଦ୍ଦାଫାଶ କଲା ପୋଲିସ। ରାୟଗଡ଼ା ଟାଉନ ଥାନା ପୋଲିସ ଶୁକ୍ରବାର ଆରଟିଓ ଅଫିସରୁ ୮ ଜଣ ଦଲାଲଙ୍କୁ ଗିରଫ କରିଛି। ଦଲାଲଙ୍କୁ ପଚରାଉଚରାରୁ କିରାଣୀଙ୍କ ସହ ଲିଙ୍କ ଥିବା ଜାଣିବାକୁ ପାଇ ଆରଟିଓ ଅଫିସର ଦୁଇଜଣ କିରାଣିଙ୍କୁ ମଧ୍ୟ ଗିରଫ କରିଛି ପୋଲିସ।

ଗିରଫ ଦଲଲମାନେ ହେଲେ ନିଲୁ ମିଶ୍ର, ସୁରେଶ କୁମାର ନାୟକ, ନିରଞ୍ଜନ କୁମାର ରାଜୁ, ବାପି ପ୍ରଧାନ, ପ୍ରକାଶ ଚନ୍ଦ୍ର ସାହୁ, ଜ୍ୟୋତି ପ୍ରକାଶ ଚୌଧୁରୀ, ସୁନୀଲ କୁମାର ସାହୁ ଓ ମହମ୍ମଦ ଅବଦୁଲ ଇସମାଇଲ। ପୁଲିସ ୮ ଜଣ ଦଲାଲଙ୍କୁ ଗିରଫ କରିବା ପରେ ସେମାନଙ୍କୁ ଥାନାରେ ପଚରାଉଚରା କରିଥିଲା।

ପଚରାଉଚରା ବେଳେ ଆରଟିଓ କାର୍ଯ୍ୟାଳୟର କିରାଣୀ ଜିତେନ୍ଦ୍ର ଧର ଓ ଦେବେନ୍ଦ୍ର ମଙ୍ଗରାଜ ଦଲାଲମାନଙ୍କୁ ସହଯୋଗ କରୁଥିବା ଜଣାପଡ଼ିଥିଲା। ଅଭିଯୋଗ ପାଇବା ପରେ ପୋଲିସ ଆଜି ଆରଟିଓ ଅଫିସରେ ଚଢ଼ାଉ କରି ଦୁଇଜଣ କିରାଣୀଙ୍କୁ ଗିରଫ କରିଛି।

ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯଇଛି। ସେମାନଙ୍କ ବିରୋଧରେ କେସ ନମ୍ବର-୩୨୧/୧୯, ଅଣ୍ଡର ସେକ୍ସନ- ୪୧୭, ୪୧୮, ୪୧୯, ୧୨୦ବି, ୩୮୪ ଓ ୩୪ ଆଇପିସି ରେ କେସ ରୁଜୁ କରାଯାଇଥିବା ରାୟଗଡା ଥାନା ଅଧିକାରୀ ନିହାର ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ରାଜ୍ୟର ବିଭିନ୍ନ ଆରଟିଓ କାର୍ଯ୍ୟାଳୟ ଓ ମେଡିକାଲ ପରିସରରୁ ଶତାଧିକ ଦଲାଲ ଗିରଫ ହୋଇଛନ୍ତି। ପୁଲିସ ଏବେ ଦଲାଲଙ୍କୁ ସହଯୋଗ କରୁଥିବା ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଟାର୍ଗେଟ କରୁଛି।

Comment