ଓଡ଼ିଶାଲାଇଭ୍ ବ୍ୟୁରୋ

‘‘ରାଉରକେଲାରେ ଗୋଟିଏ ଅତ୍ୟାଧୁନିକ ଷ୍ଟିଲ୍‌ କ୍ଲଷ୍ଟର ନିର୍ମାଣ କରିବାର ଲକ୍ଷ୍ୟ ରହିଛି। ରାଉରକେଲା ଇସ୍ପାତ କାରଖାନାର ସଂପ୍ରସାରଣ କରିବାକୁ ମଧ୍ୟ ଯୋଜନା କରାଯାଉଛି। ସପ୍ତମ ବେତନ କମିଶନ ଅନୁସାରେ ଶ୍ରମିକମାନଙ୍କର ପାରିଶ୍ରମିକ ବୃଦ୍ଧି କରିବାକୁ ସେଲ୍‌କୁ ପରାମର୍ଶ ଦିଆଯାଇଛି’’, ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ଆଜି ରାଉରକେଲା ଷ୍ଟିଲ ପ୍ଲାଣ୍ଟ ପରିଦର୍ଶନରେ ଯାଇଥିଲେ। ଷ୍ଟିଲ ପ୍ଲାଣ୍ଟ ପରିଦର୍ଶନ ପରେ ସାମ୍ବାଦିକ ସମ୍ମିଳନୀ କରିଥିଲେ।

ଏଥିରେ ଶ୍ରୀ ପ୍ରଧାନ କହିଥିଲେ, ‘‘ଇସ୍ପାତ ଶିଳ୍ପ ପାଇଁ ସାରା ବିଶ୍ୱରେ ଏବେ ଚାଲେଞ୍ଜ ସୃଷ୍ଟି ହୋଇଛି। ଏହା ଭିତରେ ଆର୍‌ଏସ୍‌ପି ଏବଂ ସେଲ୍‌କୁ ପ୍ରାସଙ୍ଗିକ କରି ରଖିବା ସରକାରଙ୍କ ପ୍ରମୁଖ ଦାୟିତ୍ୱ। ସେଲ୍‌ର ଭାୟାବିଲିଟି କିପରି ଅଧିକ ହେବ ସେଥିପାଇଁ ଭାରତ ସରକାର ଗତ ୫ ବର୍ଷରେ ପଦକ୍ଷେପ ନେଇଥିଲେ। ଆଗାମୀ ଦିନ ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ କରାଯାଉଛି।’’

ଭାରତରେ ଷ୍ଟିଲ ଉତ୍ପାଦନର କ୍ଷମତା ଆଜିର ଦିନରେ ୧୪୦ ଥିଲା ବେଳେ ଏହାକୁ ୩୦୦ କରିବାକୁ ଲକ୍ଷ୍ୟ ରହିଛି। ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ଅନେକ ଖଣିକୁ ଭାରତ ସରକାର ନିଲାମ କରିବାକୁ ନିଷ୍ପତ୍ତି ନେଇଛନ୍ତି।

‘‘ରାଉରକେଲା ଷ୍ଟିଲ ପ୍ଲାଣ୍ଟ ପ୍ରାୟ ୪ ଲକ୍ଷ ମେଟ୍ରିକ ଟନ୍‌ ଇସ୍ପାତ ଉତ୍ପାଦନ କରୁଥିବା ବେଳେ ଆଗାମୀ ଦିନରେ ଏହାକୁ ବୃଦ୍ଧି କରିବାର ଲକ୍ଷ୍ୟ ରହିଛି। ଆଗାମୀ ଦେଢ଼ ବର୍ଷ ଭିତରେ ରାଉରକେଲା ଖଣିଜପଦାର୍ଥକୁ କଞ୍ଚାମାଲ ଭାବେ ଉପଯୋଗ କଲେ ରାଉରକେଲାର ଅର୍ଥନୀତି ଦୁଇ ଗୁଣା ହୋଇପାରିବ। ରାଉରକେଲାକୁ ଓଡ଼ିଶାରେ ବଡ଼ ମାନୁଫାକ୍ଚରିଂ ହବ୍‌ କରିବାର ଲକ୍ଷ୍ୟ ରହିଛି’’, କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

Comment