ଓଡ଼ିଶାଲାଇଭ୍ ବ୍ୟୁରୋ

ଜଗତସିଂହପୁର ଜିଲ୍ଲାର ପାରାଦୀପରେ ୩ଟି ନୂଆ ପ୍ରକଳ୍ପର ଶିଳାନ୍ୟାସ ହୋଇଛି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାରାଦୀପ ଗସ୍ତ କରି ଏହିସବୁ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏଠାରେ ଜେଏସଡବ୍ଲ୍ୟ ଗ୍ରୁପର ଉତ୍କଳ ଷ୍ଟିଲ କାରଖାନା, ରିନ୍ୟୁ ଇ-ଫୁଏଲ ଗ୍ରୀନ ଆମୋନିଆ କାରଖାନା ଏବଂ ସିଲକ୍ସ ଇଣ୍ଡିଆର ଅତ୍ୟାଧିୁନିକ ରାସାୟନିକ କାରଖାନା ନିର୍ମାଣ ହେବ।

ଶିଳାନ୍ୟାସ ହୋଇଥିବା ପ୍ରକଳ୍ପ ମଧ୍ୟରେ ଜେଏସଡବ୍ଲ୍ୟ ଗ୍ରୁପର ଉତ୍କଳ ଷ୍ଟିଲ କାରଖାନା ସବୁଠାରୁ ବଡ଼ ପ୍ରକଳ୍ପ ରହିଛି। ଜେଏସଡବ୍ଲ୍ୟ ଗ୍ରୁପ ପକ୍ଷରୁ ପାରାଦୀପ ନିକଟସ୍ଥ ଢିଙ୍କିଆଠାରେ ବିଶ୍ୱର ଅନ୍ୟତମ ବୃହତ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ କରାଯିବ। ଏହାର ବାର୍ଷିକ ଷ୍ଟିଲ ଉତ୍ପାଦନ କ୍ଷମତା ୧୩.୨ ନିୟୁତ ଟନ ରହିବ। ଏହି ପ୍ରକଳ୍ପରେ ୬୫ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ହେଉଥିବାବେଳେ ଏହା ମାଧ୍ୟମରେ ପ୍ରାୟ ୩୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ସେହିପରି ଏଠାରେ ଅନ୍ୟ ପ୍ରକଳ୍ପ ମଧ୍ୟରେ ରିନ୍ୟୁ ଇ-ଫୁଏଲ ପ୍ରାଇଭେଟ ଲିମିଟେଡ ପକ୍ଷରୁ ୧.୨ ନିୟୁତ ଟନ କ୍ଷମତା ବିଶିଷ୍ଟ ଗ୍ରୀନ ଆମୋନିଆ କାରଖାନା ନିର୍ମାଣ କରାଯିବ। ଏଥିରେ ୨୨ ହଜାର କୋଟି ଟଙ୍କା ପୁଞ୍ଜି ନିବେଶ ହେବ। ଏହାସହ ସିଲକ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ପକ୍ଷରୁ ୫୦୦ କୋଟି ଟଙ୍କା ନିବେଶରେ ଅତ୍ୟାଧିୁନିକ ରାସାୟନିକ କାରଖାନା ନିର୍ମାଣ କରାଯିବ। ଉଭୟ ପ୍ରକଳ୍ପରୁ ପ୍ରାୟ ୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

“ବିକାଶ ଆଜି ଓଡ଼ିଶାର ପରିଚୟ ପାଲଟିଛି। ଶିଳ୍ପ, ଭିତ୍ତିଭୂମି, ଶିକ୍ଷା, ସ୍ୱାସ୍ଥ୍ୟ ସବୁ କ୍ଷେତ୍ରରେ ରାଜ୍ୟ ଅଗ୍ରଗତି କରୁଛି। ରାଜ୍ୟର ପ୍ରଗତିରେ ପାରାଦୀପର ବିଶେଷ ଭୂମିକା ରହିଛି। ଏଠାରେ ଜେଏସଡବ୍ଲ୍ୟ ଗ୍ରୁପର ମେଗା ଇସ୍ପାତ କାରଖାନା ସହିତ ଗ୍ରୀନ ଆମୋନିଆ କାରଖାନା ଓ ଅତ୍ୟାଧୁନିକ ରାସାୟନିକ କାରଖାନା ନିର୍ମାଣ ହେବା ରାଜ୍ୟର ବିକାଶ ଯାତ୍ରାକୁ ଆହୁରି ତ୍ୱରାନ୍ୱିତ କରିବ”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କୁ ମନେ ପକାଇବା ସହ ପାରାଦୀପ ବନ୍ଦର ନିର୍ମାଣରେ ଥିବା ତାଙ୍କ ଭୂମିକାକୁ ବେଶ୍ ପ୍ରଶଂସା କରିଥିଲେ। ଏହାସହ ପାରାଦୀପର ଶିଳ୍ପ ବିକାଶରେ ଜଗତସିଂହପୁର ଜିଲ୍ଲାର ଲୋକମାନଙ୍କ ସହଯୋଗ ପାଇଁ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

ଏହି କାର୍ଯ୍ୟକ୍ରମରେ ୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି କେ ପାଣ୍ଡିଆନ, ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ, ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାସ, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଏବଂ ଜେଏସଡବ୍ଲ୍ୟ ଗ୍ରୁପର ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ ପ୍ରମୁଖ ଯୋଗ ଦେଇଥିଲେ।

Tags: #IndustrialProjects #SteelPlant #JSWGroup #CMNaveenPatnaik #Paradeep #Odisha

LEAVE A REPLY

Please enter your comment!
Please enter your name here