ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

ଏଥର ୬ ପ୍ରତିଦ୍ୱନ୍ଦ୍ୱୀଙ୍କୁ ସାମ୍ନା କରିବେ ବିଜେଡି ପ୍ରାର୍ଥୀ ରୀତା ସାହୁ।

ରୀତା ସାହୁଙ୍କୁ ବିଜେଡି ଦ୍ୱିତୀୟ ଥର ପାଇଁ ପ୍ରାର୍ଥୀ କରିଛି। ରୀତା ଆଜି ପଦ୍ମପୁର ଉପ-ଜିଲ୍ଲାପାଳଙ୍କ ଅଫିସ୍‌ରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ବିଜେଡି ନେତାଙ୍କ ଗହଣରେ ଶୋଭାଯାତ୍ରାରେ ଯାଇ ରୀତା ପ୍ରାର୍ଥିପତ୍ର ଦାଖଲ କରିଥିଲେ।

୨୦୧୮ ଉପ-ନିର୍ବାଚନ ବେଳେ ରୀତା ସାହୁ ଆସିଥିଲେ ଚର୍ଚ୍ଚାର ପରିସରକୁ। ସେ ହେଉଛନ୍ତି ପୂର୍ବତନ ବିଧାୟକ ସୁବଳ ସାହୁଙ୍କ ସ୍ତ୍ରୀ। ସୁବଳଙ୍କ ଦେହାନ୍ତ ପରେ ବିଜେପୁରକୁ ଅକ୍ତିଆରକୁ ଆଣିବାକୁ ଚାହିଁଥିଲା ବିଜେଡି। କଂଗ୍ରେସ ସହ ସବୁ ସମ୍ପର୍କ ତୁଟାଇ ରୀତା ଶେଷରେ ବିଜେଡିକୁ ଆସି ଟିକେଟ ନେଇଥିଲେ। ସାଧାରଣ ଗୃହିଣୀ ଭାବେ ଜୀବନ ବିତାଉଥିବା ରୀତା ୨୦୧୮ରେ ପ୍ରଥମ ଥର ପାଇଁ ଉପ-ନିର୍ବାଚନ ମଇଦାନରେ ଲଢ଼େଇ କରିଥିଲେ।

୧୯୭୧ ମସିହା ଜୁନ ୧୬ ତାରିଖରେ ରୀତା ସାହୁଙ୍କ ଜନ୍ମ। ତାଙ୍କ ବାପାଙ୍କ ନାଁ ଲକ୍ଷ୍ମୀ ନାରାୟଣ ମହାରଣା। ପରେ ରୀତା ସାହୁ ବିଧାୟକ ସୁବଳ ସାହୁଙ୍କୁ ବିବାହ କରିଥିଲେ। ସୁବଳ ସାହୁ ବିଜେପୁର ଆସନରୁ ୨୦୦୪, ୨୦୦୯ ଓ ୨୦୧୪ ରେ ନିର୍ବାଚିତ ହୋଇ ବିଧାୟକ ହୋଇଥିଲେ।

ହେଲେ ୨୦୧୭ ଅଗଷ୍ଟ ୨୨ ତାରିଖରେ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ହୋଇଥିଲା। ତାଙ୍କ ମୃତ୍ୟୁ ପରେ ବିଜେପୁର ଆସନ ଫାଙ୍କା ପଡ଼ିଥିଲା। ୨୦୧୮ରେ ଉପ-ନିର୍ବାଚନ ପାଇଁ ବିଗୁଲ ବାଜିବା ପରେ ରୀତା ବିଜେଡିରେ ଯୋଗ ଦେଇଥିଲେ।

୨୦୧୮ ଫେବ୍ରୁଆରି ୨୪ରେ ବିଜେପୁରରେ ହୋଇଥିଲା ଭୋଟ। ୨୮ ତାରିଖରେ ଭୋଟ ଗଣତି ହୋଇଥିଲା। ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ରୀତା ବିପୁଳ ଭୋଟରେ ବିଜୟୀ ହୋଇଥିଲେ। ରୀତାଙ୍କୁ ଅସ୍ତ୍ର କରି କଂଗ୍ରେସ ଗଡ଼ ବିଜେପୁରରେ ବିଜେଡି ବିଜୟୀ ହୋଇଥିଲା।

ରୀତାଙ୍କୁ ଟକ୍କର ଦେଇଥିଲେ ବିଜେପିର ଅଶୋକ ପାଣୀଗ୍ରାହୀ। ଅଶୋକଙ୍କୁ ରୀତା ୪୧ ହଜାର ୯୩୩ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ।

ରୀତା ସାହୁ ମୋଟ ୧ ଲକ୍ଷ ୨ ହଜାର ୮୭୧ ଭୋଟ ପାଇଥିବା ବେଳେ ବିଜେପିର ଅଶୋକ ପାଣିଗ୍ରାହୀ  ୬୦ ହଜାର ୯୩୮ ଓ କଂଗ୍ରେସର ପ୍ରଣୟ ସାହୁ ୧୦ ହଜାର ୨୭୪ ଭୋଟ ପାଇଥିଲେ।

ଉପ ନିର୍ବାଚନର ଠିକ୍‌ ଗୋଟିଏ ବର୍ଷ ପରେ ଅର୍ଥାତ ୨୦୧୯ରେ ହୋଇଥିଲା ସାଧାରଣ ନିର୍ବାଚନ। ଏଥିରେ ଆଉ ରୀତା ସାହୁଙ୍କୁ ବିଜେଡି ସୁଯୋଗ ଦେଇ ନଥିଲା। ଖୋଦ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପୁରରୁ ପ୍ରାର୍ଥୀ ହୋଇଥିଲେ। ନବୀନ ୧ଲକ୍ଷ ୧୦ ହଜାର ୬୦୪ ଖଣ୍ଡ ଭୋଟ ପାଇଥିଲେ।

ନବୀନ ଦୁଇଟି ଆସନରୁ ନିର୍ବାଚନ ଲଢି ବିଜୟୀ ହୋଇଥିବାରୁ ବିଜେପୁର ଆସନରୁ ଇସ୍ତଫା ଦେଇଥିଲେ। ତେବେ ବର୍ତ୍ତମାନ ପୁଣି ଏହି ଆସନରେ ଉପ ନିର୍ବାଚନ ପାଇଁ ବିଗୁଲ ବାଜିଛି। ବିଜେଡି ପୁଣି ରୀତା ସାହୁଙ୍କୁ ଟିକେଟ ଦେଇଛି।

ରୀତାଙ୍କ ସାମ୍ନାରେ ଏଥର ୬ ଜଣ ପ୍ରାର୍ଥୀ ଅଛନ୍ତି। ବିଜେପିର ସନତ ଗଡ଼ତିଆ ଏବଂ କଂଗ୍ରେସର ଦିଲ୍ଲୀପ ପଣ୍ଡାଙ୍କ ସମେତ ୪ ଜଣ ସ୍ୱାଧୀନ ପ୍ରାର୍ଥୀଙ୍କୁ ରୀତା ସାମ୍ନା କରିବେ। ତେବେ ରୀତାଙ୍କ ଉପରେ ବିଜେପୁରବାସୀ ଏଥର କେତେଦୂର ଭରସା କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

Comment