ଓଡ଼ିଶାଲାଇଭ ବ୍ୟୁରୋ

“ଲୋକଙ୍କ ପାଇଁ କାମ କରିବା ଖବର କାଗଜର ମୁଖ୍ୟ କାମ। ସେହିପରି ସମାଜ ଗଠନରେ ଗଣମାଧ୍ୟମର ଭୂମିକା ମଧ୍ୟ ନିହାତି ଗୁରୁତ୍ଵପୂର୍ଣ୍ଣ। ଶାସନତନ୍ତ୍ର ଓ ଉନ୍ନତିମୂଳକ କାର୍ଯ୍ୟରେ ଲୋକଙ୍କ ସଂପୃକ୍ତି ମଧ୍ୟ ରହିବା ଦରକାର। ସବୁ ସରକାର କରିବେ, ଆମେ ବସିବୁ, ଏମିତି ଭାବିଲେ ଚଳିବ ନାହିଁ। ଲୋକଙ୍କ ସଂପୃକ୍ତି ବଢ଼ାଇବା ଗଣମାଧ୍ୟମର ମୁଖ୍ୟକାମ” ସମାଜ ଖବର କାଗଜ ଶତବାର୍ଷିକୀ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ଉପ-ରାଷ୍ଟ୍ରପତି ଭେଙ୍କିୟା ନାଇଡୁ।

ସମାଜର ଶତବାର୍ଷିକ ସମାରୋହରେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ।

ହେଡ୍‌ ଲାଇନ ଡେଡ୍‌ ଲାଇନ ଯେମିତି ନହୁଏ ସେଥିପ୍ରତି ଧ୍ୟାନ ଦେବା ଉଚିତ୍‌। ଗଣମାଧ୍ୟମ ସବୁବେଳେ ଗଠନମୂଳକ କାମ କରୁ। ବିନାଶ ମୂଳକ ନୁହେଁ। ମିଡିଆ ଗଣତନ୍ତ୍ରର ଦୋଷ ଦୁର୍ବଳତାକୁ ଦେଖି ତାକୁ ସୁଧାରିବାକୁ ଚେଷ୍ଟାକରୁ ବୋଲି କହିଛନ୍ତି ଭେଙ୍କିୟା ନାଇଡୁ।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଅବିଭାଷଣରେ କହିଥିଲେ,”ମିଡିଆ ହେଉଛି ଗଣତନ୍ତ୍ର ପାଇଁ ଅକ୍ସିଜେନ। ଗଣମାଧ୍ୟମ ଯେତେ ସ୍ଵାଧୀନ ହେବ ଗଣତନ୍ତ୍ର ସେତେ ପରିମାଣରେ ସୁଦୃଢ଼ ହେବ।”

Comment