ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

୨୦୧୮ ଉପନିର୍ବାଚନ ବେଳେ ପଦ୍ମ ଧରିଥିବା ଅଶୋକ ପାଣିଗ୍ରାହୀ ଏବେ ଦଳରୁ ଦେଲେ ଇସ୍ତଫା।

୨୦୧୯ ସାଧାରଣ ନିର୍ବାଚନରେ ବରଗଡ଼ ଲୋକସଭା ଆସନରେ ପଦ୍ମ ଫୁଟାଇଥିବା ବିଜେପି ଏବେ ବିଜେପୁରରେ ପଦ୍ମ ଫୁଟାଇବାକୁ ଆଶା କରିଥିଲା। ହେଲେ ଏହି ଆଶା ମଉଳିବାରେ ଲାଗିଛି। ଉପନିର୍ବାଚନ ପୂର୍ବରୁ ବିଜେପୁରରେ ପଦ୍ମରୁ ପାଖୁଡ଼ା ଖସୁଛି। ଏଣୁ ଏଠି କେମିତି ପଦ୍ମ ଫୁଟିବ ତାକୁ ନେଇ ବିଜେପି ଶିବିରରେ ଭାଳେଣି ପଡ଼ିଛି।

ବିଜେପୁର ଉପନିର୍ବାଚନକୁ ନେଇ ସବୁ ଦଳରେ ଭରି ରହିଥିଲା ଅସନ୍ତୋଷ। ସବୁ ଦଳରେ ଏକାଧିକ ଟିକେଟ ଆଶାୟୀ ଥିଲେ। କଂଗ୍ରେସରେ ରିପୁନାଥ ସେଠ୍‌, ବିଜେଡିରେ ପ୍ରଭାସ ସିଂହ, ପ୍ରଭାତ ଆଦିତ୍ୟ ମିଶ୍ର ଏବଂ ବିଜେପିରେ ଅଶୋକ ପାଣିଗ୍ରାହୀ ଟିକେଟ ଆଶାୟୀ ଥିଲେ।

ବିଜେଡିର ଅସନ୍ତୋଷ ବାହାରକୁ ଆସି ନଥିବା ବେଳେ କଂଗ୍ରେସ ଏବଂ ବିଜେପିର ଅସନ୍ତୋଷ ସାମ୍ନାକୁ ଆସିଥିଲା। କଂଗ୍ରେସ ନେତା ରିପୁନାଥ ସେଠ୍‌ ପ୍ରଥମେ ନିଜ ଦଳ ଉପରେ ଅସନ୍ତୋଷ ପ୍ରକାଶ କରିବା ପରେ ଅଶୋକ ପାଣିଗ୍ରାହୀ ବିଜେପି ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। କିନ୍ତୁ ରିପୁନାଥଙ୍କୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପୁଝାଇ ଦେବା ପରେ ସେ ଚୁପ୍ ହୋଇଯାଇଥିଲେ।

ହେଲେ ଅଶୋକଙ୍କୁ ବିଜେପି ନେତା ବୁଝାଇ ପାରିଲେ ନହିଁ। ଫଳରେ ଅଶୋକ ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ଉପନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ଝଟ୍‌କା ଲାଗିଛି।

କେବଳ ଏବେ ନୁହେଁ, ୨୦୧୮ ଉପନିର୍ବାଚନ ଏବଂ ୨୦୧୯ ନିର୍ବାଚନ ପୂର୍ବରୁ ବି ବିଜେପିକୁ ବରଗଡ଼ ଜିଲ୍ଲାରେ ଝଟ୍‌କା ଲାଗିଥିଲା। ୨୦୧୮ ଉପନିର୍ବାଚନ ବେଳେ ଅଶୋକ ବିଜେଡି ସହ ସମ୍ପର୍କ ତୁଟାଇ ବିଜେପିକୁ ଆସିବା ପରେ ତତ୍କାଳୀନ ବିଜେପି ସଭାପତି ନାରାୟଣ ସାହୁ ଇସ୍ତଫା ଦେଇଥିଲେ। ନାରାୟଣ ୨୨ ବର୍ଷ ହେଲା ବିଜେପିରେ ଥିଲେ। ହେଲେ ସେ ଅଶୋକଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରି ବିଜେପି ଛାଡ଼ିଥିଲେ।

୨୦୧୯ ନିର୍ବାଚନରେ ବି ସମାନ ଅବସ୍ଥା ଦେଖିବାକୁ ମିଳିଥିଲା ବିଜେପିରେ। ୨୦୧୪ ନିର୍ବାଚନରେ ବରଗଡ଼ ଲୋକସଭା ଆସନରେ ପ୍ରାର୍ଥୀ ହୋଇଥିବା ସୁବାସ ଚୌହାନ ବିଜେପିକୁ ଝଟ୍‌କା ଦେଇ ବିଜେଡିରେ ଯୋଗ ଦେଇଥିଲେ। ବିଜେପି ତାଙ୍କୁ ଅଣଦେଖା କରୁଥିବା ସୁବାସ ଅଭିଯୋଗ କରିଥିଲେ। ବରଗଡ଼ ଲୋକସଭା ଆସନରେ ବିଜେପି ସୁରେଶ ପୂଜାରୀଙ୍କୁ ଟିକେଟ ଦେବାରୁ ସୁବାସ ଦଳରୁ ଇସ୍ତଫା ଦେଇଥିଲେ।

ଅକ୍ଟୋବର ୨୧ରେ ହେବ ବିଜେପୁରରେ ପୁଣି ଉପନିର୍ବାଚନ। ଏଥିପାଇଁ ନିର୍ବାଚନ ମାହୋଲ ଜମିଲାଣି। ପ୍ରଚାର ମଧ୍ୟ ସରଗରମ ହେଲାଣି। ଶୁକ୍ରବାର ଦିନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପୁର, ଗାଇସିଲାଟ ଏବଂ ବରପାଲିର ବ୍ଲକରେ ପ୍ରଚାର କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି।

ଧର୍ମେନ୍ଦ୍ରଙ୍କ ବିଜେପୁର ଗସ୍ତର ଦିନକ ପରେ ଅଶୋକ ଇସ୍ତଫା ଦେଇଛନ୍ତି। ବିଜେପି ବିଜେପୁରରେ କେମିତି ପଦ୍ମ ଫୁଟାଇବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

LEAVE A REPLY

Please enter your comment!
Please enter your name here