ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବିଜେପୁରରେ ଚାଲିଛି ହାଇଭୋଲଟେଜ ପ୍ରଚାର। ବିଜେଡି, ବିଜେପି ଏବଂ କଂଗ୍ରେସର ବରିଷ୍ଠ ନେତା ବିଜେପୁରରେ ଡେରା ପକାଇ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଛନ୍ତି। ନେତାଙ୍କ ପ୍ରଚାରରେ କମ୍ପୁଛି ବିଜେପୁର ମଇଦାନ।

ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ମାଳ ମାଳ ନେତା, ମନ୍ତ୍ରୀ ବିଜେପୁରରେ ଡେରା ପକାଇଛନ୍ତି। ଗାଁ ଗାଁ ବୁଲି କର୍ମୀ ସମ୍ମିଳନୀ କରିବା ସହ ବିଜେଡି ସରକାରଙ୍କ ଲୋକପ୍ରିୟ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରୁଛନ୍ତି। ବିଜେଡି କର୍ମୀଙ୍କୁ ଜୋସ୍‌ ଦେବା ପାଇଁ ଆସନ୍ତା କାଲି ପ୍ରଚାର ମଇଦାନକୁ ଓହ୍ଲାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ନବୀନ ୧୭ ଓ ୧୮ ତାରିଖ ଦୁଇ ଦିନ ଧରି ରୀତାଙ୍କ ପାଇଁ ପ୍ରଚାର କରିବେ। ୧୭ ତାରିଖରେ ପ୍ରଚାର କରିବା ପରେ ସେହି ରାତିରେ ବରଗଡ଼ରେ ରହିବେ। ପୁଣି ୧୮ ତାରିଖରେ ପ୍ରଚାର କରି ନବୀନ ଭୁବନେଶ୍ୱର ଫେରିବେ।

ନବୀନ ବିଜେପୁର, ଗାଇସିଲାଟ ଏବଂ ବରପାଲି ବ୍ଲକରେ ପ୍ରଚାର କରିବେ। ହାଇଟେକ୍‌ ବସ୍‌ରେ ବୁଲି ନବୀନ ଭୋଟ ମାଗିବେ। ପଥପ୍ରାନ୍ତ ସଭା ସହ ରୋଡ ସୋ’ କରିବେ।

୨୦୧୮ ଉପନିର୍ବାଚନ ବେଳେ ବି ନବୀନ ବିଜେପୁରରେ ଦୁଇ ଦିନ ରହି ପ୍ରଚାର କରିଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ନବୀନ ନିଜେ ବିଜେପୁରରୁ ପ୍ରାର୍ଥୀ ହୋଇ ଜିତିଥିଲେ। ହେଲେ ବିଜେପୁର ଆସନରୁ ଇସ୍ତଫା ଦେଇଥିବାରୁ ଉପନିର୍ବାଚନ ହେଉଛି।

ଏପଟେ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କ ପାଇଁ ଆଜି ବିଜେପି ପ୍ରଭାରୀ ଅରୁଣ ସିଂ ପ୍ରଚାର କରିଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବରିଷ୍ଠ ନେତା ବିଜୟ ମହାପାତ୍ର ଏବଂ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ବି ପ୍ରଚାର କରିଥିଲେ।

କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡାଙ୍କ ପାଇଁ ପ୍ରଚାର କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ଦଳର ଅନ୍ୟ ବରିଷ୍ଠ ନେତା ବିଜେପୁରରେ ଡରା ପକାଇଛନ୍ତି।

Comment