ଓଡ଼ିଶାଲାଇଭ୍ ବ୍ୟୁରୋ

ଗତ ତିନିମାସର ବ୍ୟବଧାନ ପରେ ମହେନ୍ଦ୍ର ସିଂହ ଧୋନିଙ୍କୁ ଟିମ୍ ଇଣ୍ଡିଆର ଡ୍ରେସିଂ ରୁମ୍‌ରେ ଦେଖିବାକୁ ମିଳିଛି। ରାଞ୍ଚିରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ୍ ଅବସରରେ ସେ ଭାରତୀୟ ଦଳ ସହ ସାକ୍ଷାତ କରିଛନ୍ତି।

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଶେଷ ଟେଷ୍ଟରେ ଦଳ ବିଜୟୀ ହୋଇ ସିରିଜକୁ ୩-୦ରେ ବାଜିମାତ୍ କରିଛି। ଏହି ଅବସରରେ ଭାରତୀୟ ଦଳର ଡ୍ରେସିଂ ରୁମରେ ପୂର୍ବ କ୍ୟାପଟେନ୍ ଏମ୍ଏସ୍ ଧୋନିଙ୍କୁ ଦେଖିବାକୁ ମିଳିଥିଲା। ସେ ଶାହବାଜ୍ ନଦିମଙ୍କ ସହ କଥାବାର୍ତ୍ତା ହେବାର ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି।

ଧୋନିଙ୍କ ସହ ଡ୍ରେସିଂ ରୁମରେ ଫଟୋ ଉଠାଇ କୋଚ୍ ରବିଶାସ୍ତ୍ରୀ ମଧ୍ୟ ଏହାକୁ ନିଜର ସୋସିଆଲ ସାଇଟରେ ଛାଡ଼ିଛନ୍ତି। ଏଥିରେ ସେ ଲେଖିଛନ୍ତି, “ଗୋଟିଏ ଜବରଦସ୍ତ ସିରିଜ ବିଜୟୀ ହେବା ପରେ ଜଣେ ମହାନ ଭାରତୀୟଙ୍କୁ ତାଙ୍କ ମାଟିରେ ଦେଖା କରିବା ବହୁତ ଭଲ କଥା।”

ଗତ ବିଶ୍ୱକପ୍ ସେମିଫାଇନାଲ ମ୍ୟାଚ୍ ପରଠାରୁ ଧୋନିଙ୍କୁ ଜାତୀୟ ଦଳରେ ଦେଖିବାକୁ ମିଳିନି। ସେ କିଛିଦିନ ଧରି କ୍ରିକେଟରୁ ଦୂରେଇ ରହିଛନ୍ତି। ତେବେ ସେ ଆସନ୍ତା ଡିସେମ୍ବର ସୁଦ୍ଧା ଦଳକୁ ଫେରିବେ ବୋଲି ସୂଚନା ମିଳିଛି।

Comment