ଓଡ଼ିଶାଲାଇଭ୍ ବ୍ୟୁରୋ

ଏଇଟି ନିଶ୍ଚିତରେ ଏକ ଉଦ୍‌ବେଗଜନକ ଖବର। ସମଗ୍ର ଦେଶରେ ମହିଳା ହିଂସା କ୍ଷେତ୍ରରେ ଓଡ଼ିଶା ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ପ୍ରତିବର୍ଷ ଏକ ଲକ୍ଷ ଜନସଂଖ୍ୟାରେ ୯୪ଟି ଅଭିଯୋଗ ରୁଜୁ ହେଉଥିବା ଓଡ଼ିଶା ଆସାମ ତୁଳନାରେ ମାତ୍ର ଗୋଟିଏ ପାଦ ପଛରେ ରହିଛି। ୨୦୧୭ ବର୍ଷରେ ରାଜ୍ୟରେ ୨୦୦୯୮ଟି ମାମଲା ରୁଜୁ ହୋଇଥିବା ଏହି ତଥ୍ୟରୁ ଜଣାପଡ଼ିଛି।

ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋର ସର୍ବଶେଷ ତଥ୍ୟ ଅନୁସାରେ କ୍ରମାଗତ ଭାବେ ଓଡ଼ିଶାରେ ମହିଳାଙ୍କ ବିରୁଦ୍ଧରେ ହିଂସା ବଢ଼ିଚାଲିଛି। ୨୦୧୫ରେ ୧୭୨୦୦ ମାମଲା ରୁଜୁ ହୋଇଥିବା ବେଳେ ୨୦୧୬ରେ ଏହା ୧୭୮୩୭ ଥିଲା। ପରବର୍ତ୍ତୀ ବର୍ଷ ଅର୍ଥାତ ୨୦୧୭ରେ ଅଧିକ ମାମଲା ରୁଜୁ ହୋଇଥିଲା। ଆସାମରେ ଏକ ଲକ୍ଷ ଜନସଂଖ୍ୟାରେ ୧୪୩ ମାମଲା ରୁଜୁ ହୋଇଥିବା ବେଳେ ଓଡ଼ିଶା ତଳେ ରହିଛି ତେଲେଙ୍ଗାନା।

ଓଡ଼ିଶାରେ ଯେଉଁ ସବୁ ମାମଲା ରୁଜୁ କରାଯାଇଥିଲା ସେଥି ମଧ୍ୟରୁ ମହିଳାଙ୍କ ଇଜ୍ଜତ ଲୁଟିବା, ନାବାଳିକା ଦୁଷ୍କର୍ମ, ଯୌତୁକ ହତ୍ୟା ଓ ନିର୍ଯାତନା ଆଦି ଅନ୍ତର୍ଭୁକ୍ତ। ଏଥିରେ କିଛି ସାଇବର ଅପରାଧ ବି ରହିଛି। ୨୦୧୭ରେ ରାଜ୍ୟରେ ଘଟିଥିବା ୨୦୭୦ ଦୁଷ୍କର୍ମ ଘଟଣାରେ ୧୦୬୧ ମାମଲାରେ ଅପରାଧୀ ପୀଡ଼ିତାଙ୍କୁ ଜାଣିଥିବା ବେଳେ, ୮୫୩ ମାମଲାରେ ବିବାହ ବାହାନାରେ ଦୁଷ୍କର୍ମ କରାଯାଇଥିବା କଥା କ୍ରାଇମ ରେକର୍ଡ ବ୍ୟୁରୋ ପ୍ରକାଶ କରିଛନ୍ତି।

Comment