ଓଡ଼ିଶାଲାଇଭ୍‌ ବ୍ୟୁରୋ

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି। ଲଗାଣ ବର୍ଷା ଯୋଗୁଁ ଅନେକ ସ୍ଥାନ ପାଣି ଜମି ରହିଥିବା ବେଳେ ବିଭିନ୍ନ ସ୍ଥାନରେ ଘରେ ପାଣି ପସିଥିବା ଖବର ଆସିଛି। ତେବେ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ସ୍ଥିତି ନାହିଁ ବୋଲି ସ୍ୱତନ୍ତ୍ର ରିଲିଫ୍‌ କମିସନର ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ୨ଟି ବ୍ଲକ୍‌ରେ ୨୦୦ ମିଲିମିଟର ବର୍ଷା ହୋଇଥିବା ବେଳେ ୩୭ଟି ବ୍ଲକ୍‌ରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଥିବା ସୂଚନା ମିଳିଛି। ପୁରୀ କୃଷ୍ଣପ୍ରସାଦ ବ୍ଲକ୍‌ରେ ସର୍ବାଧିକ ୨୪୯.୪ ବର୍ଷା ରେକର୍ଡ ହୋଇଛି। ସେହିପରି ଗଞ୍ଜାମ ଚିକିଟି ବ୍ଲକ୍‌ରେ ୨୦୩ ମିମି ବର୍ଷା ରେକର୍ଡ ହୋଇଥିବା ଏସ୍‌ଆରସି ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ୮ଟି ଜିଲ୍ଲାରେ ସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା  କରାଯାଇଛି। କଟକ, ଗଞ୍ଜାମ, ଗଜପତି, ଭଦ୍ରକ, ଢେଙ୍କାନାଳ, କେନ୍ଦ୍ରାପଡ଼ା, ପୁରୀ ଜିଲ୍ଲାରେ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ପାଇଁ ଜିଲ୍ଲାପାଳ ସମ୍ପୃକ୍ତ ଘୋଷଣା କରିଛନ୍ତି।

ସେହିପରି ଯାଜପୁର ଜିଲ୍ଲାରେ ଗୁରୁବାର ଏବଂ ଶୁକ୍ରବାର ଦୁଇ ଦିନ ପାଇଁ ସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା କରାଯାଇଛି। ତେବେ ଆସନ୍ତାକାଲି ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

Comment