ଓଡ଼ିଶାଲାଇଭ୍ ବ୍ୟୁରୋ

ନେପାଳରୁ ଆସିଥିବା ୭ ହଜାରରୁ ଅଧିକ ଶାଳଗ୍ରାମକୁ ଭୁବନେଶ୍ୱର ଉପକଣ୍ଠ ନୂଆଗାଁର ଆଧ୍ୟାତ୍ମିକ ଦିବ୍ୟାଶ୍ରମ ପରିସରରେ ସ୍ଥାପନା କରାଯାଇଛି। ସାଧରଣ ଲୋକ ଓ ଭକ୍ତମାନେ ଏଣିକି ଏହାକୁ ପୂଜା କରିବା ସହିତ ଦର୍ଶନ କରିପାରିବେ।

ନେପାଳର ଗଣ୍ଡୁକି ନଦୀ ଓ ଦାମୋଦର କୁଣ୍ଡରୁ ସଂଗୃହିତ ୭ ହଜାର ୧୦୦ ଶାଳଗ୍ରାମକୁ ଶନିବାର ଆଶ୍ରମ ପରିସରରେ ସ୍ଥାପନ କରାଯାଇଛି। ଶାଳଗ୍ରାମକୁ ପୂଜାର୍ଚ୍ଚନା କରିବା ସହିତ ହନୁମାନ ଚାଳିଶା ପାଠ କରାଯାଇଥିଲା। ଏଥି ସହିତ ଦେଶବିଦେଶରୁ ଆସିଥିବା ସାଧୁସନ୍ଥମାନେ ପ୍ରବଚନ ଦେଇଥିଲେ।

ନେପାଳ, କାଶୀ, ମଥୁରାରୁ ଆସିଥିବା ସାଧୁ ମହାରାଜ ଶାଳଗ୍ରାମର ମହତ୍ତ୍ୱ ଏବଂ ଶାଳଗ୍ରାମ ସହିତ ଜଗନ୍ନାଥ ମନ୍ଦିର ଓ ହିନ୍ଦୁ ଧର୍ମର ସଂପର୍କ ଉପରେ ମତ ରଖିଥିଲେ।

ଆଶ୍ରମର ପ୍ରତିଷ୍ଠାତା ସ୍ୱାମୀ ଦିବ୍ୟାନନ୍ଦ ଗୁରୁଜୀ ମହାରାଜ କହିଥିଲେ, ‘‘ଶାଳଗ୍ରାମ ହେଉଛନ୍ତି ବିଷ୍ଣୁ ଭଗବାନଙ୍କ ସାକ୍ଷାତ ରୂପ। ଶାଳଗ୍ରାମ ଦର୍ଶନ କଲେ ଅଶେଷ ପୂଣ୍ୟ ମିଳିଥାଏ। ଏଥି ସହିତ ଶାଳଗ୍ରାମକୁ ଘରେ ରଖି ଏହାକୁ ପାଣିରେ ସ୍ନାନ କରାଇ ସେହି ପାଣିକୁ ପିଇଲେ ଶରୀର ନିରୋଗ ରହିଥାଏ।’’

ଆଧ୍ୟାତ୍ମକ ଦିବ୍ୟାଶ୍ରମ ପ୍ରତିଷ୍ଠା କରିବା ପାଇଁ ଏବଂ ଦିବ୍ୟ ଶାଳଗ୍ରାମକୁ ସେଠାରେ ସ୍ଥାନ ଦେବାକୁ କିଛି ବର୍ଷ ତଳେ ସ୍ୱାମୀ ଦିବ୍ୟାନନ୍ଦ ଗୁରୁଜୀ ମହାରାଜ ଉଦ୍ୟମ ଆରମ୍ଭ କରିଥିଲେ।

ଏଥିପାଇଁ ଅକ୍ଟୋବର ମାସ ୧୪ ତାରିଖରେ ପୁରୀରୁ ଏକ ୪୦ ଜଣିଆ ସାଧୁସନ୍ଥ ଦଳ ନେପାଳର କାଠମାଣ୍ଡୁ ଯାତ୍ରା କରିଥିଲେ। ନେପାଳରେ ପହଞ୍ଚିବା ପରେ ସେଠାରେ ତିନି ଚାରି ବର୍ଷ ଧରି ସଂଗ୍ରହ ହୋଇଥିବା ପ୍ରାୟ ୭ ହଜାର ୧୦୦ ଶାଳଗ୍ରାମକୁ ଧରି ସ୍ୱତନ୍ତ୍ର ବସ୍‌ ଯୋଗେ ଭୁବନେଶ୍ୱର ଫେରିଥିଲେ। ଭୁବନେଶ୍ୱରରେ ୨୩ ତାରିଖରେ ଦିବ୍ୟ ଶାଳଗ୍ରାମ ପହଞ୍ଚିବା ପରେ ଏହାକୁ ନୂଆଗାଁ ଦିବ୍ୟାଶ୍ରମରେ ରଖାଯାଇଥିଲା। ପରେ ପୂଜାର୍ଚ୍ଚନା କରାଯାଇ ଶନିବାର ସମସ୍ତ ଦିବ୍ୟ ଶାଳଗ୍ରାମକୁ ସାଧାରଣ ଦର୍ଶନ ପାଇଁ ରଖାଯାଇଛି।

ଦିବ୍ୟ.ଶାଳଗ୍ରାମ ସ୍ଥାପନ ଉତ୍ସବରେ ଅତିଥି ଭାବେ ବୃନ୍ଦାବନରୁ ଆସିଥିବା ମାତା କ୍ରିଷ୍ଣାନନ୍ଦ ସରସ୍ୱତୀ ଶାଳଗ୍ରାମର ଦର୍ଶନର ମହତ୍ତ୍ୱ ସମ୍ପର୍କରେ ଉପସ୍ଥିତ ଭକ୍ତଙ୍କୁ ବୁଝାଇଥିଲେ। ଏଥି ସହିତ ଏଠାରେ ପ୍ରତିଷ୍ଠା ହେବାକୁ ଥିବା ଆଧ୍ୟାତ୍ମିକ ବିଦ୍ୟାପୀଠ ଧର୍ମ ଶାସ୍ତ୍ର ଉପରେ ଛାତ୍ରଙ୍କ ଜ୍ଞାନ ବଢାଇବାରେ ବେଶ ସହାୟକ ହେବ ବୋଲି କହିଛନ୍ତି ମାତା କ୍ରିଷ୍ଣାନନ୍ଦ  ସରସ୍ୱତୀ।

ନେପାଳରୁ ଆସିଥିବା ପଶୁପତି ନାଥ ମନ୍ଦିରର ନିର୍ଦ୍ଦେଶକ ରମେଶ ଉପ୍ରେତି ଏହି ଉତ୍ସବରେ ଉପସ୍ଥିତ ରହି ଆଧ୍ୟାତ୍ମିକ ବିଦ୍ୟାପୀଠର ଏତେ ସଂଖ୍ୟକ ଶାଳଗ୍ରାମ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ।

‘‘ପୁରୀ ଶ୍ରୀମନ୍ଦିର ଗର୍ଭ ଗୃହରେ ନେପାଳର ଶାଳଗ୍ରାମ ସ୍ଥାନ ପାଇଥିବା ବେଳେ ସାରା ଭାରତରେ ବିଭିନ୍ନ ମନ୍ଦିରରେ ଶାଳଗ୍ରାମ ପୂଜା ପାଉଛନ୍ତି। ଏଥି ସହିତ ଘରେ ମଧ୍ୟ ଏହାକୁ ରଖି ଲୋକମାନେ ପ୍ରତିଦିନ ପୂଜା କରିବା ସହିତ ଏହାର ଦର୍ଶନ କରୁଛନ୍ତି। ତେଣୁ ଭୁବନେଶ୍ୱରରେ ଗୋଟିଏ ସ୍ଥାନରେ ଏତେ ସଂଖ୍ୟକ ଶାଳଗ୍ରାମ ସ୍ଥାପନ ହେବା ଦ୍ୱାରା ସମସ୍ତେ ଏହାକୁ ଦର୍ଶନ କରିବାର ସୁଯୋଗ ପାଇବେ’’ କହିଛନ୍ତି ରମେଶ ଉପ୍ରେତି।

ଭକ୍ତମାନେ ଏତେ ସଂଖ୍ୟକ ଶାଳଗ୍ରାମ ଦିବ୍ୟାଶ୍ରମ ପରିସରରେ ଗୋଟିଏ ସ୍ଥାନରେ ଦେଖି ଭାବବିହ୍ୱଳ ହୋଇ ପଡିଥିଲେ।

ଶାଳଗ୍ରାମ ଦର୍ଶନ କରିବା ପରେ ଭୁବନେଶ୍ୱରର ମାମୁନି ରଥ କହିଥିଲେ, ‘‘ଏ ସବୁ ଦିବ୍ୟ ଶାଳଗ୍ରାମ ଦେଖି ମୁଁ ବେଶ୍‌ ଆନନ୍ଦିତ। ଓଡ଼ିଶା ତଥା ଭୁବନେଶ୍ୱରର ଲୋକଙ୍କ ପାଇଁ ଦିବ୍ୟାଶ୍ରମ ଶାଳଗ୍ରାମ ଦର୍ଶନର ଏକ ଅପୂର୍ବ ସୁଯୋଗ ଆଣି ଦେଇଛି।’’

ଏହି ଆଧ୍ୟାତ୍ମିକ ବିଦ୍ୟାଶ୍ରମରେ ଆଗାମୀ ଦିନରେ ରାଜ୍ୟ ତଥା ରାଜ୍ୟ ବାହାରର ଛାତ୍ରମାନଙ୍କୁ ରଖାଯାଇ ବେଦ ଶିକ୍ଷା ଦିଆଯିବ ବୋଲି ଦିବ୍ୟାନନ୍ଦ ଗୁରୁଜୀ ମହାରାଜ କହିଛନ୍ତି।

Comment