ଓଡ଼ିଶାଲାଇଭ୍ ବ୍ୟୁରୋ

ଶେଷ ହେଲା ବିଜେଡିର ଜନ ସମ୍ପର୍କ ପଦଯାତ୍ରା।

“ବିଜୁ ଜନତା ଦଳ ସବୁବେଳେ ସେବାରେ ବିଶ୍ୱାସ କରେ। ସେବା ମନୋଭାବ ନେଇ ଆମେ ମାକ ରୁ। ଓଡ଼ିଶାବାସୀଙ୍କ ଆଶୀର୍ବାଦ ଓ ବିଜେଡି କର୍ମୀମାନଙ୍କ ପରିଶ୍ରମ ଯୋଗୁଁ ବିଜୁ ଜନତା ଦଳ ପୁଣିଥରେ ଲୋକଙ୍କ ସେବା କରିବାକୁ ସୁଯୋଗ ପାଇଛି। ଓଡ଼ିଶାବାସୀଙ୍କ ଏହି ଭଲପାଇବା ମତେ ଋଣୀ କରିଛି”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଅକ୍ଟୋବର ୨ରୁ ଆରମ୍ଭ ହୋଇଥିବା ବିଜେଡି ଜନସଂପର୍କ ପଦଯାତ୍ରା ଗୁରୁବାର ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଆଜି ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ସାଲିଆସାହିରେ ହେଉଥିବା ଜନସଂପର୍କ ପଦଯାତ୍ରାରେ ଉପସ୍ଥିତ ରହି ଏହାକୁ ଉଦଯାପନ କରିଛନ୍ତି।

ଏହାସହ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, “ଓଡ଼ିଶା- ମୋ ପରିବାର ଯୋଜନାରେ ସମସ୍ତ ପ୍ରକାର ସେବା ସାଧାରଣ ଲୋକଙ୍କ ପାଖରେ ପହଞ୍ଚିପାରିବ। ବିଜେଡି ସେବାରେ ବିଶ୍ୱାସ କରେ ଓ ସେବା ହିଁ ଆଦର୍ଶ।”

ବିଜେଡିର ଜନସଂପର୍କ ପଦଯାତ୍ରା ପ୍ରତି ନିର୍ବାଚନମଣ୍ଡଳୀରେ ଆୟୋଜନ କରାଯାଇଥିଲା। ଲୋକଙ୍କ ସହ ଯୋଡ଼ି ହୋଇ ରହିବା ଏବଂ ରାଜ୍ୟ ସରକାରଙ୍କ ଲୋକପ୍ରିୟ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରିବା ଏହି ପଦଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ।

ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ଏହି ଜନସଂପର୍କ ପଦଯାତ୍ରା ପ୍ରଥମେ ଅକ୍ଟୋବର ୧୧ ପର୍ଯ୍ୟନ୍ତ ଚାଲିବ ବୋଲି ସ୍ଥିର କରାଯାଇଥିଲା। କିନ୍ତୁ ଏହି ସମୟରେ ଦୁର୍ଗାପୂଜା ଓ ବିଜେପୁର ଉପ ନିର୍ବାଚନ ପାଇଁ ସବୁ ନେତା ବ୍ୟସ୍ତ ରହିବା କାରଣରୁ ମୁଖ୍ୟମନ୍ତ୍ରୀ ଏହାକୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ।

ଏହି ଜନସଂପର୍କ ପଦଯାତ୍ରାରେ ବିଜେଡି ତାର ସଭ୍ୟ ସଂଗ୍ରହ ଅଭିଯାନକୁ ମଧ୍ୟ ଯୋଡ଼ିଥିଲା। ଏହି ସମୟ ମଧ୍ୟରେ ଦଳ ମୋଟ୍ ୪୧ ଲକ୍ଷ ସଭ୍ୟ ସଂଗ୍ରହ କରିଛି ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ଦଳରେ ଆହୁରି ଅଧିକ ସଭ୍ୟଙ୍କୁ ଯୋଡ଼ିବା ପାଇଁ ସଭ୍ୟ ସଂଗ୍ରହ ଅଭିଯାନକୁ ଆହୁରି ତିନି ସପ୍ତାହ ଲାଗି ବୃଦ୍ଧି କରି ଦିଆଯାଇଛି।

Comment