ଓଡ଼ିଶାଲାଇଭ୍ ବ୍ୟୁରୋ

ସାମୁଦ୍ରିକ ଝଡ଼ ‘କ୍ୟାର୍‌’ ପରେ ପରେ ଆରବ ସାଗରରେ ପୁଣି ଏକ ଅତି ଭୀଷଣ ବାତ୍ୟା ସୃଷ୍ଟି ହୋଇଛି। ଏହାର ନାମ ରଖାଯାଇଛି ‘ମହା’। ଏହା ସ୍ଥଳ ଭାଗ ଆଡ଼କୁ ଧୀରେ ଧୀରେ ଅଗ୍ରସର ହେଉଛି ଏବଂ ନଭେମ୍ବର ୨ରୁ ୪ ମଧ୍ୟରେ ବଡ଼ ଧରଣର ବିପର୍ଯ୍ୟୟ ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି।

ଆମେରିକା ପାଣିପାଗ ବିଶେଷଜ୍ଞ ଫିଲିପ୍‌ କ୍ଲଚ୍‌ବ୍ୟାଚ୍‌ଙ୍କ ଅନୁସାରେ ଆରବ ସାଗରରେ ଏକ ସମୟରେ ଦୁଇ ଦୁଇଟି ବାତ୍ୟା ସୃଷ୍ଟି ହେବା‌ ଏକ ବିରଳ ଘଟଣା। ପୂବର୍ରୁ ଏଭଳି କେବେ ହୋଇ ନଥିଲା। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ, ବୁଧବାର ରାତିରେ ‘ମହା’ ଲାକ୍ଷାଦ୍ୱୀପ ନିକଟରେ ଦକ୍ଷିଣ-ପୂର୍ବ ଆରବ ସାଗରରେ କେନ୍ଦ୍ରୀଭୂତ ହୋଇଛି।

ଏହା ବର୍ତ୍ତମାନ ଉତ୍ତର-ପୂର୍ବ ମାଳଦୀପଠାରୁ ୫୪୦ କିଲୋମିଟର ଏବଂ ଉତ୍ତର-ପଶ୍ଚିମ ଥିରୁଅନନ୍ତପୁରମ୍‌ଠାରୁ ୩୨୦ କିଲୋମିଟର ଦୂରରେ ରହିଛି। ଗୁରୁବାର ଏହି ଘୂର୍ଣ୍ଣିବାତ୍ୟା ଲାକ୍ଷାଦ୍ୱୀପର ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ପରେ ପୂର୍ବ-କେନ୍ଦ୍ରୀୟ ଆରବସାଗରରେ ଭୀଷଣ ରୂପ ଧାରଣ କରିବ। ଅକ୍ଟୋବର ୩୧ରୁ ନଭେମ୍ବର ୧ ତାରିଖ ଯାଏ ‘ମହା’ ଭୟଙ୍କର ରୂପ ନେବ ଏବଂ ନଭେମ୍ବର ୨ରୁ ୪ ତାରିଖ ଯାଏ ଏହା ଅତି ଭୟଙ୍କର ହେବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି।

ଏହାର ପ୍ରଭାବରେ ଗୁରୁବାରଠାରୁ ୪ ଦିନ ଧରି କେରଳ, ଲାକ୍ଷାଦ୍ଵୀପ, କର୍ଣ୍ଣାଟକ ଓ ଦକ୍ଷିଣ ତାମିଲନାଡୁରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଲାକ୍ଷାଦ୍ୱୀପ ଏବଂ କେରଳର କେତେକ ସ୍ଥାନରେ ମଧ୍ୟ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କ କରିଦେଇଛି। ଏହି ସମୟରେ ଲାକ୍ଷାଦ୍ୱୀପ, କେରଳ, ଦକ୍ଷିଣ ତାମିଲନାଡୁ ଏବଂ କର୍ଣ୍ଣାଟକରେ ଘଣ୍ଟାପ୍ରତି ୮୦ରୁ ୧୦୦ କିଲୋମିଟର ବେଗରେ ପବନ ବହିବ।

ଗୁରୁବାର ସନ୍ଧ୍ୟା ପରଠାରୁ ପବନର ବେଗ ୧୬୦ରୁ ୧୭୦ କିଲୋମିଟରକୁ ବଢ଼ିବ। ଏହି ସମୟରେ ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ନଭେମ୍ବର ୪ ତାରିଖ ପରେ ବର୍ଷାର ପରିମାଣ ହ୍ରାସ ପାଇବ। ପାଣିପାଗ ବିଭାଗର ଏହି ସତର୍କବାଣୀ ପରେ ‘ମହା’ର ମୁକାବିଲା ପାଇଁ ବିଭିନ୍ନ ସ୍ତରରେ ତତ୍ପରତା‌ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here