ଓଡ଼ିଶାଲାଇଭ୍ ବ୍ୟୁରୋ

୪ ବର୍ଷର ଦୀର୍ଘ ବ୍ୟବଧାନ ପରେ ଆସିଲା ଲହଣ୍ଡା ଗଣହତ୍ୟା ମାମଲାର ରାୟ। ଗୁରୁବାର ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଏହି ମାମଲାର ଶୁଣାଣି କରି ୬ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏହାସହ ବିଚାରପତି ଜଣକୁ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।

କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍‌ ଲହଣ୍ଡା  ମୁଣ୍ଡା ସାହିରେ ଗୁଣିଗାରେଡ଼ି ସନ୍ଦେହରେ ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା କରାଯାଇଥିଲା। ଦୀର୍ଘ ୪ ବର୍ଷ ପରେ ଚମ୍ପୁଆ ଅତିରିକ୍ତ ଦୌରାଜଜ ଦୋଳଗୋବିନ୍ଦ ବାରିକ ଏହି ମାମଲାରେ ରାୟ ଶୁଣାଇଛନ୍ତି। ଏହି ରାୟ ଅନୁଯାୟୀ, ଅଭିଯୁକ୍ତ ମାନା ମୁଣ୍ଡା, ରତ୍ନା ମୁଣ୍ଡା, ବାଗୁନ ମୁଣ୍ଡା, ଉମା ମୁଣ୍ଡା, ତୁମ୍ବା ମୁଣ୍ଡା ଓ ଇଶ୍ୱର ମୁଣ୍ଡାଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଥିବା ବେଳେ ଜଣେ ମହିଳା ପାଣ୍ଡରି ମୁଣ୍ଡାଙ୍କୁ ତିନି ବର୍ଷ ଜେଲ୍‌ ଦଣ୍ଡ ଶୁଣାଇଛନ୍ତି।

ଆଜୀବନ କାରାଦଣ୍ଡ ଅଭିଯୁକ୍ତଙ୍କୁ ୧୦ ହଜାର ଟଙ୍କା ଜରିମାନା କରାଯାଇଛି।

କ’ଣ ଥିଲା ପୂରା ଘଟଣା?

୨୦୧୫ ମସିହାରେ କେନ୍ଦୁଝର ଯୋଡ଼ା ବ୍ଲକ ଲହଣ୍ଡା ମୁଣ୍ଡା ସାହିରେ ରହୁଥିଲେ ଗୁରା ମୁଣ୍ଡାଙ୍କ ପରିବାର। ଗୁରାଙ୍କ ସହ ତାଙ୍କ ସ୍ତ୍ରୀ, ୪ ପୁଅ ଓ ୨ ଝିଅ ଥିଲେ। ଗୁରା ମୁଣ୍ଡାଙ୍କ ବଡ଼ ଭାଇ ତୁମ୍ବା ମୁଣ୍ଡାଙ୍କର ବାରମ୍ବାର ଦେହ ଅସୁସ୍ଥ ହେଉଥିଲା। ତାଙ୍କ ବଡ଼ ଭାଇ ସନ୍ଦେହ କରୁଥିଲେ ଯେ, ଗୁରା ଓ ତାଙ୍କ ସ୍ତ୍ରୀ ଗୁଣି କରୁଥିବାରୁ ତାଙ୍କ ଦେହ ଖରାପ ହେଉଛି। ଏବଂ ତାଙ୍କୁ ମାରି ଦେଲେ ତାଙ୍କ ଦେହ ଠିକ୍‌ ହୋଇଯିବ ବୋଲି ସେ ଭାବିଲେ।

ଏଥିପାଇଁ ଜୁଲାଇ ମାସ,୨୦୧୫ ଗୁରା ମୁଣ୍ଡା ଏବଂ ତାଙ୍କ ପରିବାର ଶୋଇଥିବା ବେଳେ ତୁମ୍ବା ମୁଣ୍ଡା ଅନ୍ୟମାନଙ୍କ ସହଯୋଗରେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ୬ ଜଣଙ୍କ ଜୀବନ ଜାଲି ଯାଇଥିଲା।

ଖବର ପାଇ ଯୋଡ଼ା ପୋଲିସ ପହଞ୍ଚି ୬ ଜଣଙ୍କ ମୃତ ଦେହ ଉଦ୍ଧାର କରିଥିଲା। ଏହାସହ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲେ।

ଏହି ଘଟଣାରେ ୨୪ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଚମ୍ପୁଆର ଜୌରାଜଜ୍‌ ରାୟ ଶୁଣାଇଛନ୍ତି। ୯ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ୭ ଜଣଙ୍କୁ ଦଣ୍ଡାଦେଶ ମିଳିଛି ଏବଂ ଅନ୍ୟ ଦୁଇ ଜଣ ପ୍ରମାଣ ଅଭାବରୁ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି।

Comment