ଭାସ୍କର ପରିଚ୍ଛା

କେବଳ ଅବସରପ୍ରାପ୍ତ  ପୋଲିସ ମହାନିର୍ଦ୍ଦେଶକ ଭାବରେ ନୁହେଁ, ଜଣେ ଲେଖକ ଓ ସଂଗ୍ରହବିତ ଭାବରେ ଅମିୟ ଭୂଷଣ ତ୍ରିପାଠୀଙ୍କର ବେଶ୍ ଲମ୍ବା ପରିଚୟ ରହିଛି। ଅବସର ଗ୍ରହଣ କରିବା ପରେ ସେ ବିଭିନ୍ନ ପତ୍ର ପତ୍ରିକାରେ ନିୟମିତ ଭାବେ ଲେଖି ଆସୁଛନ୍ତି, ବିଭିନ୍ନ ପ୍ରସଙ୍ଗରେ ଲେଖୁଛନ୍ତି ଓ ତାଙ୍କର ଦୃଷ୍ଟିକୋଣ ବି କିଛି ଅଲଗା।କେବଳ ଓଡ଼ିଆ ନୁହେଁ, ଇଂରେଜୀରେ ବି ସେ ଲେଖନ୍ତି।

ବିଗତ କିଛି ବର୍ଷ ଧରି ତାଙ୍କର ଅଧିକାଂଶ ସମୟ ରାଜ୍ୟର କୀର୍ତ୍ତିରାଜିର ସଂରକ୍ଷଣ ପାଇଁ ଅତିବାହିତ ହୋଇଆସିଛି।ଇନ୍ଟାକର ରାଜ୍ୟ ଆବାହକ ରହିବା ଭିତରେ  ତାଙ୍କରି ଉଦ୍ୟମରେ ଓଡ଼ିଶାର ବିଭିନ୍ନ କୀର୍ତ୍ତିରାଜିର  ସଂରକ୍ଷଣ ପାଇଁ ବେଶ୍ କିଛି କାର୍ଯ୍ୟ ସମ୍ପାଦନ ହେଉଥିବା ଶୁଣାଯାଏ।ସେ ନିକଟ ଅତୀତରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଉପରେ ଏକ ପୁସ୍ତକ ରଚନା କରିଛନ୍ତି ଯାହାକି ପୂର୍ବ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଉନ୍ମୋଚନ କରିଥିଲେ। ଶ୍ରୀ ତ୍ରିପାଠୀ ନିଜର ଆତ୍ମଜୀବନୀ ବି କେଖିଛନ୍ତି।

ଆଲୋଚ୍ୟ ପୁସ୍ତକଟି ଶ୍ରୀ ତ୍ରିପାଠୀ ଲେଖିଥିବା ଏବଂ  ଖବରକାଗଜରେ ପ୍ରକାଶିତ  ଲେଖାର ସଂକଳନ।ଏଥିପୂର୍ବରୁ ତାଙ୍କର ଆଉ ଦୁଇଟି ସଂକଳନ ‘ସ୍ପନ୍ଦନ ଓ ମନ୍ଥନ’ ପ୍ରକାଶ ପାଇଛି।ଲେଖକ ମୁଖବନ୍ଧରେ ଲେଖିଛନ୍ତି:’ସମସାମୟିକ ଘଟଣାବଳୀ ଉପରେ ଲିଖିତ ଏ ପ୍ରବନ୍ଧମାନଙ୍କ ଉପରେ ଦୃଷ୍ଟିପାତ କଲେ ପାଠକମାନେ ଜାଣିବେ ,କେତୋଟି ସମସ୍ୟା ଓ ବିଷୟବସ୍ତୁ ଉପରେ ଏକାଧିକ ପ୍ରବନ୍ଧ ସ୍ଥାନିତ ହୋଇଛି।ଏହାର ମୁଖ୍ୟ କାରଣ ହେଲା ଏ କ୍ଷେତ୍ରମାନଙ୍କରେ ସମସ୍ୟା ଓ ସଙ୍କଟ ମୋତେ ବହୁତ ବ୍ୟଥିତ କରିଛି ଓ ପ୍ରବନ୍ଧମାନ ସେହି ମାନସିକ ସନ୍ତୁଳନର ପ୍ରତିବିମ୍ବ।’

ସୁତରାଂ,ଲେଖକଙ୍କ ବିଷୟ ପ୍ରବେଶ ବିପୁଳ।ରାଜ୍ୟ, ଦେଶ ଓ ବିଶ୍ୱର ଏଭଳି କୌଣସି ବିଷୟ ନାହିଁ ଯାହାରି ଉପରେ  ସେ ଆଲୋକପାତ କରିନାହାନ୍ତି।ଓଡ଼ିଶାର ଦାରିଦ୍ର୍ୟ, ଐତିହ୍ୟ ସୁରକ୍ଷା,ଲୋକପାଳ, ରାଜଧାନୀ ଭୁବନେଶ୍ୱର, ଉଚ୍ଚଶିକ୍ଷାର ସାମ୍ପ୍ରତିକ ଗତି,ବଳାତ୍କାର ଆଇନ, ପୋଲିସର ମନୋବଳ, ପଣ୍ଡିତ ନେହରୁ,ଏକବିଂଶ ଶତାବ୍ଦୀରେ ମାନବିକ ଅଧିକାର, ଐତିହାସିକ ଦୃଷ୍ଟିକୋଣରୁ ଧର୍ମ,ଜାତୀୟତାବାଦ, ତିବ୍ବତ ଘଟଣାବଳୀ, ମୋଦିଙ୍କ ଅଛେଦିନ,ନେହରୁଙ୍କ ସାମ୍ୟବାଦ,ହିନ୍ଦୁତ୍ୱ,ବର୍ତ୍ତମାନର ପଂକିଳ ରାଜନୀତି,ଗାନ୍ଧୀଙ୍କ ଦାୟାଦ, ରାଫେଲ ବିବାଦ ଓ ଶେଷରେ ବିଜେପି ଓ କଂଗ୍ରେସର ନିର୍ବାଚନୀ ଆଭିମୁଖ୍ୟ ଇତ୍ୟାଦି।

ପ୍ରାୟ ପଚାଶଟି ଚିନ୍ତାଶୀଳ ଲେଖାର ସମାହାର  ତିନି ଶହ ପୃଷ୍ଠାର  ଏହି ସଂକଳନରେ ଅନେକ ବିଷୟ ଆଲୋଚନାର ପରିସର ଭିତରକୁ ଆସିଛି।ଏଥିରେ ଇତିହାସ ଅଛି,ସମସାମୟିକ ପ୍ରସଙ୍ଗ ଅଛି, ଐତିହ୍ୟର ସଂରକ୍ଷଣ କଥା ଅଛି,ରାଜନୀତି ଅଛି ଓ ଅଛି ମଧ୍ୟ ଜଣେ ପ୍ରାକ୍ତନ  ପ୍ରଶାସକର  ସମାଜପ୍ରତି ଥିବା କର୍ତ୍ତବ୍ୟବୋଧ ଓ ଅଙ୍ଗୀକାରର ପ୍ରମାଣ ଓ ପରମ୍ପରା ।

ଏହି ସବୁ ପ୍ରବନ୍ଧ ଜରିଆରେ ଲେଖକ  ବିଭିନ୍ନ ସମସ୍ୟା ଓ ପ୍ରସଙ୍ଗକୁ  ଉତ୍ଥାପନ କରିଛନ୍ତି କେବଳ ନୁହେଁ ତାର ସମାଧାନର ବାଟ ବି ଦେଖାଇଛନ୍ତି।ଉଦାହରଣ ସ୍ୱରୂପ, ‘ନବୀନ ବାବୁଙ୍କୁ କିଛି ପରାମର୍ଶ’ ଶୀର୍ଷକ ଲେଖାରେ ସେ ରାଜ୍ୟର ବିକାଶ କଥା ଉଠାଇଛନ୍ତି।ସବୁକଥାରେ କେନ୍ଦ୍ରକୁ ଦୋଷ ନଦେଇ ବାସ୍ତବରେ ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ କଣ କରାଯିବା ଆବଶ୍ୟକ ତାହାର ଏକ ତାଲିକା ସେ ଏହି ଲେଖାରେ  ଦେଇଛନ୍ତି। ନବୀନ  ‘ତିନିଥର ଜିଣି  ରେକର୍ଡ଼ ସୃଷ୍ଟି କଲେଣି।ଓଡ଼ିଶାର ବିକାଶ ଦିଗରେ ସେ ରେକର୍ଡ଼ ସୃଷ୍ଟି କରିପାରିବେ କି ବୋଲି’ ପ୍ରଶ୍ନ କରିଛନ୍ତି ଲେଖକ।ନବୀନ ପଟ୍ଟନାୟକ ଅବଶ୍ୟ  ଇତିମଧ୍ୟରେ ପଞ୍ଚମ ଥର ପାଇଁ ଶାସନ ଭାର ସମ୍ଭାଳିଛନ୍ତି ଏବଂ ଶ୍ରୀ ତ୍ରିପାଠୀ ତାଙ୍କ ଅନ୍ୟ ପ୍ରବନ୍ଧ ଗୁଡ଼ିକରେ ଯେଉଁ ପ୍ରଶାସନିକ ସ୍ଥାଣୁତା ଓ ଶିଥିଳତା କଥା ଉଠାଇଛନ୍ତି ତାହା ଅନେକ ପରିମାଣରେ ହଟିବା ଭଳି ପ୍ରତୀୟମାନ ହେଉଛି।

ଉଲ୍ଲେଖଯୋଗ୍ୟ  ବିଷୟ ହେଲା,ଯେଉଁ ସବୁ ବିଷୟ ଏହି ସଂକଳନରେ ସ୍ଥାନିତ ହୋଇଛି ତାହାର ପ୍ରାସଙ୍ଗିକତା ଏବେ ବି ରହିଛି।ଶ୍ରୀ ତ୍ରିପାଠୀଙ୍କ ଲେଖା ଅତ୍ୟନ୍ତ ସରଳ ଓ ଭାବଗମ୍ଭୀର।ତାଙ୍କର ଇତିହାସ ସଚେତନତା ଅନେକ ପରିମାଣରେ ଲେଖା ଗୁଡିକୁ ଆଗେଇ ନେବାରେ ସହାୟକ ହୋଇଛି।ଲେଖାରେ ଅଯଥା ଗୌରଚନ୍ଦ୍ରିକା ନାହିଁ।ସେ ଯାହା କହିବା ପାଇଁ ଚାହିଁଛନ୍ତି ସିଧାସଳଖ କହିଛନ୍ତି ଓ ରୋକଠୋକ ଭାବରେ ନିଜର ଚିନ୍ତାଧାରାକୁ ପ୍ରକାଶ କରିଛନ୍ତି।

ମୋଟାମୋଟି ଭାବେ, ବର୍ତ୍ତମାନର ବିବାଦିତ  ସମୟରେ  ବିଭିନ୍ନ ପ୍ରସଙ୍ଗ ଓ  ବିଷୟରେ ଅଧିକ ଚିନ୍ତା କରିବା ପାଇଁ ଏହି ସଙ୍କଳନଟି ସହାୟକ ହେବ।ମହାନଦୀ ବୁକ୍ସର ଏହା ଏକ ସାଧୁ ଉଦ୍ୟମ।

ଜାଗରଣ
ଅମିୟ ଭୂଷଣ ତ୍ରିପାଠୀ

ମହାନଦୀ ବୁକ୍ସ

ଓଲଡଟାଉନ,ଭୁବନେଶ୍ୱର
୩୯୫ ଟଙ୍କା

Comment