ଓଡ଼ିଶାଲାଇଭ୍ ବ୍ୟୁରୋ

  • ଆଜି ରାତି ସାରା ଶାସ୍ତ୍ରୀୟ ସଙ୍ଗୀତ
  • ଭୁବନେଶ୍ୱର ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଫିଜିକ୍ସ ଅଡିଟୋରିୟମ୍‌ରେ ‘ଯାମିନି’
  • କାର୍ଯ୍ୟକ୍ରମକୁ ସ୍ପିକ୍‌ମାକେର ପ୍ରତିଷ୍ଠାତା ପ୍ରଫେସର କିରଣ ସେଠ୍‌ କଲେ ଉଦ୍‌ଘାଟନ
  • ୫ ଜଣ ପ୍ରତିଷ୍ଠିତ କଳାସାଧକ କରୁଛନ୍ତି ସଙ୍ଗୀତ ପରିବେଷଣ
  • ଶାସ୍ତ୍ରୀୟ ସଙ୍ଗୀତରେ ଝୁମିବେ ଦର୍ଶକ
  • ସ୍ପିକ୍‌ମାକେ ଫେସ୍‌ବୁକ୍‌ ଓ ଓଡ଼ିଶାଲାଇଭ୍‌ ୟୁଟ୍ୟୁବ୍‌ ଚ୍ୟାନେଲରେ ସିଧାପ୍ରସାରଣ

‘ସ୍ପିକ୍‌ମାକେ’ ପକ୍ଷରୁ ଭୁବନେଶ୍ୱରରେ ଶନିବାର ସନ୍ଧ୍ୟାରୁ ଆରମ୍ଭ ହୋଇଛି ସାରା ରାତି ସଙ୍ଗୀତ କାର୍ଯ୍ୟକ୍ରମ ‘ଯାମିନି’। ଆଚାର୍ଯ୍ୟବିହାରସ୍ଥିତ ଇନଷ୍ଟିଚ୍ୟୁଟ୍‌ ଅଫ ଫିଜିକ୍ସ ଅଡିଟୋରିୟମ୍‌ରେ ଏହି କାର୍ଯ୍ୟକ୍ରମ ଚାଲିଛି। ଆଜି ରାତି ସାରା ଏହି ସଙ୍ଗୀତ କର୍ଯ୍ୟକ୍ରମ ଚାଲିବ।

ଏହି କାର୍ଯ୍ୟକ୍ରମକୁ ସ୍ପିକ୍‌ମାକେର ପ୍ରତିଷ୍ଠାତା ପ୍ରଫେସର କିରଣ ସେଠ୍‌ ଉଦ୍‌ଘାଟନ କରିଛନ୍ତି। ଉଦ୍‌ଘାଟନୀ ଉତ୍ସବରେ ଓଡ଼ିଶା ସରକାରଙ୍କ ଆକାଉଣ୍ଟାଣ୍ଟ ଜେନେରାଲ ଅଶୋକ ପରିଜା, ଆଇଏମ୍‌ଏମ୍‌ଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଏସ୍‌ ବାସୁ, ଏନ୍‌ଆଇଟିର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ସୁନୀଲ ଷଡ଼ଙ୍ଗୀ, ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ପାରମିତା ମହାପାତ୍ର, ସ୍ପିକ୍‌ମାକେ ଓଡ଼ିଶା ଚାପ୍ଟରର ସଂଯୋଜକ ବବିତା ମହାପାତ୍ର ଉପସ୍ଥିତ ଥିଲେ।

ରାତି ସାରା ‘ଯାମିନି’ରେ ଦେଶର ୫ ଜଣ ପ୍ରତିଷ୍ଠିତ କଳାସାଧକ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରିବେ। ହିନ୍ଦୁସ୍ତାନୀ କଣ୍ଠଶିଳ୍ପୀ ପଦ୍ମା ତଲୱାକର, ପଣ୍ଡିତ ଜୟତୀର୍ଥ ମେଭୁନ୍ଦି, ବଂଶୀ ବାଦକ ମଇସୁର ଚନ୍ଦନ କୁମାର, ରୁଦ୍ରବୀଣା ବାଦକ ବାହାଉଦ୍ଦିନ୍‌ ଦଗର, ହିନ୍ଦୁସ୍ତାନୀ କଣ୍ଠଶିଳ୍ପୀ ପରବୀନ ସୁଲତାନାଙ୍କ ଶାସ୍ତ୍ରୀୟ ସଙ୍ଗୀତ ମୂର୍ଚ୍ଛନାରେ ଦର୍ଶକ ଭିଜିବେ।

ଏହି ସଙ୍ଗୀତ ଆସରକୁ ଉପଭୋଗ କରିବା ପାଇଁ ପ୍ରମୁଖ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଏବଂ ସଙ୍ଗୀତ ଅନୁରାଗୀମାନେ ଉପସ୍ଥିତ ଅଛନ୍ତି।

ଦେଶ ବିଦେଶରେ ଥିବା ଦର୍ଶକମାନେ ସ୍ପିକ୍‌ମାକେର ଫେସବୁକ ପେଜ୍‌ (www.facebook.com/spicmacay) ସମେତ ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍ ଚ୍ୟାନେଲ  www.youtube.com/odishalive ମାଧ୍ୟମରେ ଏହି କାର୍ଯ୍ୟକ୍ରମର ଲାଇଭ୍‌ଷ୍ଟ୍ରିମିଂ(ସିଧା ପ୍ରସାରଣ) କରାଯାଉଛି। ଡିଜିଟାଲ ମିଡିଆ ପାର୍ଟନର ଓଡ଼ିଶାଲାଇଭ୍‍ ପକ୍ଷରୁ ଏହି ଲାଇଭ୍‌ ଷ୍ଟ୍ରିମିଂ ସେବା ଯୋଗାଇ ଦିଆଯାଉଛି।

୨୦୧୫ରୁ ସାରା ରାତି ସଙ୍ଗୀତ କାର୍ଯ୍ୟକ୍ରମ ‘ଯାମିନି’ ଆରମ୍ଭ ହୋଇଥିଲା। ଚଳିତ ବର୍ଷ ଏହା ପଞ୍ଚମ ସଂସ୍କରଣ।

Comment