ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶ କରୋନା ମହାମାରୀ ସଙ୍କଟ ଦେଇ ଗତି କରୁଥିବାବେଳେ ଯୁବବର୍ଗଙ୍କୁ ମାନସିକ ପ୍ରୋତ୍ସାହନ ଓ ସାନ୍ତ୍ଵନା ‘ସ୍ପିକ୍ ମାକେ’ ନାମକ ଏକ ସଂସ୍ଥା ଯୋଗାଇ ଆସୁଛି। ଭାରତ ବର୍ଷର ସଂସ୍କୃତି ଓ କଳାକୁ ଯୁବଗୋଷ୍ଠୀଙ୍କ ସାମ୍ନାରେ ପରିବେଷଣ କରି ତାକୁ ବଞ୍ଚାଇ ରଖିବା ସଙ୍ଗେସଙ୍ଗେ ତା’ର ମର୍ଯ୍ୟଦା ବଢ଼ାଇବାର ଭାର ଏହି ସଂସ୍ଥା ନେଇଛି। ଦୀର୍ଘ ୪୪ ବର୍ଷ ଧରି ଏହି ସଂସ୍ଥା ଯୁବସମାଜ ମଧ୍ୟରେ ଆନୁଷ୍ଠାନିକ ଶିକ୍ଷାର ସମୃଦ୍ଧି ପାଇଁ ନିରନ୍ତର ଚେଷ୍ଟା କରିଚାଲିଛି।୨୦୨୦ ମସିହା ଜୁନ୍ ୧ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଅଡିଓ ଭିଡିଓ ବାର୍ତ୍ତା ଦ୍ଵାରା ଅନୁଭବ ୨୦୨୦ର ଉଦ୍ଘାଟନ କରାଯାଇଥିଲା। କେବଳ ଜାତୀୟ ସ୍ତରରେ ନୁହେଁ, ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ପ୍ରାୟ ୨ଲକ୍ଷ ଯୁବକ ଯୁବତିୀ ଏଥିରେ ସାମିଲ ହେବାପାଇଁ ପଞ୍ଜୀକରଣ କରିଥିଲେ। ସ୍ପିକ୍ ମାକେର ପ୍ରଶଂସନୀୟ ପଦକ୍ଷେପ ପାଇଁ ଅଭିନନ୍ଦନ ଜଣାଇଥିଲେ ପ୍ରଧାନମନ୍ତ୍ରୀ।ଅନୁଭବ ୨୦୨୦ର ସଫଳ ନିଷ୍ପାଦନ ପରେ ସ୍ପିକ୍ ମାକେ ପକ୍ଷରୁ ଚଳିତ ମାସରେ ଦ୍ଵିତୀୟ ସଂସ୍କରଣ ପ୍ରସାରଣ କରାଯିବ। ଏହି କାର୍ଯ୍ୟକ୍ରମ ଜୁନ୍ ୨୧ରୁ ଜୁନ୍ ୨୭ ପର୍ଯ୍ୟନ୍ତ ୟୁଟ୍ୟୁବରେ ସିଧାପ୍ରସାରଣ କରାଯିବ ବୋଲି ବ୍ୟବସ୍ଥା ରହିଛି। ଯେଉଁମାନେ ଏହି କାର୍ଯ୍ୟକ୍ରମ ଦେଖିବାକୁ ଚାହୁଁଛନ୍ତି, ସେମାନେ https://www.youtube.com/user/spicmacay ଲିଙ୍କ ଜରିଆରେ ଦେଖିପାରିବେ।

ସ୍ପିକ୍ ମାକେ ଦ୍ଵରା ଆୟୋଜିତ ଏହି କାର୍ଯ୍ୟକ୍ରମ ଯୁବସମାଜର ସୃଜନଶୀଳ ପାର୍ଶ୍ୱକୁ ଜୀବନ୍ତ କରିବାର ଲକ୍ଷ୍ୟ ନେଇ ପରିକଳ୍ପିତ। ଏଥିସହ ଘଡ଼ିସନ୍ଧି ମୁହୂର୍ତ୍ତରେ ଛାତ୍ର ଜୀବନକୁ ଚାପମୁକ୍ତ କରି ଉପଯୋଗୀ ଦିଗରେ ଆଗେଇ ନେବାକୁ ଏହାର ନିଃ ସ୍ୱାର୍ଥପର ଚେଷ୍ଟା। ଘରେ ରହି ଗୁରୁକୁଳ ଅନୁଶାସନର ଅଭିଜ୍ଞତା ପାଇବାର ଏହା ହେଉଛି ଏକ ନିଆରା ବାଟ।ଭୋର ୪ଟାରୁ ଯୋଗ ଅଧବେଶନରୁ ମଧ୍ୟରାତ୍ରି ସଙ୍ଗୀତ ମହୋତ୍ସବ ପର୍ଯ୍ୟନ୍ତ ଯୁବଗୋଷ୍ଠୀଙ୍କୁ ପ୍ରେରିତ କରିବାର ଲକ୍ଷ୍ୟ ନେଇ ସ୍ପିକ୍ ମାକେ, ଅନୁଭବ ୨୦୨୧କାର୍ଯ୍ୟକ୍ରମ କରିବାର ବ୍ୟବସ୍ଥା ରହିଛି। ଏଥିରେ ଅନନ୍ୟ ବ୍ୟକ୍ତିବିଶେଷଙ୍କ ସମେତ କଳାକାରମାନେ ସାମିଲ ହୋଇ ଯୁବଗୋଷ୍ଠୀଙ୍କୁ ପ୍ରେରିତ କରିବେ। ଭାରତବର୍ଷର ଐତିହ୍ୟ, କଳା, ସଂସ୍କୃତି ବିଷୟରେ ଯୁବବର୍ଗଙ୍କୁ ସଚେତନ କରାଇବା ଏହି କାର୍ଯ୍ୟକ୍ରମର ଆଉ ଏକ ଲକ୍ଷ୍ୟ। ଆସନ୍ତା ଜୁନ୍ ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବା ସାଂସ୍କୃତିକ ପରୀକ୍ଷଣ ମାଧ୍ୟମରେ ସମସ୍ତଙ୍କ ମନରେ ଏକ ସକାରାତ୍ମକ ଭାବ ସୃଷ୍ଟି ହୋଇପାରିବ ବୋଲି ଆଶା ରଖିଛି ସ୍ପିକ୍ ମାକେ ସଂସ୍ଥା।

Comment