ଓଡ଼ିଶାଲାଇଭ୍‍ ବ୍ୟୁରୋ

ଭାରତୀୟ କଳା ଓ ସଂସ୍କୃତି, ବିଶେଷକରି ବିଭିନ୍ନ ପର୍‌ଫର୍ମିଂ ଆର୍ଟ୍‌ସ ଧାରାକୁ ନୂଆ ପିଢ଼ି ସହିତ ଯୋଡ଼ିବା ପାଇଁ ଉଦ୍ୟମ କରିଆସୁଥିବା ‘ସ୍ପିକ୍‌ମାକେ’ ପକ୍ଷରୁ ଭୁବନେଶ୍ୱରରେ ହେବାକୁ ଯାଉଛି ଅଲ୍‌-ନାଇଟ୍‍ କନ୍‌ସର୍ଟ ‘ୟାମିନି’। ଏହି ବିଶେଷ ଶାସ୍ତ୍ରୀୟ ସଙ୍ଗୀତ ଓ ନୃତ୍ୟ କାର୍ଯ୍ୟକ୍ରମ ଆଚାର୍ଯ୍ୟବିହାରସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‍ ଅଫ୍‍ ଫିଜିକ୍‌ସ ଅଡିଟୋରିୟମ୍‌ରେ ୨୮ ତାରିଖରେ ସାରା ରାତି ପରିବେଷିତ ହେବ।
ଦେଶବିଦେଶରେ ଥିବା ଦର୍ଶକମାନେ ସ୍ପିକ୍‌ମାକେର ଫେସବୁକ ପେଜ୍‌ (www.facebook.com/spicmacay) ମାଧ୍ୟମରେ ଏହି କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ଲାଇଭ୍‌ଷ୍ଟ୍ରିମିଂ ମଧ୍ୟ ଦେଖିପାରିବେ। ଡିଜିଟାଲ ମିଡିଆ ପାର୍ଟନର ଓଡ଼ିଶାଲାଇଭ୍‍ ପକ୍ଷରୁ ଏହି ଷ୍ଟ୍ରିମିଂ ସେବା ଯୋଗାଇ ଦିଆଯାଉଛି।
“ୟାମିନି ହେଉଛି ସ୍ପିକ୍‌ମାକେର ଏକ ବିଶେଷ ପ୍ରଚେଷ୍ଟା। ଏହା ମାଧ୍ୟମରେ ବିଭିନ୍ନ ଭାରତୀୟ ଶାସ୍ତ୍ରୀୟ ଧାରାକୁ ଛାତ୍ର ଓ ଯୁବକମାନଙ୍କ ପାଖରେ ପହଞ୍ଚାଇବାକୁ ଅନୁଷ୍ଠାନ ଉଦ୍ୟମ କରିଆସୁଛୁ। ଓଡ଼ିଶା ଚାପ୍‍ଟର୍‌ ପକ୍ଷରୁ ୨୦୧୫ ମସିହାରେ ପ୍ରଥମେ ୟାମିନି ଆୟୋଜିତ ହୋ‍ଇଥିଲା। ଚଳିତ ବର୍ଷ ଏହାର ତୃତୀୟ ସଂସ୍କରଣ ହେବାକୁ ଯାଉଛି”, କହିଛନ୍ତି ସ୍ପିକ୍‌ମାକେ ଓଡ଼ିଶା ଚାପଟରର ସଂଯୋଜିକା ବବିତା ମିଶ୍ର।
ଏହି କାର୍ଯ୍ୟକ୍ରମରେ ଯେକୌଣସି କଳା ଓ ସଂସ୍କୃତିପ୍ରେମୀ ଯୋଗ ଦେଇପାରିବେ ବୋଲି ଓଡ଼ିଶାଲାଇଭ୍‌କୁ ସେ ସୂଚନା ଦେଇଛନ୍ତି। ସନ୍ଧ୍ୟା ୭ଟାରୁ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ସାରା ରାତି ଚାଲିବ ଏବଂ ଜଣକ ପରେ ଜଣେ ଶିଳ୍ପୀ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିବେ।
ଚଳିତ ବର୍ଷ ‘ୟାମିନି’ରେ ଦେଶର ୫ ଜଣ ପ୍ରତିଷ୍ଠିତ କଳାସାଧକ ବିଭିନ୍ନ ଭାରତୀୟ ଶାସ୍ତ୍ରୀୟ ଧାରା ଉପସ୍ଥାପନ କରିବେ। ସେମାନଙ୍କ ମଧ୍ୟରେ ଅଛନ୍ତି କର୍ଣ୍ଣାଟକୀ ଭାୟୋଲିନ ବାଦକ ଡକ୍ଟର ଏଲ୍‌ ସୁବ୍ରମଣ୍ୟମ୍‍, ଭାରତନାଟ୍ୟମ ଶିଳ୍ପୀ ଗୀତା ଚନ୍ଦ୍ରନ୍‌, ସୀତାରବାଦକ ନିଶାତ ଖାନ୍‍, ହିନ୍ଦୁସ୍ଥାନୀ କଣ୍ଠଶିଳ୍ପୀ ମଞ୍ଜୁଷା ପାଟିଲ କୁଲକର୍ଣ୍ଣୀ ଏବଂ ଧ୍ରୁପଦସାଧକ ଏଫ୍‌ ୱାସିଫୁଦ୍ଦିନ ଡଗର। ଏହି ଶିଳ୍ପୀମାନେ ନିଜ ନିଜ କ୍ଷେତ୍ରରେ ସେମାନଙ୍କର ଦକ୍ଷତା ଓ ବିରଳ ସାଧନା ପାଇଁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ବେଶ୍‌ ନାଁ କମାଇଛନ୍ତି।
“ଶାସ୍ତ୍ରୀୟ ସଙ୍ଗୀତର ଧାରା ମଧ୍ୟରେ ଏଭଳି କେତେକ ରାଗ ରହିଛି ଯାହା ନିର୍ଦ୍ଦିଷ୍ଟ ସମୟରେ ଗାନ କରାଯାଏ। ବିଶେଷକରି କେତେକ ରାଗ ରାତ୍ରି ସମୟରେ ଗାନ କରାଯାଉଥିବାରୁ ‘ୟାମିନି’ କାର୍ଯ୍ୟକ୍ରମରେ ତାହା ଉପସ୍ଥାପନ କରିବା ଏକ ଅପୂର୍ବ ସଂଯୋଗ ଭାବେ ବିଚାର କରାଯାଇପାରେ। କେବଳ ତାହା ନୁହେଁ, ଅନେକ ଲୁପ୍ତପ୍ରାୟ ରାଗକୁ ପୁଣିଥରେ ଶ୍ରୋତାମାନଙ୍କ ନିକଟରେ ଜୀବନ୍ତକରି ରଖିବାକୁ ସ୍ପିକ୍‌ମାକେ ପକ୍ଷରୁ ଉଦ୍ୟମ କରାଯାଉଛି”, କହିଛନ୍ତି ଶ୍ରୀମତି ମିଶ୍ର।
ସ୍ପିକ୍‌ମାକେ ଓଡ଼ିଶା ଚାପ୍‍ଟର ଗତ କିଛି ବର୍ଷ ଧରି ବେଶ୍‍ ସକ୍ରିୟ ରହିଛି। ଶିକ୍ଷାବିତ୍‍ ପ୍ରଫେସର ଧନଦାକାନ୍ତ ମିଶ୍ର ବର୍ତ୍ତମାନ ଏହାର ସଭାପତି ରହିଥିବା ବେଳେ ରାଜ୍ୟର ଅନେକ କଳା ଓ ସଂସ୍କୃତିପ୍ରେମୀ ବ୍ୟକ୍ତି ଏହା ସହିତ ଯୋଡ଼ି ହୋ‌ଇଛନ୍ତି।  ବିଶେଷକରି ସ୍ପିକ୍‌ମାକେ ସହିତ ସମ୍ପୃକ୍ତ ଛାତ୍ର-ସ୍ୱେଚ୍ଛାସେବୀମାନେ ଏହାର ପ୍ରସାର ଓ ପରିଚାଳନା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛନ୍ତି।
ଏହି ବିଶେଷ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦେଶବିଦେଶର ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଓଡ଼ିଶାଲାଇଭ୍‍ ପକ୍ଷରୁ ଉଦ୍ୟମ କରାଯାଉଛି। ଦର୍ଶକମାନେ www.odisha.live/yamini ୱେବ୍‌ପେଜ ମାଧ୍ୟମରେ ଏହାର ସିଧା ପ୍ରସାରଣ ମୋବାଇଲ୍‌ରେ ମଧ୍ୟ ଦେଖିପାରିବେ।

Comment