ଓଡ଼ିଶାଲାଇଭ୍‌ ବ୍ୟୁରୋ

 ‘ସ୍ପିକ୍‌ମାକେ’ ଓଡ଼ିଶା ଚାପ୍ଟର ପକ୍ଷରୁ ଭୁବନେଶ୍ୱରରେ ଶନିବାର ସନ୍ଧ୍ୟାରୁ ଆରମ୍ଭ ହୋଇଛି ଅଲ୍‌-ନାଇଟ୍‍ କନ୍‌ସର୍ଟ ‘ୟାମିନି’ – ୨୦୧୮। ଆଚାର୍ଯ୍ୟବିହାରସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‍ ଅଫ୍‍ ଫିଜିକ୍‌ସ ଅଡିଟୋରିୟମ୍‌ରେ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ଏହି ଅବସରରେ ରାତି ତମାମ୍ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରାଯିବ।

ଏହି ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମକୁ ସ୍ପିକ୍‌ମାକେର ଫାଉଣ୍ଡର ଚେୟାରମ୍ୟାନ୍ ପ୍ରଫେସର କିରଣ ସେଠ୍‌ ଏବଂ ଅରୁଣ ସହାୟ ଉଦଘାଟନ କରିଛନ୍ତି। ସନ୍ଧ୍ୟା ୭ଟାରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ ରାତି ସାରା ଚାଲିବ। ଭାରତର ପ୍ରସିଦ୍ଧ ସଙ୍ଗୀତଜ୍ଞଙ୍କ ଶାସ୍ତ୍ରୀୟ ସଙ୍ଗୀତ ମୁର୍ଚ୍ଛନାରେ ଭିଜିବେ ଦର୍ଶକ। ଏହି ସଙ୍ଗୀତ ଆସରକୁ ଉପଭୋଗ କରିବା ପାଇଁ ପ୍ରମୁଖ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଏବଂ ସଙ୍ଗୀତ ଅନୁରାଗୀମାନେ ଉପସ୍ଥିତ ଅଛନ୍ତି।

“ସ୍ପିକ୍‌ମାକେ ଏକ ଆନ୍ଦୋଳନରେ ପରିଣତ ହୋଇଛି। ଗତ ୪୧ ବର୍ଷ ହେଲା ଭାରତ ତଥା ଭାରତ ବାହାରେ ଶାସ୍ତ୍ରୀୟ ସଙ୍ଗୀତ ପ୍ରତି ଛାତ୍ରଛାତ୍ରୀ ଏବଂ ଯୁବପିଢ଼ିଙ୍କ ମନରେ ଜାଗରଣ ସୃଷ୍ଟି କରିବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଉଦ୍ୟମ ସଫଳ ହୋଇଛି। ଗତବର୍ଷ ଭୁବନେଶ୍ୱରରେ ସଫଳତାର ସହ ‘ୟାମିନି’ ଆୟୋଜିତ ହେବା ପରେ ଚଳିତ ବର୍ଷ ମଧ୍ୟ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ, ଯୁବପିଢ଼ି ଏବଂ ସଙ୍ଗୀତପ୍ରେମୀଙ୍କ ମନକୁ ଛୁଇଁଥିବା ଜଣାପଡ଼ୁଛି”, କହିଛନ୍ତି ଅରୁଣ ସହାୟ।

ଦେଶ ବିଦେଶରେ ଥିବା ଦର୍ଶକମାନେ ସ୍ପିକ୍‌ମାକେର ଫେସବୁକ ପେଜ୍‌ (www.facebook.com/spicmacay) ସମେତ ଓଡ଼ିଶା ଲାଇଭ୍‌ର ନ୍ୟୁଜ୍‌ ପୋଟାଲ (www.odisha.live) ଏବଂ ୟୁଟ୍ୟୁବ୍ ଚ୍ୟାନେଲ  www.youtube.com/odishalive ମାଧ୍ୟମରେ ଏହି କାର୍ଯ୍ୟକ୍ରମର ଲାଇଭ୍‌ଷ୍ଟ୍ରିମିଂ(ସିଧା ପ୍ରସାରଣ) କରାଯାଉଛି। ଡିଜିଟାଲ ମିଡିଆ ପାର୍ଟନର ଓଡ଼ିଶାଲାଇଭ୍‍ ପକ୍ଷରୁ ଏହି ଲାଇଭ୍‌ ଷ୍ଟ୍ରିମିଂ ସେବା ଯୋଗାଇ ଦିଆଯାଉଛି।

ଚଳିତବର୍ଷ ‘ୟାମିନି’ରେ ଦେଶର ୫ ଜଣ ପ୍ରତିଷ୍ଠିତ କଳାସାଧକ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରିବେ। ସେମାନଙ୍କ ମଧ୍ୟରେ ଅଛନ୍ତି ଘଟମ୍‌ ବାଦକ ବିଦ୍ୱାନ ଭିକୁ ବିନାୟକ ରାମ୍, ସୀତାର ବାଦକ ପୂର୍ବାୟନ ଚାଟାର୍ଜୀ, ହିନ୍ଦୁସ୍ତାନୀ କଣ୍ଠଶିଳ୍ପୀ ବିଦୁଷୀ ଭିଡେ ଦେଶପାଣ୍ଡେ, ସାରଙ୍ଗୀ ବାଦକ ଉସ୍ତାଦ ସବିର ଖାନ୍‌, ହିନ୍ଦୁସ୍ତାନୀ କଣ୍ଠଶିଳ୍ପୀ ଉସ୍ତାଦ ରାଜା ମିଆଁ। ଏହି ଶିଳ୍ପୀମାନେ ନିଜ ନିଜ କ୍ଷେତ୍ରରେ ସେମାନଙ୍କର ଦକ୍ଷତା ଓ ବିରଳ ସାଧନା ପାଇଁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ବେଶ୍‌ ନାଁ କମାଇଛନ୍ତି।

“ୟାମିନି ହେଉଛି ସ୍ପିକ୍‌ମାକେର ଏକ ଅଭିନବ ପ୍ରୟାସ। ଏହା ମାଧ୍ୟମରେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତକୁ ଛାତ୍ର ଓ ଯୁବକମାନଙ୍କ ପାଖରେ ପହଞ୍ଚାଇବାକୁ ଆମେ ଉଦ୍ୟମ କରିଆସୁଛୁ। ଓଡ଼ିଶା ଚାପ୍‍ଟର୍‌ ପକ୍ଷରୁ ୨୦୧୫ ମସିହାରେ ପ୍ରଥମେ ୟାମିନି ଆୟୋଜିତ ହୋ‍ଇଥିଲା। ଚଳିତ ବର୍ଷ ଏହାର ଚତୁର୍ଥ ସଂସ୍କରଣ ଆୟୋଜନ କରାଯାଉଛି”, କହିଛନ୍ତି ସ୍ପିକ୍‌ମାକେ ଓଡ଼ିଶା ଚାପ୍ଟରର ସଂଯୋଜିକା ବବିତା ମିଶ୍ର।

ଭାରତୀୟ କଳା ଓ ସଂସ୍କୃତି, ବିଶେଷକରି ବିଭିନ୍ନ ପର୍‌ଫର୍ମିଂ ଆର୍ଟ୍‌ସ ଧାରାକୁ ନୂଆ ପିଢ଼ି ସହିତ ଯୋଡ଼ିବା ପାଇଁ ଉଦ୍ୟମ କରିଆସୁଛି ‘ସ୍ପିକ୍‌ମାକେ’। ସ୍ପିକ୍‌ମାକେ ଓଡ଼ିଶା ଚାପ୍‍ଟର ଗତ କିଛି ବର୍ଷ ଧରି ବେଶ୍‍ ସକ୍ରିୟ ରହିଛି। ରାଜ୍ୟର ଅନେକ କଳା ଓ ସଂସ୍କୃତିପ୍ରେମୀ ବ୍ୟକ୍ତି ଏହା ସହିତ ଯୋଡ଼ି ହୋ‌ଇଛନ୍ତି। ଏହି ବିଶେଷ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦେଶବିଦେଶର ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଓଡ଼ିଶାଲାଇଭ୍‍ ପକ୍ଷରୁ ଉଦ୍ୟମ କରାଯାଉଛି।

Comment