ଓଡ଼ିଶାଲାଇଭ୍ ବ୍ୟୁରୋ
- ‘ସ୍ପିକ୍ମାକେ’ ପକ୍ଷରୁ ସାରା ରାତି ସଙ୍ଗୀତ କର୍ଯ୍ୟକ୍ରମ ‘ଯାମିନି’
- ଭୁବନେଶ୍ୱର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫିଜିକ୍ସ ଅଡିଟୋରିୟମ୍ରେ ସାରା ରାତି ସଙ୍ଗୀତ
- ସନ୍ଧ୍ୟା ୭ଟାରୁ ସାରା ରାତି ଚାଲିବ କାର୍ଯ୍ୟକ୍ରମ
- ୫ ଜଣ ପ୍ରତିଷ୍ଠିତ କଳାସାଧକ କରିବେ ସଙ୍ଗୀତ ପରିବେଷଣ
- ସ୍ପିକ୍ମାକେ ଫେସ୍ବୁକ୍ ଓ ଓଡ଼ିଶାଲାଇଭ୍ ୟୁଟ୍ୟୁବ୍ ଚ୍ୟାନେଲରେ ସିଧାପ୍ରସାରଣ
ଭାରତୀୟ କଳା ଓ ସଂସ୍କୃତି, ବିଶେଷକରି ବିଭିନ୍ନ ପର୍ଫର୍ମିଂ ଆର୍ଟ୍ସ ଧାରାକୁ ନୂଆ ପିଢ଼ି ସହିତ ଯୋଡ଼ିବା ପାଇଁ ଉଦ୍ୟମ କରିଆସୁଥିବା ‘ସ୍ପିକ୍ମାକେ’ ପକ୍ଷରୁ ଭୁବନେଶ୍ୱରରେ ହେବାକୁ ଯାଉଛି ସାରା ରାତି ସଙ୍ଗୀତ କର୍ଯ୍ୟକ୍ରମ ‘ଯାମିନି’।
ଏହି ବିଶେଷ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ ଆଚାର୍ଯ୍ୟବିହାରସ୍ଥିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫିଜିକ୍ସ ଅଡିଟୋରିୟମ୍ରେ ଆଜି ସାରା ରାତି ପରିବେଷିତ ହେବ।
ଦେଶ ବିଦେଶରେ ଥିବା ଦର୍ଶକମାନେ ସ୍ପିକ୍ମାକେର ଫେସବୁକ ପେଜ୍ (www.facebook.com/spicmacay) ସମେତ ଓଡ଼ିଶାଲାଇଭ୍ର ୟୁଟ୍ୟୁବ୍ ଚ୍ୟାନେଲ (www.youtube.com/odishalive) ମାଧ୍ୟମରେ ଏହି କାର୍ଯ୍ୟକ୍ରମର ଲାଇଭ୍ଷ୍ଟ୍ରିମିଂ (ସିଧାପ୍ରସାରଣ) ମଧ୍ୟ ଦେଖିପାରିବେ। ଡିଜିଟାଲ ମିଡିଆ ପାର୍ଟନର ଓଡ଼ିଶାଲାଇଭ୍ ପକ୍ଷରୁ ଏହି ଲାଇଭ୍ ଷ୍ଟ୍ରିମିଂ ସେବା ଯୋଗାଇ ଦିଆଯାଉଛି।
ସନ୍ଧ୍ୟା ୭ଟାରୁ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ସାରା ରାତି ଚାଲିବ ଏବଂ ଜଣକ ପରେ ଜଣେ ଶିଳ୍ପୀ ସଙ୍ଗୀତ ପରିବେଷଣ କରିବେ।
ଚଳିତବର୍ଷ ‘ଯାମିନି’ରେ ଦେଶର ୫ ଜଣ ପ୍ରତିଷ୍ଠିତ କଳାସାଧକ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରିବେ। ସେମାନଙ୍କ ମଧ୍ୟରେ ଅଛନ୍ତି ହିନ୍ଦୁସ୍ତାନୀ କଣ୍ଠଶିଳ୍ପୀ ପଦ୍ମା ତଲୱାକର, ପଣ୍ଡିତ ଜୟତୀର୍ଥ ମେଭୁନ୍ଦି, ବଂଶୀ ବାଦକ ମଇସୁର ଚନ୍ଦନ କୁମାର, ରୁଦ୍ରବୀଣା ବାଦକ ବାହାଉଦ୍ଦିନ୍ ଦଗର, ହିନ୍ଦୁସ୍ତାନୀ କଣ୍ଠଶିଳ୍ପୀ ପରବୀନ ସୁଲତାନା। ଏହି ଶିଳ୍ପୀମାନେ ନିଜ ନିଜ କ୍ଷେତ୍ରରେ ସେମାନଙ୍କର ଦକ୍ଷତା ଓ ବିରଳ ସାଧନା ପାଇଁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ବେଶ୍ ନାଁ କମାଇଛନ୍ତି।
ସାରା ରାତି ସଙ୍ଗୀତ କର୍ଯ୍ୟକ୍ରମ ‘ଯାମିନି’ ରେ ସ୍ପିକ୍ମାକେ ପ୍ରତିଷ୍ଠାତା ପ୍ରଫେସର ଡାକ୍ତର କିରଣ ସେଠ୍ ଏବଂ ଓଡ଼ିଶା ଚାପ୍ଟର ସଂଯୋଜିକା ବବିତା ମିଶ୍ର ଉପସ୍ଥିତ ରହିବେ।
୨୦୧୫ ମସିହାରେ ପ୍ରଥମେ ଯାମିନି ଆୟୋଜିତ ହୋଇଥିଲା। ଚଳିତ ବର୍ଷ ଏହାର ପଞ୍ଚମ ସଂସ୍କରଣ ହେବାକୁ ଯାଉଛି।
ଦୀର୍ଘ ଚାଳିଶ ବର୍ଷରୁ ଅଧିକ ସମୟ ଧରି ଭାରତ ଏବଂ ଭାରତ ବାହାରେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ, ଲୋକକଳା ଏବଂ ସଂସ୍କୃତି, ବିଶେଷକରି ବିଭିନ୍ନ ପର୍ଫର୍ମିଂ ଆର୍ଟ୍ସ ଧାରାକୁ ନୂଆ ଯୁବପିଢ଼ିଙ୍କ ସହିତ ଯୋଡ଼ିବା ପାଇଁ ପ୍ରଚେଷ୍ଟା ଚଲାଇଛି ‘ସ୍ପିକ୍ମାକେ’।