ଓଡ଼ିଶାଲାଇଭ ବ୍ୟୁରୋ

ବର୍ଷେକି ଦୁଇ ବର୍ଷ ନୁହେଁ, ଦୀର୍ଘ ୧୪ ବର୍ଷ ପରେ ହଜିଲା ପୁଅକୁ ଖୋଜି ପାଇଛନ୍ତି ପରିବାର ଲୋକ। ୫ବର୍ଷ ତଳେ ପୁଅର ମୃତ୍ୟୁ ଖବର ପାଇ ପରିବାର ଲୋକ ପୁରୀରେ ଶୁଦ୍ଧିକ୍ରିୟା ମଧ୍ୟ କରିଦେଇଥିଲେ। ହେଲେ ଶନିବାର ରାତିରେ ସେହି ହଜିଲା ପୁଅ ଘରକୁ ଫେରି ପରିବାର ଲୋକଙ୍କୁ ଚକିତ କରିଦେଇଛି।

ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସହରରେ। ଏହି ଘଟଣା ବର୍ତ୍ତମାନ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ୧୪ ବର୍ଷ ତଳେ ହଜି ଯାଇଥିବା ପୁଅ ଅନିଲ ମୁନିକୁ ପାଇ ପରିବାରରେ ଖୁସିର ଲହରି ଖେଳିଯାଇଛି। ଏହାସହ ପୁଅକୁ ପାଇବା ପରେ ମା’ ଉର୍ମିଳାଙ୍କ ଛାତି ମଧ୍ୟ କୁଣ୍ଢେମୋଟ ହୋଇଯାଇଛି।

ପ୍ରାୟ ୧୪ ବର୍ଷ ତଳେ ଅର୍ଥାତ୍‌ ୨୦୦୫ ମସିହାରେ ସ୍ଵର୍ଗତ ଲକ୍ଷ୍ମଣ ମୁନିଙ୍କ ମଝିଆ ପୁଅ ଅନିଲ ମୁନି ଘରୁ କେଉଁ ଆଡ଼େ ଚାଲିଯାଇଥିଲେ। ପରିବାର ଲୋକ ତାଙ୍କୁ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ପାଇନଥିଲେ। ଏହା ମଧ୍ୟରେ ୫ ବର୍ଷ ତଳେ ଦୁଇ ଜଣ ବ୍ୟକ୍ତି ଅନୀଲଙ୍କ ମୃତ୍ୟୁ ହୋଇଥିବା ଖବର ତାଙ୍କ ଘରେ ଦେଇଥିଲେ।

ପୁଅର ଶବ ନପାଇ ପରିବାର ଲୋକ ଶୁଦ୍ଧିକ୍ରିୟା କରିଦେଇଥିଲେ। ହେଲେ ଶନିବାର କାଲି ରାତି ୧୦ଟାରେ ଅନିଲ ଘରେ ପହଞ୍ଚି ଯାଇଥିଲେ। ପୁଅକୁ ପ୍ରଥମ ଦେଖାରେ ମା’ ଚିହ୍ନି ପାରି କାନ୍ଦି ପକାଇଥିଲେ। ଅନିଲ ଦିଲ୍ଲୀରେ ରହି ଏକ ଘରୋଇ କମ୍ପାନିରେ କାମ କରୁଛନ୍ତି।

Comment