ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

କେନ୍ଦ୍ରାପଡ଼ା କ୍ରେଡିଟ୍‌ କୋ-ଅପରେଟିଭ୍‌ ସୋସାଇଟିରେ ମହିଳା କର୍ମଚାରୀଙ୍କୁ ଯୌନ ଶୋଷଣ ଅଭିଯୋଗ ନେଇ ସାରା ରାଜ୍ୟ ଉଠୁଛି ପଡୁଛି। ମିଡିଆ ଏବଂ ସୋସିଆଲ ମିଡିଆରେ ଅଡିଓ ଟେପ୍‌ ଭାଇରାଲ୍‌ ହେବା ପରେ ସୋସାଇଟିର ସଭାପତି ପ୍ରମୋଦ ସାହୁ ଜେଲ୍‌ ଯିବା ପରେ ବିଜେଡି ତାଙ୍କ ହାତ ଛାଡ଼ିଦେଇଛି।

ଗତ ତିନି ଦିନ ହେଲା ମିଡିଆରେ ଅଡିଓ ଟେପ୍‌ ଘୂରି ବୁଲୁଥିଲା। ବିଜେଡିର ରାଜ୍ୟ ସମ୍ପାଦକ ଥିବା ପ୍ରମୋଦ ସାହୁଙ୍କ ଏଭଳି କାରନାମାରେ ରାଜନୀତି କରିଡର ହୁଲସ୍ତୁଲ ହୋଇଥିଲା। ହେଲେ ବିଜେଡି ତରଫରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନଥିଲା। କିନ୍ତୁ ଯେତେବେଳେ ଅଡୁଆ ବଢ଼ିଲା ଏବଂ ପ୍ରମୋଦଙ୍କୁ ପୋଲିସ ଗିରଫ କଲା ସେତେବେଳେ ବିଜେଡି ତାଙ୍କ ହାତ ଛାଡ଼ିଦେବା ଘଟଣା ରାଜନୀତିକୁ ଭିନ୍ନ ମୋଡ଼ ଦେଇଛି।

ପ୍ରମୋଦଙ୍କୁ କେନ୍ଦ୍ରାପଡ଼ା ପୋଲିସ୍‌ ରବିବାର ରାତିରେ ଉଠାଇ ନେଇଥିଲା। ଗିରଫ କରି କୋର୍ଟ ଚାଲାଣ କରିବା ପରେ ଆଜି ବିଜେଡି ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତି ଦିଆଯାଇ ପ୍ରମୋଦଙ୍କ ସହ ଦଳର କୌଣସି ସମ୍ପର୍କ ନାହିଁ ବୋଲି ସ୍ପଷ୍ଟୀକରଣ ଦିଆଯାଇଛି। ପ୍ରମୋଦ ବିଜେଡିର ରାଜ୍ୟ ସମ୍ପାଦକ ପଦରୁ ଦୀର୍ଘଦିନ ହେଲା ଇସ୍ତଫା ଦେଇଥିବା ମୁଖପାତ୍ର ଲେନିନ ମହାନ୍ତି ସୂଚନା ଦେଇଛନ୍ତି।

ବିଜେଡିର ଏହି ସଫେଇ ପରେ ଏବେ ପ୍ରଶ୍ନ ଉଠୁଛି ଯେ ବିଜେଡିର ରାଜ୍ୟ ସମ୍ପାଦକ ପଦବୀରେ କେବେ ପ୍ରମୋଦ ସାହୁଙ୍କୁ ନିଯୁକ୍ତି ଦିଆଗଲା? କେବେ ସେ ଏହି ପଦବୀରୁ ଇସ୍ତଫା ଦେଲେ? ଗତ ପାଞ୍ଚ ମାସ ତଳେ ହୋଇଥିବା ସାଧାରଣ ନିର୍ବାଚନ ବେଳେ ପ୍ରମୋଦ ସକ୍ରିୟ ଥିଲେ। କେନ୍ଦ୍ରାପଡ଼ା ଲୋକସଭା ଟିକେଟ ରେସ୍‌ରେ ରହିଥିଲେ।

ଟିକେଟ ମିଳି ନଥିଲେ ମଧ୍ୟ ସେ ପ୍ରାର୍ଥୀଙ୍କ ପାଇଁ ପ୍ରଚାରରେ ଲାଗିଥିଲେ। ତେବେ ସେ କେଉଁ ତାରିଖରେ ଏବଂ କେଉଁ ପରିସ୍ଥିତିରେ ବିଜେଡି ସମ୍ପାଦକ ପଦବୀରୁ ଇସ୍ତଫା ଦେଲେ ସେନେଇ ଦଳ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆ ନଯିବା ଅଧିକ ଚାଞ୍ଚଲ୍ୟ ସୃଷ୍ଟି କରିଛି। ବିରୋଧୀଙ୍କ ଟାର୍ଗେଟରୁ ବର୍ତ୍ତିବା ପାଇଁ ବିଜେଡି ପାଣିପାଗ ଦେଖି ପ୍ରମୋଦଙ୍କ ହାତ ଛାଡ଼ିଦେଲା କି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଛାତ୍ର ରାଜନୀତିରୁ ଜନତା ଦଳ ସହ ଜଡ଼ିତ ହୋଇ ରହିଥିଲେ ପ୍ରମୋଦ ସାହୁ। ବିଜୁ ପଟ୍ଟନାୟକଙ୍କ ଅନୁଗତ ଭାବେ ସେ ବେଶ୍‌ ପରିଚିତ ଥିଲେ। ବିଜୁଙ୍କ ଦେହାନ୍ତ ପରେ ଗଠନ ହୋଇଥିବା ବିଜୁ ଜନତା ଦଳରେ ପ୍ରମୋଦ ଅଲୋଡ଼ା ହୋଇ ରହିଥିଲେ। ଏହାର କାରଣ ପ୍ୟାରି ଫ୍ୟାକ୍ଟର ବୋଲି କୁହାଯାଉଛି। ୨୦୧୪ ନିର୍ବାଚନରେ ପ୍ରମୋଦ ବିଜେଡି ଟିକେଟ ଲବି କରିଥିଲେ। କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଲଢ଼ିବା ପାଇଁ ସେ ବିଜେଡି ଟିକେଟ ଦାବିଦାର ଥିଲେ। ହେଲେ ବୈଜୟନ୍ତ ପଣ୍ଡା ବାଜି ମାରିନେବାରୁ ପ୍ରମୋଦ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିଥିଲେ।

ହେଲେ ୨୦୧୪ ନିର୍ବାଚନ ପରେ ବୈଜୟନ୍ତ ଓ ବିଜେଡି ଭିତରେ ଦୂରତା ବଢ଼ିଥିଲା। ବୈଜୟନ୍ତ ବିଜେପି ଆଡ଼କୁ ଢଲୁଥିବାରୁ ବିଜେଡି କେନ୍ଦ୍ରାପଡ଼ାରେ ନେତା ଖୋଜିଥିଲା। ଶେଷରେ ୨୦୧୫ରେ ତୃତୀୟ ମହଲାରୁ ପ୍ରମୋଦଙ୍କୁ ଡକରା ଆସିଥିଲା। ପ୍ରମୋଦ ତୃତୀୟ ମହଲା ଯାଇ କଥା ହୋଇଥିଲେ। ସେତେବେଳେ ଚର୍ଚ୍ଚା ହେଲା ଯେ ବୈଜୟନ୍ତଙ୍କ ବିକଳ୍ପ ହେବେ ପ୍ରମୋଦ।

ଏହାପରେ ପ୍ରମୋଦ କେନ୍ଦ୍ରାପଡ଼ା ରାଜନୀତିରେ ସକ୍ରିୟ ହୋଇଗଲେ। ୨୦୧୯ ଜାନୁଆରୀରେ ପ୍ରମୋଦଙ୍କୁ ବିଜେଡି ରାଜ୍ୟ ସମ୍ପାଦକ ଭାବେ ନିଯୁକ୍ତି ଦେଲା। ସେତେବେଳେ ବୈଜୟନ୍ତ ଏବଂ ତୃତୀୟ ମହଲ ଭିତରେ ଦୂରତା ବଢ଼ି ଯାଇଥିଲା। ବୈଜୟନ୍ତ ପରେ ଦଳରୁ ନିଲମ୍ବିତ ହୋଇଥିଲେ। ଏହାପରେ ପ୍ରମୋଦ ନିଜ ରଣନୀତି ପ୍ରସ୍ତୁତ କରିଥିବା କୁହାଯାଉଛି। ପ୍ରମୋଦକେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ଟିକେଟ ଲବି କରିଥିଲେ। ହେଲେ ପ୍ରମୋଦ ଟିକେଟ ପାଇ ନଥିଲେ। ସେ କିନ୍ତୁ ଦଳରେ ଥିଲେ। ହେଲେ ସେ କେବେ ସମ୍ପାଦକ ପଦବୀରୁ ଇସ୍ତଫା ଦେଲେ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି।

Comment