ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲାରେ କାର୍ଯ୍ୟରତ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଦୁର୍ବ୍ୟବହାର କରିବା ଅଭିଯୋଗରେ ତାତିଛନ୍ତି ଜିଲ୍ଲାର ଗଣମାଧ୍ୟମ ପ୍ରତିନିଧିମାନେ। କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାଂସଦଙ୍କ ବିରୋଧରେ ନାରାବାଜି କରିଛନ୍ତି। ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ରାଜ୍ୟପାଳ ଓ  ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ଗତକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡା ବଳଦେବଜୀଉ ମନ୍ଦିରର ବିକାଶ ନିମନ୍ତେ ଭିଡିଓ କନଫରେନ୍ସିଂ ଜରିଆରେ ସାଢ଼େ ୮ କୋଟି ଟଙ୍କା ମଞ୍ଜୁର କରିଥିଲେ। ଏହି ଭିଡିଓ କନଫରେନ୍ସିଂରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି, ଜିଲ୍ଲାର ବରିଷ୍ଠ ବିଧାୟକ, ଜିଲ୍ଲାପାଳଙ୍କ ସମେତ ଜିଲ୍ଲାର ବରିଷ୍ଠ ଅଧିକାରୀ ଓ ବଳଦେବଜୀଉଙ୍କ ମନ୍ଦିରର ସେବାୟତମାନେ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରିବା ପାଇଁ ବିଭିନ୍ନ ମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ।

କେନ୍ଦ୍ରାପଡା ଜିଲ୍ଲାର ଓଟିଭି ପ୍ରତିନିଧି ମନୋଜ ସ୍ୱାଇଁ ଏହି ଯୋଜନାର ରୂପରେଖ ସମ୍ପର୍କରେ ଜାଣିବା ପାଇଁ ସାଂସଦଙ୍କ ପ୍ରତିକ୍ରିୟା ନେବାକୁ ଚାହିଁଥିଲେ। ହେଲେ ସାଂସଦ ଅନୁଭବ ମହାନ୍ତି ଏହି ଯୋଜନା ସମ୍ପର୍କରେ କୌଣସି ପ୍ରତିକ୍ରିୟା ନଦେଇ ଓଟିଭିର ମାଲିକଙ୍କ ବିରୋଧରେ ମନ୍ତବ୍ୟ ଦେବା ଓ ଓଟିଭିର ଖବର ପ୍ରସାରଣରେ ନିରପେକ୍ଷତା ନଥିବା ଚର୍ଚ୍ଚା କରିଥିଲେ। ଏପରିକି ମନୋଜଙ୍କୁ କ୍ୟାମେରା ସମ୍ମୁଖକୁ ଟାଣିନେଇ ଫଟୋ ଉଠାଇ ତାଳି ମାରିଥିଲେ। ସେଠାରେ ଉପସ୍ଥିତ ଥିବା ଅନ୍ୟ ଗଣମାଧ୍ୟମର ପ୍ରତିନିଧିମାନେ ମଧ୍ୟ ଏହି ତାତ୍ସଲ୍ୟର ଶିକାର ହୋଇଥିଲେ।

ସାଂସଦଙ୍କର ଏଭଳି ଆଚରଣକୁ ନେଇ କେନ୍ଦ୍ରାପଡ଼ାରେ ପ୍ରତିବାଦର ସ୍ୱର ଉଠିଛି। କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଏହି ଘଟଣାକୁ ନିନ୍ଦା କରିବା ସହିତ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକାଠି ହୋଇ ସାଂସଦଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଜିଲ୍ଲାର ସାମ୍ବାଦିକମାନେ। କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦୁଇଟି ଦାବିପତ୍ର ପ୍ରଦାନ କରାଯାଇଛି।

ଏହାଛଡା କେନ୍ଦ୍ରାପଡା ଜିଲ୍ଲାର ଓଟିଭି ପ୍ରତିନିଧି ମନୋଜ ସ୍ୱାଇଁ ଆଜି କେନ୍ଦ୍ରାପଡା ଟାଉନ ଥାନାରେ ପହଞ୍ଚି ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ଏକ ଅଭିଯୋଗ କରିଛନ୍ତି। ଥାନାରେ ଏହି ଅଭିଯୋଗକୁ ଗ୍ରହଣ କରାଯାଇଥିବା ବେଳେ ମାମଲା ପଞ୍ଜିକରଣ ସମ୍ପର୍କରେ କୌଣସି ତଥ୍ୟ ଦେଇନି ପୋଲିସ।

Comment