ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ରାଜ୍ୟର ପ୍ରମୁଖ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ଯାଞ୍ଚ କରିବା ପରେ 5-T ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ୍‌ କଟକ ଏସ୍‌ସିବି ମେଡିକାଲ ପରିଦର୍ଶନରେ ଆସିଥିଲେ। ବୁଧବାର ଭୋର୍‌ରୁ ଏସ୍‌ସିବି ମେଡିକାଲ ପରିଦର୍ଶନରେ ଆସି ତନାଘନା କରିଥିଲେ।

5-T ସଚିବଙ୍କ ସମେତ ସ୍ୱାସ୍ଥ୍ୟ ସଚିବ ଡକ୍ଟର ପ୍ରମୋଦ ମେହେର୍ଦ୍ଦା, ଶାଳିନୀ ପଣ୍ଡିତ ଓ ଅନ୍ୟ ଅଧିକାରୀମାନେ  ଆଜି ଭୋରରୁ  ଡାକ୍ତରଖାନାର ଭିତ୍ତିଭୂମି ଅନୁଧ୍ୟାନ କରିବା ସହ କ୍ୟାମ୍ପସ ପରିଦର୍ଶନ କରିଥିଲେ।

ଏସ୍‌ସିବିରେ ବେଡ୍ ସଂଖ୍ୟା ବୃଦ୍ଧି ସମେତ ମଲ୍ଟି ସୁପର ସ୍ପେସିଆଲିଟି ଚିକିତ୍ସା ସୁବିଧା ରୋଗୀଙ୍କୁ ଯୋଗାଇ ଦିଆଯିବ। ବେଡ୍ ସଂଖ୍ୟା ବୃଦ୍ଧି ସରକାରୀ ସ୍ତରରେ ୩ ହଜାର ଶଯ୍ୟା ବିଶିଷ୍ଟ ସୁବିଧା ଯୋଗାଇ ଦେବା ଲାଗି ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ଏସ୍‌ସିବିରେ ଡାକ୍ତରଖାନାରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ନିର୍ମାଣ ହେବାକୁ ଥିବା ସମସ୍ତ ଭିତ୍ତିଭୂମି କାର୍ଯ୍ୟ ଆସନ୍ତା ୩ ବର୍ଷ ମଧ୍ୟରେ ଶେଷ କରିବା ପାଇଁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।

ସେହିପରି ରାଜ୍ୟର କୌଣସି ରୋଗୀ ଚିକିତ୍ସା ପାଇଁ ଯଦି ଏସ୍‌ସିବି ଡାକ୍ତରଖାନାକୁ ଆସିବେ ତେବେ ତାଙ୍କୁ ଆଉ ଅନ୍ୟ କେଉଁଠିକୁ ଯିବାକୁ ପଡିବ ନାହିଁ। ଗୋଟିଏ ଛାତ ତଳେ ଏବଂ କ୍ୟାମ୍ପସ ଭିତରେ ରୋଗୀଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ଯାହା ଦରକାର, ସରକାର ସମସ୍ତ ସୁବିଧା ଏବଂ ସରଞ୍ଜାମ ଯୋଗାଇଦେବେ।

5-T ସଚିବଙ୍କ ସମେତ ଅନ୍ୟ ଅଧିକାରୀ ଏସ୍‌ସିବି କ୍ୟାମ୍ପସରୁ ବାହାରି ବୋସ୍ ଗଡ଼ା ଦେଇ ଯୋବ୍ରା କେନାଲ ରୋଡ଼ ଓ ଏହାର ଆଖପାଖ ଅଞ୍ଚଳ ପରିଦର୍ଶନ କରିଥିଲେ।

ମେଡିକାଲ୍ କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ୱାସ୍ଥ୍ୟ ସଚିବଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ଉପରିସ୍ଥ ଅଧିକାରୀ, କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ, ଏସ୍‌ସିବି ମେଡିକାଲ କଲେଜ୍ ଅଧ୍ୟକ୍ଷ ପ୍ରଫେସର ଜୟଶ୍ରୀ ମହାନ୍ତି, ନୂତନ ଡିଏମ୍ଇଟି ପ୍ରଫେସର ସି.ବି.କେ. ମହାନ୍ତି, ଡାକ୍ତରଖାନା ଅଧିକ୍ଷକ ପ୍ରଫେସର ସରୋଜ ସାହୁ ଉପସ୍ଥିତ ରହି ଆଲୋଚନା କରିଥିଲେ।

Comment