ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ପର୍ଯ୍ୟଟନ ବିଭାଗ ସହଭାଗିତାରେ ରିସୋର୍ସ୍ ଇଣ୍ଡିକା ପକ୍ଷରୁ ଏକ ଫଟୋଚିତ୍ର ପ୍ରଦର୍ଶନୀ ଭୁବନେଶ୍ୱ ଲଳିତ କଳା ଏକାଡେମୀଠାରେ ଉଦ୍‌ଘାଟିତ ହୋଇ ଯାଇଛି। ଏହି ପ୍ରଦର୍ଶନୀରେ ଇଣ୍ଡୋନେସିଆ, କାମ୍ବୋଡିଆ, ଭିଏତନାମ ଏବଂ ଥାଇଲାଣ୍ଡ ତ୍ସହିତ ଓଡିଶାର ସାଂସ୍କୃତିକ ସମ୍ପର୍କକୁ ସ୍ଥାନିତ କରାଯାଇଛି।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ପର୍ଯ୍ୟଟନ ବିଭାଗ ସଚିବ ବିଶାଳ କୁମାର ଦେବ, ଇଣ୍ଡୋନେସିଆର ରାଷ୍ଟ୍ରଦୂତ ସିଦ୍ଧାର୍ଥ ରେଜା ସୂର୍ଯ୍ୟଦିପୁରୋ ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିଲେ।

ରିସୋର୍ସ ଇଣ୍ଡିକାର ନିର୍ଦ୍ଦେଶକ ସୁଦୀପ ସେନ୍‌ ଏବଂ ତାଙ୍କ ଟିମ୍‌ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଭିଡିଓ ଏବଂ ଫଟୋ ଏଥିରେ ସ୍ଥାନ ପାଇଥିଲା।

୨୦୧୩ ମସିହା ବାଲିଯାତ୍ରା ଅବସରରେ କଟକ ନୌବାଣିଜ୍ୟ ସଂଗ୍ରହାଳୟରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା। ଏହାପରେ ଇଣ୍ଡିଆନ୍ କାଉନସିଲ୍ ଫର୍ କଲଚରାଲ୍ ରିଲେସନ୍ସ (ଆଇସିସିଆର୍), ଇଣ୍ଡିଆନ୍ ନ୍ୟାସନାଲ ଟ୍ରଷ୍ଟ୍ ଫର୍ ଆର୍ଟ୍ କଲ୍‌ଚର୍ ଆଣ୍ଡ୍ ହେରିଟେଜ୍ ଏବଂ ଏସିଆଟିକ୍ ସୋସାଇଟିର ସହଭାଗୀତାରେ ନୂଆଦିଲ୍ଲୀ, କୋଲକାତା ଓ ଭୁବନେଶ୍ୱର ପରି ସହରମାନଙ୍କରେ ବିଭିନ୍ନ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ଗତ ବର୍ଷ ନୂଆଦିଲ୍ଲୀସ୍ଥିତ ଇଣ୍ଡୋନେସିଆ ଦୂତାବାସ ସହାୟତାରେ ‘ଭ୍ୟୁ ଫର୍ମ ଇଣ୍ଡୋନେସିଆ’ ଶୀର୍ଷକ ଦି ପ୍ରାଇଡ୍ ଆଣ୍ଡ୍ ଗ୍ଲୋରି ଅଫ୍ ବାଲିଯାତ୍ରା ଆୟୋଜିତ ହୋଇଥିଲା।

ଚଳିତ ବର୍ଷର ଦି ପ୍ରାଇଡ୍ ଆଣ୍ଡ୍ ଗ୍ଲୋରି ଅଫ୍ ବାଲିଯାତ୍ରାରେ ଇଣ୍ଡୋନେସିଆ, କାମ୍ବୋଡିଆ, ଭିଏତନାମ ଏବଂ ଥାଇଲାଣ୍ଡ ତ୍ସହିତ ଓଡ଼ିଶାର ସାଂସ୍କୃତିକ ସମ୍ପର୍କ ଏବଂ ନୌବାଣିଜ୍ୟ ସମ୍ପର୍କକୁ ଅତି ନିଖୁଣ ଭାବରେ ବର୍ଣ୍ଣନା କରାଯାଇଛି। ଏହି ପ୍ରଦର୍ଶନୀ ଆଜି ଭୁବନେଶ୍ୱରସ୍ଥିତ ଲଳିତ କଳା ଏକାଡେମୀରେ ଉଦ୍‌ଘାଟିତ ହୋଇଯାଇଛି। ଏହି ପ୍ରଦର୍ଶନୀ ଚଳିତ ମାସ ୧୨ ରୁ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ଏକ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶିତ ହେବା ସହ ଏକ କଫି ଟେବୁଲ ବୁକ୍‌ ଉନ୍ମୋଚନ କରାଯାଇଥିଲା।

ଏହି ଅବସରରେ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଥିଲେ, “ପ୍ରଥମ ଥର ପାଇଁ ଦକ୍ଷିଣ ପୂର୍ବ ଏସିଆ ସହିତ ଓଡ଼ିଶାର ସାଂସ୍କୃତିକ ସମ୍ପର୍କ ସମ୍ବନ୍ଧୀୟ ଆୟୋଜିତ ଫଟୋଚିତ୍ର ପ୍ରଦର୍ଶନୀରେ ସାମିଲ ହୋଇଥିବାରୁ ମୁଁ ଅତ୍ୟନ୍ତ ଖୁସି। ଓଡ଼ିଶା ଓ ଦକ୍ଷିଣ ପୂର୍ବ ଏସିଆର ବିଭିନ୍ନ ପ୍ରାନ୍ତରେ ଏହିପରି ପ୍ରଦର୍ଶନୀ ଆୟୋଜିତ ହେବା ପ୍ରଶଂସନୀୟ।”

ମନୋରଞ୍ଜନ ପାଣିଗ୍ରାହୀ କହିଥିଲେ, “ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଇତିହାସ ଓ ଦକ୍ଷିଣ ପୂର୍ବ ଏସିଆର ପ୍ରାଚୀନ ବ୍ୟବସାୟିକ ସମ୍ପର୍କ ଉପରେ ଆଲୋକପାତ କରିବା ନିମନ୍ତେ ଦି ପ୍ରାଇଡ୍ ଆଣ୍ଡ୍ ଗ୍ଲୋରି ଅଫ୍ ବାଲିଯାତ୍ରା ଏକ ପ୍ରଶଂସନୀୟ ପ୍ରୟାସ। ଏହି ଅଭିଯାନ ନିମନ୍ତେ ମୁଁ ସୁଦୀପ ସେନ୍‌ ଏବଂ ତାଙ୍କ ଟିମ୍‌କୁ ଧନ୍ୟବାଦ ଜ୍ଞାପନ କରୁଛି।”

ଏହି ଅବସରରେ ରିସୋର୍ସ୍ ଇଣ୍ଡିକାର ନିର୍ଦ୍ଦେଶକ ସୁଦୀପ ସେନ କହିଥିଲେ, “ଦି ପ୍ରାଇଡ୍ ଆଣ୍ଡ୍ ଗ୍ଲୋରି ଅଫ୍ ବାଲିଯାତ୍ରା ଆୟୋଜନ କରିବାର ମୂଳ ଲକ୍ଷ୍ୟ ହେଲା କଳିଙ୍ଗର ହୃତ ଗୌରବକୁ ଉଜ୍ଜୀବିତ କରିବା। ଏହାସହ ଦକ୍ଷିଣ ପୂର୍ବ ଏସିଆ ସହିତ ଓଡ଼ିଶାର ସାଂସ୍କୃତିକ ପ୍ରଭାବ ଏବଂ ନୌବାଣିଜ୍ୟ ପରମ୍ପରାକୁ ଋଦ୍ଧିମନ୍ତ କରିବା।’’

Comment