ଓଡ଼ିଶାଲାଇଭ୍ ବ୍ୟୁରୋ

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ନୂଆଦିଲ୍ଲୀରେ ପ୍ରବାସୀ ଓଡ଼ିଆଙ୍କ ସହ ସ୍ଥାନୀୟ ବାସିନ୍ଦା ଏବଂ ବିଦେଶୀ ନାଗରିକମାନେ ବୋଇତ ବନ୍ଦାଣ ଉତ୍ସବ ପାଳନ କରିଛନ୍ତି।

ନୂଆଦିଲ୍ଲୀର ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ତଥା ୱେବ ସମ୍ବାଦ ପତ୍ର “ଓଡ଼ିଆ ପୁଅ” ତରଫରୁ ୧୭ତମ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବଡ଼ି ଭୋରରୁ ଶତାଧିକ ଓଡ଼ିଆ ଯୋଗଦେଇ ଓଡ଼ିଆ ସ୍ୱାଭିମାନର ପ୍ରତୀକ ବୋଇତ ବନ୍ଦାଣ ଉତ୍ସବ ପାଳନ କରିଥିଲେ। ଏହି ବୋଇତ ବନ୍ଦାଣ ଉତ୍ସବ ଇଣ୍ଡିଆ ଗେଟ୍‌ସ୍ଥିତ ବୋଟ୍‌ କ୍ଲବଠାରେ ଅନୁଷ୍ଠିତ ହୋଇଥିଲା।

ଏହି ଉତ୍ସବରେ ଓଡ଼ିଆ ପୁଅ ଝିଅମାନେ ସାଧବ ପୁଅ ଏବଂ ସାଧବ ବୋହୂ ବେଶ ହୋଇଥିଲେ। ସାଧବ ବୋହୂମାନେ ବୋଇତ ବନ୍ଦାପନା କରିବା ପରେ ସାଧବ ପୁଅମାନେ ବୋଇତରେ ବସି ଯାତ୍ରା କରିଥିଲେ।

ଏହି ଉତ୍ସବରେ ମୁଖ୍ୟ ସମ୍ମାନୀତ ଅତିଥି ଭାବରେ ଏଲବିଆଇଏଚଏମ୍ ହୋଟେଲ ମ୍ୟାନେଜମେଣ୍ଟ ଇନ୍‌ଷ୍ଟିଚ୍ୟୁଟର ପରିଚାଳନା ନିର୍ଦ୍ଦେଶକ ଯୋଗଦେଇଥିଲେ।

ଏହି ୧୭ତମ ବୋଇତ ବନ୍ଦାଣ ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯେ, ଅନ୍ୟ ସଂସ୍କୃତିର ଲୋକଙ୍କ ପାଖରେ ବୋଇତ ବନ୍ଦାଣ ଉତ୍ସବର ବିଶେଷତ୍ତ୍ୱ ଜଣାଇବା। ତେଣୁ ଓଡ଼ିଆ ପୁଅର ପ୍ରୟାସରେ ଦିଲ୍ଲୀ ବାସିନ୍ଦାଙ୍କ ସହ ବିଦେଶୀ ପର୍ଯ୍ୟଟକମାନେ ମଧ୍ୟ ବୋଇତ ବନ୍ଦାଣ କରିଥିଲେ। ଏହି ଅବସରରେ ଓଡ଼ିଶାର ସମ୍ବଲପୁରୀ ନୃତ୍ୟ, ହରିଆଣା ନୃତ୍ୟ, ଗୁଜରାଟର ଦାଣ୍ଡିଆ, କଶ୍ମୀର ନୃତ୍ୟ, ଆସାମର ବିହୁ, ମହାରାଷ୍ଟ୍ରର କଳାକାରମାନଙ୍କ ଦ୍ୱାରା ପାରମ୍ପରିକ ଲୋକ ନୃତ୍ୟ ପରିବେଷଣ କରାଯାଇଥିଲା।

ଏହି ବୋଇତ ବନ୍ଦାଣ ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଅନ୍ୟ ଭାଷାଭାଷୀ ଲୋକଙ୍କ ପାଖରେ ଓଡ଼ିଶାର ପାରମ୍ପରିକ ବୋଇତ ବନ୍ଦାଣ ଉତ୍ସବର ମହତ୍ୱ ବିଷୟରେ ଅବଗତ କରାଇବା।

Comment