ଓଡ଼ିଶାଲାଇଭ୍ ବ୍ୟୁରୋ
ଇଞ୍ଜିନିୟରିଂ ଛାତ୍ରଙ୍କ ନିଆରା ପ୍ରୟାସ – ‘ବିଟେକ୍ ବିରିୟାନି’ ଷ୍ଟଲ। ଖାଇବାକୁ ଯେତିକି ଭିଡ଼, ଦେଖିବାକୁ ସେତିକି ଭିଡ଼।
କଟକ ବାଲିଯାତ୍ରାରେ ‘ବିଟେକ୍ ବିରିୟାନି’ ଲୋକଙ୍କ ପସନ୍ଦ ପାଲଟିଛି। ଏ ସମ୍ପର୍କରେ ପ୍ରୋପାଇଟରଙ୍କୁ ଯଦି ପଚରାଯାଏ ଭାଇ ଏମିତି ନା କ’ଣ ପାଇଁ? ତାଙ୍କ ଉତ୍ତର ଶୁଣି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ। କାରଣ ପ୍ରୋପାଇଟର୍ ନିଜେ ଜଣେ ବିଟେକ୍ ଛାତ୍ର।
ବାଲିଯାତ୍ରା ତଳପଡ଼ିଆ ଗେଟର ପୂର୍ବ ଆଡକୁ ଏହି ଷ୍ଟଲ୍ ଖୋଲିଛି। କିଛି ଇଞ୍ଜିନିୟରିଙ୍ଗ ଛାତ୍ରମାନେ ଏହି ଷ୍ଟଲ୍ ଖୋଲିଛନ୍ତି। ଏଥିରେ ତାଙ୍କର ପଞ୍ଚ୍ ଲାଇନ୍ ‘ହାଜ୍ ଟ୍ୟାଗ୍ ଇଂଞ୍ଜିନିୟରର୍ସ କ୍ୟାନ୍ ଡୁ ଏଭ୍ରିଥିଙ୍ଗ’ ଲେଖିଛନ୍ତି। ପାଠପଢ଼ା ସହିତ ଛାତ୍ରଛାତ୍ରୀମାନେ କିଛି କରିପାରିବେ ବୋଲି ଛାତ୍ରଛାତ୍ରୀ ସମାଜକୁ ଏହି ବାର୍ତ୍ତା ଷ୍ଟଲ ମାଧ୍ୟମରେ ଦେଉଛନ୍ତି।
ବାଲିଯାତ୍ରାରେ କିଛି ରୋଜଗାର କରିବା ଆଶାରେ ବିଟେକ୍ ବିରିୟାନି ଷ୍ଟଲ ଖୋଲାଯାଇଛି। ପାଠ ପଢ଼ୁଥିବା ପିଲାମାନେ ନିଜକୁ ବେକାର ନଭାବି କିଛି କରିବା ଦରକାର ବୋଲି ଛାତ୍ର ସମାଜକୁ ଏହି ଷ୍ଟଲ ମାଧ୍ୟମରେ ସଚେତନ କରାଯାଇଛି। କେବଳ ବିରିୟାନି ନୁହେଁ, ବିଭିନ୍ନ ଫାଷ୍ଟଫୁଡ୍ ମଧ୍ୟ ଏଠାରେ ମିଳୁଛି।
ମହାବୀର କଲେଜ ଅଫ୍ ଇଞ୍ଜିନିୟରିଙ୍ଗ ଆଣ୍ଡ ଟେକ୍ନୋଲୋଜିର ଛାତ୍ର ପ୍ରଣୟ ପ୍ରିୟାତୋଷ, ହାଇଟେକ୍ କଲେଜ ଅଫ୍ ଇଞ୍ଜିନିୟରିଙ୍ଗ୍ର କ୍ରାନ୍ତି ମହାନ୍ତି, ଆଶୁତୋଷ ଦାସ, ତପନ ଶତପଥୀ, ଚନ୍ଦନ ସେନାପତି, ସତ୍ୟବାନ ଡାକୁଆ, ଲଲିତ ଦାସ ଓ ସୌମ୍ୟରଂଜନ ଦାସ ଏହି ଷ୍ଟଲ କରିଛନ୍ତି।
ଏହି ଷ୍ଟଲରେ ବିକ୍ରୀ ହେଉଥିବା ବିରିୟାନି ଦାମ୍ ମାର୍କେଟ ତୁଳନାରେ କମ୍ ରହିଛି। ଚିକେନ୍ ବିରିୟାନି ୭୦ ଟଙ୍କା ରହିଥିବା ବେଳେ ଭେଜ୍ ବିରିୟାନି ୪୦ ଟଙ୍କା, ଚିକେନ୍ ପକୋଡା ୪୦ ଟଙ୍କା, ଏଗ୍ରୋଲ ୫୦ ଟଙ୍କା, ଚିକେନ୍ ବିରିୟାନି ସହିତ ଚିକେନ୍ ବଲ ବା ପକୋଡା ୧୦୦ ଟଙ୍କା, ପନିର ପକୋଡା ୩୦ ଟଙ୍କା, ମସରୁମ୍ ପକୋଡା ୩୦ ଟଙ୍କା, କୋବି ପକୋଡା ୨୦ ଟଙ୍କା ଓ ଫିଙ୍ଗରଚିଫ୍ ୨୦ ଟଙ୍କା ରଖାଯାଇଛି।