ଓଡ଼ିଶାଲାଇଭ୍ ବ୍ୟୁରୋ

ଖଚାଖଚ୍‌ ଭିଡ଼ ସାଙ୍ଗକୁ ଦିଲେର ମେହେନ୍ଦିଙ୍କ ଗୀତରେ କମ୍ପିଥିଲା ବାଲିଯାତ୍ରା ପଡ଼ିଆ।

କଟକ : ଚଳିତବର୍ଷ ବାଲିଯାତ୍ରାର ସବୁଠାରୁ ବଡ ଭିଡ଼। ଉପର ପଡିଆଠାରୁ ତଳ ପଡିଆ ଥିଲା ଅଧିକ ଜାମ୍। ଯେତିକି ବାହାରୁଥିଲେ ତା’ଠାରୁ ଢେର ଗୁଣରେ ଲୋକେ ପଶୁଥିଲେ। ଯାହା ଆକଳନ କରାଯାଉଛି ଶନିବାର ବାଲିଯାତ୍ରାରେ ପ୍ରାୟ ୫ଲକ୍ଷରୁ ଅଧିକ ଲୋକ ବାଲିଯାତ୍ରା ବୁଲିଛନ୍ତି।

ଏହି ଭିଡ଼କୁ ନେଇ କଟକ ସହରର ଟ୍ରାଫିକ୍ ବିପର୍ଯ୍ୟସ୍ତ ହୋଇପଡିଥିଲା। ସହର ଭିତରର ଅବସ୍ଥା ବେହାଲ୍ ହୋଇଯାଇଥିଲା। ସେହିପରି ରିଂରୋଡ୍‌ରେ ଏଭଳି ଭିଡ଼ ହୋଇଥିଲା ଯେ ଲୋକେ ଦୀର୍ଘ ସମୟ ଧରି ରାସ୍ତାରେ ଅଟକି ରହିଥିଲେ। ଆଜି ଶନିବାର ଥିବାରୁ ଏଭଳି ଭିଡ଼ ହୋଇଥିବା କୁହାଯାଉଛି।

ଲୋକଙ୍କ ଭିଡ଼ ସାଙ୍ଗକୁ ବଲିଉଡ୍‌ର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଦିଲେର୍ ମେହେନ୍ଦିଙ୍କ ସଙ୍ଗୀତ ପରିବେଷଣ ଲୋକଙ୍କୁ ବାନ୍ଧି ରଖିଥିଲା। ଦିଲେରଙ୍କ ଗୀତରେ ଲୋକେ ଝୁମିଥିଲେ। ଦିଲେର୍ ମେହେନ୍ଦିଙ୍କ ଗୀତ ବୋଲ ତାରା..ରା..ରା ଗୀତରେ ମେଳା ପଡ଼ିଆ କମ୍ପିଯାଇଥିଲା।

ଲୋକଙ୍କ ଗହଳି ବଢ଼ିଥିବାରୁ କିଣାବିକା ମଧ୍ୟ ଜମିଛି। ଯାତ୍ରା ଦେଖା ଏବଂ ଜିନିଷ କିଣାରୁ ଲୋକଙ୍କୁ ଫୁରସତ ନାହିଁ। ଓରମାସ୍, ଭିନ୍ନକ୍ଷମ ଏବଂ କିନରଙ୍କ ଷ୍ଟଲରେ ବ୍ୟବସାୟ ପାଖାପାଖି କୋଟିଏ ଟଙ୍କା ଟପିଛି। ତେବେ ସମୁଦାୟ ଯାତ୍ରାରେ ଆଜି ୪କୋଟିରୁ ଅଧିକ ବ୍ୟବସାୟ ହୋଇଛି। ଶନିବାର ଥିବାରୁ ଖାନାପିନା ବ୍ୟବସାୟ ଜମିଛି। ଲୋକେ ଉଭୟ ଭେଜ୍ ଓ ନ୍‌ଭେଜ୍‌ ଆଇଟମ୍‌ ଖାଇ ବାଲିଯାତ୍ରା ଉପଭୋଗ କରିଛନ୍ତି। ଫାଷ୍ଟଫୁଡ୍‌ ସହିତ ଚାଟ୍, ଗୁପ୍‌ଚୁପ୍‌ ଷ୍ଟଲରେ ଅଧିକ ଭିଡ଼ ଲାଗିରହିଥିଲା।

ଓରମାସ ଫୁଡ୍ କୋଟ୍‌ରେ ଧୂଳି ଉଡା କମ୍ ରହୁଥିବାରୁ ଏବଂ ହାଇଜେନିକ୍ ଖାଦ୍ୟ ସୁବିଧା ଥିବାରୁ ଲୋକେ ସେଠାକୁ ଯାଇ ଖାଉଥିବାର ଦେଖିବାକୁ ମିଳିଥିଲା। ସେହିପରି ଛୋଟ ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ବଡ ବ୍ୟବସାୟୀଙ୍କ ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ଭଲ ବେପାର କରିଛନ୍ତି। ତା’ସହିତ ରଙ୍ଗାରଙ୍ଗ ଦୋଳିର ମଜା ନେଇଛନ୍ତି ଲୋକେ। ତେବେ ଆସନ୍ତାକାଲି ରବିବାର ଥିବାରୁ ଭିଡ଼ ସବୁ ରେକର୍ଡ କାଟିବ ବୋଲି କୁହାଯାଉଛି।

Comment