ଓଡ଼ିଶାଲାଇଭ୍ ବ୍ୟୁରୋ

‘କୃଷି ଓଡ଼ିଶା ୨୦୨୦’ରେ ଅଂଶଗ୍ରହଣ କରିଥିବା ସଫଳ କତା ଶିଳ୍ପ ବ୍ୟବସାୟୀଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର।

(ଭୁବନେଶ୍ୱରରୁ ତୁଷାର ସାମନ୍ତରାୟ): “ମହିଳାମାନେ ଆଉ ଘରେ ବସି ଖାଲି ରୋଷେଇ କରିବେନି। ସେମାନେ ଏଣିକି ଘରକାମ କରିବା ସହ ସେମାନେ ନିଜକୁ ରୋଜଗାରକ୍ଷମ କରିପାରିବେ। ଏହି କତା ଶିଳ୍ପ ସେମାନଙ୍କୁ ଦୈନନ୍ଦିନ ଖର୍ଚ୍ଚ କରିବାକୁ ଟଙ୍କା ଯୋଗାଇବା ସହ ସମାଜର ଆବଶ୍ୟକତା ମଧ୍ୟ ପୂରଣ କରିପାରିବ”, ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ହେଉଥିବା ‘କୃଷି ଓଡ଼ିଶା ୨୦୨୦’ରେ ଅଂଶଗ୍ରହଣ କରି ଜଣେ ସଫଳ ମହିଳା ଉଦ୍ୟୋଗୀ ଏପରି କହିଛନ୍ତି।ଏହି ମହିଳା ଉଦ୍ୟୋଗୀଙ୍କ ନାଁ ହେଉଛି ଭାବିନୀ ସ୍ୱାଇଁ। ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ପରଦାପଡ଼ା ଅଞ୍ଚଳରେ ବସବାସ କରୁଥିବା ଭାବିନୀ ନିଜକୁ ଜଣେ ସଫଳ ଉଦ୍ୟୋଗୀ ଭାବେ ପ୍ରତିଷ୍ଠିତ କରିବା ସହ ସ୍ଥାନୀୟ ଅଞ୍ଚଳର ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ଉପାର୍ଜନକ୍ଷମ କରିପାରିଛନ୍ତି। ତାଙ୍କ ଉଦ୍ୟମରେ ମହିଳାମାନେ କତା ଶିଳ୍ପରେ କାମ କରି ମାସକୁ ୫ ହଜାରରୁ ୧୦ ହଜାର ଟଙ୍କା ଉପାର୍ଜନ କରିପାରୁଛନ୍ତି।

ପରଦାପଡ଼ା ଗାଁର ମହିଳାମାନେ ୨୦୧୫ ମସିହା ପୂର୍ବରୁ ସାଧାରଣ ଭାବେ ଜୀବନ କାଟୁଥିଲେ। ଘରର ଚାରିକାନ୍ଥ ମଧ୍ୟରେ ହିଁ ତାଙ୍କର ଜୀବନ ସୀମିତ ରହିଥିଲା। ଏହାପରେ ଭାବିନୀ ୯ଟି ସ୍ୱୟଂ ସହାୟକ ଗୋଷ୍ଠୀର ୬୦ ମହିଳାଙ୍କୁ ଧରି ‘ଶ୍ରୀକ୍ଷେତ୍ର କୟର ପ୍ରଡକ୍ଟ ଗ୍ରୁପ୍’ ନାମରେ ଏକ କତା ଶିଳ୍ପ ଆରମ୍ଭ କରିଥିଲେ। ଏଥିରେ ସେ ନଡ଼ିଆ କତାରୁ ବିଭିନ୍ନ ପ୍ରକାର ଘରକରଣା ଜିନିଷ ସହ ଅତ୍ୟାବଶକ ଜିନିଷମାନ ନିର୍ମାଣ କରିବା ଆରମ୍ଭ କରିଥିଲେ। ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମହିଳାମାନେ ନଡ଼ିଆ କତାରେ ସୁନ୍ଦର ସୁନ୍ଦର ପାପୋଛ, ହାତୀ, ଘୋଡ଼ା, ଫୁଲଦାନୀ, ଜିରାଫ୍ ଓ କଇଁଛ ଆଦି ତିଆରି କରିବା ସହ କତା ଦଉଡ଼ି ନିର୍ମାଣ କରିବା ଆରମ୍ଭ କରିଥିଲେ।

ସତ୍ୟବାଦୀ ଅଞ୍ଚଳରେ ପ୍ରଚୁର ପରିମାଣରେ ନଡ଼ିଆ ଚାଷ ହେଉଥିବାରୁ ତାଙ୍କୁ ନଡ଼ିଆ କତା ବା କଞ୍ଚାମାଲ ମିଳିବାରେ ମଧ୍ୟ କୌଣସି ଅସୁବିଧା ହୋଇନଥିଲା। ତେଣୁ ସ୍ଥାନୀୟ ଅଞ୍ଚଳରୁ କଞ୍ଚାମାଲ ସଂଗ୍ରହ କରି ସେ ଏଥିରେ ଏହି ସବୁ ଜିନିଷମାନ ନିର୍ମାଣ କରିବା ଆରମ୍ଭ କରିଦେଇଥିଲେ।

ସ୍ଥାନୀୟ ବଜାରରେ ମଧ୍ୟ ଏହି ହାତ ତିଆରି ଜିନିଷର ବେଶ୍ ଚାହିଦା ରହିଛି। ବ୍ୟବସାୟୀମାନେ ନିଜେ ତାଙ୍କ ପାଖକୁ ଆସି ଜିନିଷ କିଣିବା ସହ ସିଧାସଳଖ କାରବାର କରୁଛନ୍ତି ବୋଲି ଭାବିନୀ କହିଛନ୍ତି। ଏଥିସହିତ ବର୍ଷସାରା ରାଜ୍ୟରେ ଯେଉଁ ସବୁ ମେଳା ମହୋତ୍ସବ ଆୟୋଜନ ହେଉଛି ସେଠାରେ ମଧ୍ୟ ସେ ଷ୍ଟଲ ପକାଇ ତାଙ୍କ ଦ୍ୱାରା ନିର୍ମିତ ହେଉଥିବା ସାମଗ୍ରୀ ବିକ୍ରି କରୁଛନ୍ତି ବୋଲି ସେ କହିଥିଲେ।ବର୍ତ୍ତମାନ ତାଙ୍କୁ ଓରମାସ ତରଫରୁ ଅଳ୍ପ କିଛି ସହାୟତା ମିଳୁଥିଲେ ମଧ୍ୟ ଯଦି ଆଗକୁ ତାଙ୍କୁ ଓଡ଼ିଶା ସରକାର ଆଉ କିଛି ସହାୟତା ଯୋଗାଇଦେବେ ତେବେ ମହିଳାମାନେ ଆହୁରି ଆତ୍ମନିର୍ଭରଶୀଳ ହୋଇପାରିବେ। ଏଥିସହିତ କୃଷି ଓଡ଼ିଶା ୨୦୨୦ କାର୍ଯ୍ୟକ୍ରମ ସେମାନଙ୍କୁ ରାଜ୍ୟରେ ଆହୁରି ପରିଚିତ କରିପାରିବ ବୋଲି ସେ କହିବା ସହ ରାଜ୍ୟ ସରକାରଙ୍କ ଏଭଳି ଭିନ୍ନ ପଦକ୍ଷେପକୁ ପ୍ରଶଂସା କରିଛନ୍ତି।

Comment