ଓଡ଼ିଶାଲାଇଭ୍ ବ୍ୟୁରୋ

  • ୫୦ ଏକର ଜମିରେ ଜମୁଛି ମେଳା
  • ୯୩୧ ବେସରକାରୀ, ୪୧୦ ଓରମାସ୍ ଷ୍ଟଲ୍
  • ପ୍ରଥମ ଥର ପାଇଁ ପଥ ଉତ୍ସବ’ ଓ ‘ବୋଟିଂ’
  • ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ୪ଟି ମଞ୍ଚ
  • ଆକର୍ଷଣ ସାଜିଛି ଭଳିକି ଭଳି ଦୋଳି
  • ୧୯ ତାରିଖ ଯାଏଁ ଚାଲିବ ବାଲିଯାତ୍ରା

କଟକ: ‘‘ବାଲିଯାତ୍ରା ଏବେ ଗଣପର୍ବରେ ପରିଣତ ହୋଇଛି। ବାଣିଜ୍ୟ କରିବା କେବଳ ଏହି ମେଳାର ଲକ୍ଷ୍ୟ ନୁହେଁ। ଓଡ଼ିଆ ଜାତିର ସଂସ୍କୃତି ଓ ପରମ୍ପରାକୁ ମଜଭୁତ୍ କରି ରଖିବା ଏହି ମହାମେଳାର ମୁଖ୍ୟ ଉଦ୍ଦେଶ୍ୟ। ଚଳିତବର୍ଷ ବାଲିଯାତ୍ରାକୁ ରାଜ୍ୟସ୍ତରୀୟ ମହୋତ୍ସବର ମାନ୍ୟତା ମିଳିଛି। ଆଗାମୀ ଦିନରେ ଏହାକୁ କିଭଳି ଜାତୀୟ ମାନ୍ୟତା ମିଳିବ ସେଥିପାଇଁ ଅଭିଯାନ ଆରମ୍ଭ ହେଉ’’, ଐତିହାସିକ କଟକ ବାଲିଯାତ୍ରାର ଉଦ୍‌ଘାଟନ କରି ଏହା କହିଛନ୍ତି ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର।

କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ, ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

ଉଦ୍‌ଘାଟନୀ ଉତ୍ସବର ମୁଖ୍ୟ ଆକର୍ଷଣ ଥିଲେ ଇଣ୍ଡୋନେସିଆର ରାଷ୍ଟ୍ରଦୂତ ସିଦ୍ଧାର୍ଥୋ ରେଜା ସୂର୍ଯ୍ୟୋଦିପୁର, ରାଷ୍ଟ୍ରୀୟ ସଂସ୍କୃତି ବିଭାଗର ମୁଖ୍ୟ ପ୍ରଫେସର ମୁଦାନା। ଓଡ଼ିଶା-ଭାରତ ଓ ଇଣ୍ଡୋନେସିଆର ସମ୍ପର୍କକୁ ନିଜ ବକ୍ତବ୍ୟରେ କହିଥିଲେ ଏହି ଅତିଥିମାନେ।

ଅନ୍ୟ ସମ୍ମାନିତ ଅତିଥିଙ୍କ ଗହଣରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅନିଲ କୁମାର ସାମଲ, କଟକ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଫେସର ଡାକ୍ତର ପ୍ରମୋଦ କୁମାର ମଲ୍ଲିକ, ବାରବାଟୀ-କଟକ ବିଧାୟକ ଇଂ.ମହମ୍ମଦ ମୋକିମ୍, କଟକ ସଦର ବିଧାୟକ ଚନ୍ଦ୍ରସାରଥି ବେହେରା, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଜ୍ୟୋତିରେଖା ନାୟକ ଉପସ୍ଥିତ ଥିଲେ। ଏହି ଅବସରରେ ବାଲିଯାତ୍ରାର ସ୍ମରଣିକା ‘ବାଲିଯାତ୍ରା-୨୦୧୯’ ଲୋକାର୍ପିତ ହୋଇଥିଲା।

ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା ହେବାକୁ ଥିବା ବେଳେ ପ୍ରଥମଥର ଏହାର ପରିଚାଳନା ଦାୟିତ୍ୱରେ ରହିଛି ଜିଲ୍ଲା ସଂସ୍କୃତି ପରିଷଦ। ତେଣୁ ପ୍ରଶାସନର ନୂଆ ଟିମ୍ ଏଥର ବାଲିଯାତ୍ରାର କାୟା ବଦଳାଇ ଦେଇଛି। ଏଥର ପ୍ରାୟ ୧୦ ଏକର ଜମିକୁ ସମ୍ପ୍ରସାରଣ କରାଯାଇଛି। ବାଲିଯାତ୍ରା  ପୂର୍ବରୁ ଉଭୟ ଉପର ଓ ତଳ ପଡିଆ ମିଶାଇ ପ୍ରାୟ ୫୦ ଏକର ଜମିରେ ମେଳା ଜମୁଛି।

ଉପର ପଡ଼ିଆ ଏବଂ ତଳ ପଡ଼ିଆରେ କାର୍ତ୍ତିକେଶ୍ୱର ଗଡାଠାରୁ ଆରମ୍ଭ କରି ସିସୋର୍ ଗଡ଼ା ପର୍ଯ୍ୟନ୍ତ ଲମ୍ବିଛି ଯାତ୍ରା। ଉଭୟ ଉପର ଓ ତଳ ପଡ଼ିଆ ମିଶି ୯୩୧ଟି ପ୍ଲଟ୍ ବିକ୍ରି ହୋଇଛି। ଏହାବାଦ୍‌ ୬୬ଟି ଭେଣ୍ଡିଂଜୋନ୍ କରାଯାଇଛି। ପ୍ରତିବର୍ଷ ତୁଳନାରେ ଓରମାସର କାୟା ମଧ୍ୟ ବୃଦ୍ଧି ପାଇଛି। ଏଥର ୪୧୦ଟି ଷ୍ଟଲ୍ ହୋଇଛି। ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଭିନ୍ନକ୍ଷମଙ୍କ ପାଇଁ ୪୦ଟି, କିନ୍ନରଙ୍କ ପାଇଁ ୧୦ଟି ଷ୍ଟଲ୍ ନିର୍ମାଣ କରାଯାଇଛି।

ଅନ୍ୟପକ୍ଷରେ ୯ଟି କମ୍ପାନି ପକ୍ଷରୁ ୩୫ଟି ଦୋଳି, ଝୁଲା ଓ ଟୟଟ୍ରେନ୍ ଆଦି ବାଲିଯାତ୍ରାରେ ପଡିଛି। ତେଣୁ ମୋଟ୍ ଉପରେ ୧୩୪୧ରୁ ଅଧିକ ଷ୍ଟଲ୍ ଶୋଭା ପାଇଛି ବାଲିଯାତ୍ରାରେ।

ଏହାଛଡ଼ା ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ୪ଟି ମଞ୍ଚ କରାଯାଇଛି। ଗଣକବି ବୈଷ୍ଣବ ପାଣି ମଞ୍ଚ, ମହାନଦୀ ଭ୍ୟୁ, ମୋ’ କଟକ ପ୍ୟାଭିଲିୟନ୍ ସମେତ ମହାନଦୀରେ ଭାସମାନ ଡଙ୍ଗାକୁ ମିଶାଇ ଗୋଟିଏ ମଞ୍ଚ ହୋଇଛି। ପ୍ରତ୍ୟେକ ଦିନ ଅପରାହ୍ଣ ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ।

ପ୍ରତ୍ୟେକ ଦିନ ସକାଳୁ ୩ ଘଣ୍ଟା ପଥୋତ୍ସବରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଦେଖିବାକୁ ମିଳିବ। ସେହିପରି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ପକ୍ଷରୁ ବୋଟିଂ ସୁବିଧା କରାଯାଇଛି।

Comment