ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ : ବାଲିଯାତ୍ରା ଲାଗି କଟକରେ ଖଚାଖଚ୍ ଭିଡ଼। ସକାଳୁ ବିଳମ୍ବିତ ରାତି ଯାଏଁ ଜୋରଦାର ଗହଳିଚହଳି। ସମ୍ପ୍ରସାରିତ ହୋଇଥିବା ପଡ଼ିଆ ବି ପୂରିଉଠୁଥିଲା। ଗତ ଦୁଇଦିନ ଧରି ହାତ ବାନ୍ଧି ବସିଥିବା ବ୍ୟବସାୟୀ ରବିବାର ମନଖୋଲି ବେପାର କରିଛନ୍ତି।

ଅନ୍ୟପକ୍ଷରେ ଭିଡ଼ ନିୟନ୍ତ୍ରଣ କରିବାରେ ନାକେଦମ୍ ହୋଇଛି ପୋଲିସ। ଚାରିଆଡୁ ଲୋକଙ୍କ ସୁଅ ଛୁଟିଥିବା ବେଳେ ମେଳା ପଡ଼ିଆ ଲୋକାରଣ୍ୟ ହୋଇ ପଡ଼ିଥିଲା। ବାଲିଯାତ୍ରା ମେଳା ପଡ଼ିଆକୁ ସଂଯୋଗ କରୁଥିବା ସବୁ ରାସ୍ତାର ପ୍ରାୟ ୫ କିଲୋମିଟର ପର୍ଯ୍ୟନ୍ତ ଗାଡ଼ି ମୋଟରର ଲମ୍ବା ଧାଡ଼ି। ଗାଡ଼ି ହାତେ ଗଡ଼ିଲେ ୧୦ମିନିଟ୍ ଗୋଟିଏ ଜାଗାରେ ଛିଡ଼ା ହୋଇ ରହୁଥିଲା। ଭିଡ଼ ଏମିତି ଯେ, ଚାଲିକରି ଯିବା ବି ଥିଲା ମୁସ୍କିଲ୍। ସେହିପରି ମେଳା ପଡ଼ିଆ ଭିଡ଼ରେ ଫାଟି ପଡୁଥିଲା। ସକାଳୁ ବିଳମ୍ବିତ ରାତି ଯାଏଁ ଲାଗିରହିଥିଲା ଅସମ୍ଭବ ଗହଳିଚହଳି।

ପରିସ୍ଥିତି ଏମିତି ହେଲା ଟ୍ରାଫିକ୍ ନିୟନ୍ତ୍ରଣ ସମ୍ଭବ ହେଲାନାହିଁ। ସନ୍ଧ୍ୟା ନ ହେଉଣୁ ବାଲିଯାତ୍ରାର ସମସ୍ତ ପାର୍କିଂ ଷ୍ଟାଣ୍ଡ୍ ଭର୍ତ୍ତି ହୋଇ ଯାଇଥିଲା। ଏଭଳି ସମୟ ଆସିଲା ଯେଉଁଠି ପୋଲିସ୍ ଲୋକଙ୍କୁ ବାଲିଯାତ୍ରା ପଡ଼ିଆ ଆଡ଼କୁ ଛାଡ଼ିଲାନାହିଁ। ଲୋକେ ରାସ୍ତାରେ ଅଟକି ରହିଲେ। ଦୀର୍ଘ ସମୟ ରାସ୍ତାରେ ଫସି ରହିବା ଯୋଗୁଁ ଦୂରଦୂରାନ୍ତରୁ ଆସିଥିବା ଲୋକେ ବାଲିଯାତ୍ରା ନ ଦେଖି ଫେରିବାକୁ ବାଧ୍ୟ ହୋଇଯାଇଥିଲେ। କିଛି ଏଭଳି ଥିଲା କଟକ ବାଲିଯାତ୍ରାର ରବିବାରର ଭିଡ଼।

୧୨ତାରିଖ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିଲା ଐତିହାସିକ ବାଲିଯାତ୍ରା। ୯ ଦିନର ଏହି ଯାତ୍ରା ଭିତରେ ଛୁଟି ଦିନ ନଥିଲା। ମଝିରେ ଗୋଟିଏ ମାତ୍ର ରବିବାର ଥିବାରୁ ସେଥିରେ ବାଲିଯାତ୍ରା ବୁଲିବାକୁ ଲୋକେ ଚାହିଁ ବସିଥିଲେ। କିନ୍ତୁ ପରିସ୍ଥିତି ଏଭଳି ସାଂଘାତିକ ହେବ ସେ କଥା କେହି ଜାଣିନଥିଲେ। ସକାଳୁ ରାତି ଯାଏଁ ବାଲିଯାତ୍ରାରେ ଏଭଳି ଭିଡ଼ ଲାଗି ରହିଥିଲା ଯାହାକୁ ବାଲିଯାତ୍ରା ଇତିହାସର ସର୍ବକାଳୀନ ଗହଳିଚହଳି କୁହାଯାଉଛି। ରବିବାର ସକାଳ ପ୍ରାୟ ୧୦ଟା ପରଠାରୁ ବାଲିଯାତ୍ରାକୁ ଲୋକଙ୍କ ସୁଅ ଛୁଟିଥିଲା।

ଜୋର୍ ଧରିଥିଲା କିଣାବିକା। ଓରମାସ୍, ଭିନ୍ନକ୍ଷମ ଓ କିନ୍ନରଙ୍କ ଷ୍ଟଲ୍ ସମେତ ଉଭୟ ଉପର ଓ ତଳ ପଡ଼ିଆର ରୋ’ ଫାଟି ପଡ଼ୁଥିଲା। ବ୍ୟବସାୟୀ ହାତ ଖୋଲା ବ୍ୟବସାୟ କରିଥିଲେ। କେବଳ ଓରମାସରେ ପ୍ରାୟ ୩କୋଟି ଟଙ୍କାରୁ ଅଧିକ ବେପାର ହୋଇଥିବା ଜଣାପଡ଼ିଛି। ବଡ ଷ୍ଟଲ୍‌ଠାରୁ ଆରମ୍ଭ କରି ଉଠା ଦୋକାନୀ ସମସ୍ତେ ବେଶ୍ ଭଲ ରୋଜଗାର କରିଛନ୍ତି। ସଂକ୍ରାନ୍ତି ଥିବାରୁ ଆମିଷ ଖାଦ୍ୟ ବ୍ୟବସାୟ ମାନ୍ଦା ହେବ ବୋଲି ଯେଉଁ ଆକଳନ କରାଯାଉଥିଲା ତାହା ହୋଇନାହିଁ।

ଅନ୍ୟପକ୍ଷରେ ସାମ୍ଭାବ୍ୟ ଭିଡ଼କୁ ନେଇ ଟ୍ରାଫିକ୍ ନିୟନ୍ତ୍ରଣ ସମ୍ପୂର୍ଣ୍ଣ ଫେଲ୍ ମାରିଥିଲା। ୧୦ଟି ପାର୍କିଂ ଷ୍ଟାଣ୍ଡ୍ କରାଯାଇଥିଲେ ବି ସେଗୁଡ଼ିକ ସନ୍ଧ୍ୟା ପୂର୍ବରୁ ଫୁଲ୍ ହୋଇଯାଇଥିଲା। ସମୟ ଏମିତି ଆସିଲା ସନ୍ଧ୍ୟା ୬ଟା ପରଠାରୁ ଗାଡ଼ି ରଖିବାକୁ ଜାଗା ମିଳିଲାନାହିଁ। ଭିଡ଼କୁ ନିୟନ୍ତ୍ରଣ କରିବାକୁ ବିଭିନ୍ନ ଆଡ଼ୁ ଆସୁଥିବା ଲୋକଙ୍କୁ ରାସ୍ତାରେ ଅଟକାଇ ରଖିଥିଲା ପୋଲିସ୍। ଗୋଟିଏ ପଟରେ ମଧୁସୂଦନ ସେତୁ, ଅନ୍ୟପକ୍ଷରେ ନେତାଜୀ ସେତୁ ଯାଏଁ ଭିଡ଼ ଲମ୍ବିଥିଲା। ସେହିପରି ଯୋବ୍ରା ଆନିକଟ ବ୍ରିଜ୍ ପର୍ଯ୍ୟନ୍ତ ଗାଡ଼ିମୋଟର ଧାଡ଼ି ବାନ୍ଧି ଛିଡ଼ା ହୋଇଥିଲେ। ସେହିପରି ସହର ଭିତର ଅବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଯାଇଥିଲା। କଲେଜ ଛକଠାରୁ ଆରମ୍ଭ କରି ବକ୍ସିବଜାର, ଚାନ୍ଦିନୀଚୌକଠାରୁ ଆରମ୍ଭ କରି ଚଣ୍ଡିମନ୍ଦିର ଛକ, ସତୀଚୌରା ଛକଠାରୁ ଆରମ୍ଭ କରି କନିକା ଛକ ଯାଏଁ ଗାଡ଼ିମୋଟରର ଲମ୍ବା ଧାଡ଼ି ଲାଗିଥିଲା ।

Comment