ଓଡ଼ିଶାଲାଇଭ୍ ବ୍ୟୁରୋ

କଟକରେ ୧୦ ଦିନଧରି ଚାଲିଥିବା ଐତିହାସିକ ବାଲିଯାତ୍ରା ଉଦଯାପିତ ହୋଇଛି। ବାଲିଯାତ୍ରାର ଉଦଯାପନୀ ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଗହଳିଚହଳି ଓ କୋଟି କୋଟି ଟଙ୍କାର କାରବାର ଭିତରେ ଶେଷ ହୋଇଛି ବାଲିଯାତ୍ରା। ପୂର୍ବ ବର୍ଷମାନଙ୍କର ରେକର୍ଡକୁ ଟପିଯାଇଛି ଏଥରର ବାଲିଯାତ୍ରା ନୂଆ ଇତିହାସ ରଚିଛି ଏ ବର୍ଷର କଟକ ବାଲିଯାତ୍ରା।

କଟକର ତଳ ଓ ଉପର ବାଲିଯାତ୍ରା ପଡିଆରେ ପଡିଥିବା ୧୫୦୦ରୁ ଅଧିକ ଷ୍ଟଲରେ ହୋଇଛି ଜବରଦସ୍ତ କାରବାର। ଜିଲ୍ଲା ପ୍ରଶାସନର ଆକଳନ ଅନୁସାରେ ୭୦ ଲକ୍ଷରୁ ଅଧିକ ଲୋକ ଏ ବର୍ଷ ବାଲିଯାତ୍ରାକୁ ଆସିଛନ୍ତି । ପ୍ରତିଦିନ ହାରାହାରି ୫ ରୁ ୬ ଲକ୍ଷ ଲୋକ ଏହି ମେଳକୁ ଆସିଥିଲେ। ସବୁଦିନ ଜମୁଥିଲା କିଣାବିକା ଓ ଖାଦ୍ୟପେୟର ଆସର ।

୧୦ ଦିନରେ ପାଖାପାଖି ୨୦୦ କୋଟିର କାରବାର ହୋଇଛି। କେବଳ ଓରମାସ ଷ୍ଟଲରେ ୨୫ କୋଟିରୁ ଅଧିକ ବେପାର ହୋଇଛି। ଏଥର ହୋଇଥିବା ଗାନ୍ଧୀ ଶିଳ୍ପ ବଜାରରେ ୩ କୋଟିରୁ ଅଧିକ କାରବାର ହୋଇଛି।

ଦୀର୍ଘ ୬ ମାସ ଧରି ଜିଲ୍ଲା ପ୍ରଶାସନ ଏହି ବାଲିଯାତ୍ରା ଆୟୋଜନରେ ଲାଗିଥିଲା।  ଯାତ୍ରା ପାଇଁ ପ୍ଲଟ ବିକ୍ରି, ରାସ୍ତା ପ୍ରଶସ୍ତିକରଣ ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଥିଲା। ଏଥର ବାଲିଯାତ୍ରା ସବୁଠୁ ଅଧିକ ୧୦ଦିନ ଧରି ଆୟୋଜିତ ହୋଇଛି। କଟକର ଐତିହ, ସଂସ୍କୃତି ଓ ପରମ୍ପରାକୁ ନେଇ ତିଆରି ହୋଇଥିବା ‘କଟକ ଇନ କଟକ’ ପ୍ୟାଭେଲିୟନ ମୁଖ୍ୟ ଆକର୍ଷଣ ସାଜିଥିଲା

କଟକର ଛାତ୍ରଛାତ୍ରୀ କାଗଜଡଙ୍ଗା ପ୍ରସ୍ତୁତି କରି ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇବା, ସୁଦର୍ଶନ ପଟ୍ଟନାୟକଙ୍କ ସର୍ବ ବୃହତ ବାଲୁକା କଳା, ବଲିଉଡ୍ ଷ୍ଟାର ନାଇଟ୍ ପାଳତିଥିଲା ଏ ବର୍ଷ ବାଲିଯାତ୍ରାର ବୈଶିଷ୍ଟ୍ୟ।

ବଲିଉଡ୍ ଷ୍ଟାର କଳାକାର କୈଲାଶ ଖେର, ଜାବେଦ ଅଲ୍ଲି, କୃଷ୍ଣା ବେଉରା ସମେତ ଓଲିଉଡ୍ ତରକା ଅସୀମା ପଣ୍ଡା ,ଦିପ୍ତିରେଖା ପାଢି, ହ୍ୟୁମାନ ସାଗରଙ୍କ ଭଳି କଳାକାରଙ୍କ ଉପସ୍ଥିତି ମେଳାର ଆକର୍ଷଣ ବଢାଇଥିଲା।

ଇଣ୍ଡୋନେସିଆର ବାଲିରେ ଜି-୨୦ ସମ୍ମିଳନୀରେ ଏ ବର୍ଷ ବାଲିଯାତ୍ରାର ଐତିହ୍ୟ ଓ ସ୍ୱତନ୍ତ୍ରତା ବଖାଣିଥିଲେ ପ୍ରଧାନମନ୍ତ୍ରୀ ମୋଦି।  ଏଇଭଳି ଅନେକ ବୈଶିଷ୍ଟ୍ୟକୁ ନେଇ ଆୟୋଜିତ ହୋଇଥିବା ବାଲିଯାତ୍ରା ଜାତୀୟ ମାନ୍ୟତା ହାସଲ ପାଇଁ ଦୃଢ ଦାବି ସାବ୍ୟସ୍ତ କରିଛି।

Tags: #HistoricalBalijatra #Trade #cuttack #Odisha

LEAVE A REPLY

Please enter your comment!
Please enter your name here