ଓଡ଼ିଶାଲାଇଭ୍ ବ୍ୟୁରୋ

ସେପ୍ଟେମ୍ବର ମାସରୁ ଅକ୍ଟୋବର ମାସ ଭିତରେ ଓଡ଼ିଶାରେ ୧ କୋଟି ଟଙ୍କାର ଟ୍ରାଫିକ୍ ଫାଇନ୍ ଆଦାୟ ହୋଇଛି। ଗୁରୁବାର ବିଧାନସଭାର ଶୀତ ଅଧିବେଶନରେ ଏହି ତଥ୍ୟ ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।

ପଦ୍ମନାଭଙ୍କ କହିବା ଅନୁସାରେ, ଦେଶରେ ନୂଆ ମୋଟର ଯାନ ଆଇନ୍ ଲାଗୁ ହେବା ପରେ ଓଡ଼ିଶାରେ ଅକ୍ଟୋବର ମାସ ଶେଷ ସୁଦ୍ଧା ୧କୋଟି ଟଙ୍କାର ଫାଇନ୍ ଆଦାୟ ହୋଇଛି। କେବଳ ଡ୍ରାଇଭିଂ ଲାଇସେନ୍ସ ନଥିବା ଚାଳକମାନଙ୍କ ପାଖରୁ ୪୬ ଲକ୍ଷ ଟଙ୍କା ଫାଇନ୍ କଟା ହୋଇଛି।

ସେହିଭଳି ବିନା ଇନ୍ସୁରାନ୍ସରେ ଗାଡ଼ି ଚଲାଇବା କାରଣରୁ ମୋଟ୍ ୧୩ ଲକ୍ଷ ୭୯ ହଜାର ଟଙ୍କା ଫାଇନ୍ କଟାହୋଇଛି। ଅନ୍ୟପଟେ ମଦୁଆ ଡ୍ରାଇଭରଙ୍କ ପାଖରୁ ମୋଟ୍ ୭ ଲକ୍ଷ ୩୮ ହଜାର ଟଙ୍କା ଫାଇନ୍ ଆଦାୟ ହୋଇଛି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।

ଦେଶରେ କେନ୍ଦ୍ର ସରକାର ସେପ୍ଟେମ୍ବର ୧ ତାରିଖରୁ ନୂଆ ମୋଟର ଯାନ ଆଇନ୍ ଲାଗୁ କରିଥିଲେ। ଏହାଫଳରେ ଟ୍ରାଫିକ୍ ଉଲଘଂନକାରୀମାନଙ୍କୁ ଭାରୀ ଅଙ୍କର ଅର୍ଥରାଶି ଫାଇନ୍ ଦେବାକୁ ପଡ଼ିଥିଲା।

Comment