ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ ମ୍ୟାଚରେ ବିଜୟୀ ହୋଇଛି ଭାରତ। ଏଥିରେ ଗୋଟିଏ ସିରିଜ ଓ ୧୩୦ ରନ୍‌ ଜିତି ଭାରତ ୧-୦ରେ ସିରିଜରେ ଆଗୁଆ ରହିଛି। ବାଂଲାଦେଶ ପ୍ରଥମ ଇଂନିସରେ ୧୫୦ ରନ୍‌ରେ ଅଲଆଉଟ ହୋଇଥିବା ବେଳେ ଦ୍ଵିତୀୟ ଇଂନିସରେ ୨୧୩ ରନ୍‌ରେ ଅଲଆଉଟ ହୋଇ ମ୍ୟାଚରେ ପରାଜୟ ହୋଇଛି।

ଏହି ମ୍ୟାଚରେ ପ୍ରଥମେ ଟସ୍‌ ଜିତି ବାଂଲାଦେଶ ବ୍ୟାଟିଂ ଆରମ୍ଭ କରିଥିଲା। ହେଲେ ବାଂଲା ଦଳ ଭାରତୀୟ ବୋଲରଙ୍କୁ ସାମ୍ନା କରି ନପାରି ମାତ୍ର ୧୫୦ ରନ୍‌ରେ ଅଲଆଉଟ ହୋଇଯାଇଥିଲା। ବାଂଲାଦେଶ ପକ୍ଷରୁ ମୁସାଫିକର ରହିମ ସର୍ବାଧିକ ୪୩ ରନ୍‌ କରିଥିବା ବେଳେ ମୋମିନୁଲ୍‌ ହକ୍‌ ୩୭ ରନ କରିଥିଲେ।

ପରେ ଭାରତ ତା’ର ପ୍ରଥମ ଇଂନିସ ଆରମ୍ଭ କରିଥିଲା। ଏଥିରେ ଦଳ ଧୁଆଁଧାର ବ୍ୟାଟିଂ କରିଥିଲା। ଦଳର ଓପନର ରୋହିତ ଶର୍ମା ବିଫଳ ହୋଇଥିଲେ ମଧ୍ୟ ମୟଙ୍କ ଅଗ୍ରଓ୍ଵାଲ ନିଜ ଜଲଓ୍ଵା ଦେଖାଇଥିଲେ। ମୟଙ୍କ ଏହି ମ୍ୟାଚରେ ତାଙ୍କର ଦ୍ଵିତୀୟ ଦ୍ଵିସତକ ହାସଲ କରିଥିଲେ। ସେ ୩୩୦ ବଲରୁ ୨୪୩ ରନ୍‌ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚେତେଶ୍ଵର ପୂଜାରା ୫୪, ଆଜିଙ୍କ୍ୟ ରାହାଣେ ୮୬ ଓ ରବିନ୍ଦ୍ର ଜାଡେଜା ୬୦ ରନ କରିଥିଲେ। ଫଳରେ ଭାରତ ୪୯୩ ରନ୍ର ବିଶାଳ ସ୍କୋର କରିଥିଲା।

ବାଂଲାଦେଶ ତା’ର ଦ୍ଵିତୀୟ ଇଂନିସରେ ମଧ୍ୟ ବିଫଳତାର ସମ୍ମୁଖୀନ ହୋଇଥିଲା। ଏଥିରେ ମୁସାଫିକର ରହିମଙ୍କୁ ଛାଡ଼ିଦେଲେ କୌଣସି ବି ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରି ପାରିନଥିଲେ। ମୁସାଫିକର ୬୪ ରନ କରିଥିଲେ। ହେଲେ ଦଳ ୨୧୩ ରନ୍‌ରେ ଅଲଆଉଟ ହୋଇଯାଇଥିଲା। ଫଳରେ ଭାରତ ଗୋଟିଏ ଇଂନିସ ଓ ୧୩୦ରନ୍‌ରେ ବିଜୟୀ ହୋଇଥିଲା।

ଏହି ଟେଷ୍ଟ ସିରିଜର ଆଉ ଏକ ମ୍ୟାଚ ବାକି ଅଛି। ଏହି ମ୍ୟାଚ କୋଲକତାର ଇଡେନ-ଗାଡେନରେ ଖେଳାଯିବ। ପ୍ରଥମଥର ପାଇଁ ଏହି ମ୍ୟାଚ ଜରିଆରେ ଭାରତ ଡେ-ନାଇଟ ମ୍ୟାଚ ଖେଳିବ।

Comment