ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ର ସରକାର ଗଠନ ପାଇଁ ଅଫର୍‌ ଦେଲେ କି?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଜନୀତି ଗଣିତ ବୁଝିବା କାଠିକର ପାଠ। ସେ କେତେବେଳେ କେଉଁ ମନ୍ତ୍ର ପଢ଼ି ବିରୋଧୀଙ୍କ ପିଠି ଥାପୁଡ଼େଇବେ ତାହା କେବଳ ତାଙ୍କୁ ହିଁ ଜଣା। ସେ ଠିକଣା ବେଳରେ ଏମିତି ଗେମ୍‌ ଖେଳନ୍ତି ଯେ ନିଜ ଦଳର ନେତା ବି ଠଉରେଇ ପାରନ୍ତି ନାହିଁ। ଆଜି ରାଜ୍ୟସଭାରେ ଯାହା ଘଟିଗଲା ତାହା ଏକ ନମୂନା ବୋଲି ଜାତୀୟ ରାଜନୀତିରେ ଚର୍ଚ୍ଚା ହେଉଛି।

ରାଜ୍ୟସଭାର ୨୫୦ତମ ଅଧିବେଶନରେ ଉଦ୍‌ବୋଧନ ଦେବା ଅବସରରେ ମୋଦୀ ମହାରାଷ୍ଟ୍ର ପାଇଁ ମାଇଣ୍ଡ ଗେମ୍‌ ଖେଳିଥିବା କୁହାଯାଉଛି।

କ’ଣ ଏହି ମାଇଣ୍ଡ ଗେମ୍‌?

ଆଜିଠାରୁ ଆରମ୍ଭ ହୋଇଛି ସଂସଦର ଶୀତକାଳୀନ ଅଧିବେଶନ। ଏହି ଅଧିବେଶନ ଡିସେମ୍ବର ୧୩ ଯାଏଁ ଚାଲିବ। ରାଜ୍ୟସଭାର ୨୫୦ତମ ରାଜ୍ୟସଭାରେ ପାସ୍‌ ହୋଇଥିବା ବିଭିନ୍ନ ଐତିହାସିକ ବିଲ୍‌କୁ ମନେପକାଇବା ଭିତରେ ମାଇଣ୍ଡ ଗେମ୍‌ ଖେଳିଛନ୍ତି। ବିରୋଧୀ ଏନ୍‌ସିପିକୁ ପ୍ରଶଂସା କରି ମହରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଚୌକି ଉପରେ ବିଜେପି ନଜର ପକାଇଥିବା ଆଲୋଚନା ହେଉଛି।

ଆଜିଠୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହୋଇଛି। ସବୁ ସାଂସଦ ନିଜ ନିଜ ରାଜ୍ୟ ଛାଡ଼ି ଦିଲ୍ଲୀ ଆସିଛନ୍ତି। ଏନ୍‌ସିପି ମୁଖ୍ୟ ଶରଦ ପାୱାର ମଧ୍ୟ ସଂସଦ ଅଧିବେଶନରେ ଭାଗ ନେବା ପାଇଁ ଦିଲ୍ଲୀ ଆସିଛନ୍ତି। ରାଜ୍ୟସଭାରେ ଶରଦ ପାୱାର ନିଜ ଆସନରେ ବସିଥିଲେ। ମୋଦୀ ଉଦ୍‌ବୋଧନ ଦେବା ବେଳେ ଶରଦଙ୍କ ଉପସ୍ଥିତିରେ ଏନ୍‌ସିପିକୁ ପ୍ରଶଂସା କରିଥିଲେ।

ଶରଦ ପାୱାର ୨୦୧୪ରୁ ରାଜ୍ୟସଭା ସାଂସଦ ଅଛନ୍ତି। ୨୦୧୪ରୁ ମଧ୍ୟ ମୋଦୀ ପ୍ରଧାନମନ୍ତ୍ରୀ ଆସନରେ ବସିଛନ୍ତି। ହେଲେ ମୋଦୀ କେବେ ବି ଶରଦ୍‌ ପାୱାର କିମ୍ବା ଏନ୍‌ସିପିକୁ ପ୍ରଶଂସା କରିବାର ଦେଖିବାକୁ ମିଳି ନଥିଲା। ଏନ୍‌ସିପି ଓ ବିଜେପି ପରସ୍ପର ବିରୋଧରେ ନିର୍ବାଚନ ଲଢୁଥିଲେ। ହେଲେ ବିରୋଧୀ ଏନ୍‌ସିପିକୁ ମନାଇବା ପାଇଁ ମୋଦୀ ରାଜ୍ୟସଭାରେ ମିଠା କଥା କହିଛନ୍ତି।

ସୋନିଆଙ୍କୁ ଭେଟିବା ପୂର୍ବରୁ ମୋଦୀ ଖେଳିଲେ ଗେମ୍‌!

ମହାରାଷ୍ଟ୍ରରେ ୨୦ ଦିନରୁ ଅଧିକ ସମୟ ହେଲା ସରକାର ଗଠନକୁ ନେଇ ହାଇଭୋଲଟେଜ୍‌ ଡ୍ରାମା ଚାଲିଛି। ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିଜେପି ଓ ଶିବସେନା ଭିତରେ ଭାଗବଣ୍ଟା ନଛିଣ୍ଡିବାରୁ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି।

ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ଏବେ ଶିବସେନା-ଏନ୍‌ସିପି-କଂଗ୍ରେସ ଏକାଠି ହୋଇ ସରକାର ଗଠନ କରିବାକୁ ଆଲୋଚନା କରୁଛନ୍ତି। କିନ୍ତୁ ଏନେଇ କୌଣସି ନିଷ୍ପତ୍ତି ହୋଇପାରୁ ନାହିଁ। ସରକାରଗ ଠନ ସମ୍ପର୍କରେ ଶରଦ ପାୱାର ଆଜି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି। ଶରଦ ସୋନିଆଙ୍କୁ ଭେଟିବା ପୂର୍ବରୁ ମୋଦୀ ସଂସଦରେ ଏନ୍‌ସିପିକୁ ପ୍ରଶଂସା କରି ମାଇଣ୍ଡ ଗେମ୍‌ ଖେଳିଥିବା କୁହାଯାଉଛି।

ମୋଦୀ ଏହି ଗେମ୍‌ ମାପିଚୁପି ଖେଳିଥାଇ ପାରନ୍ତି ବୋଲି କୁହାଯାଉଛି। ଏହି ପ୍ରଶଂସା କରି ମୋଦୀ ଏନ୍‌ସିପିକୁ ଦୁଇଟି ସଙ୍କେତ ଦେବାକୁ ଚାହିଁଛନ୍ତି। ଶିବସେନା ସହ ମେଣ୍ଟ କରିବାକୁ ଶରଦ ପାୱାର ଯେଉଁ ଅଣ୍ଟା ଭିଡ଼ିଛନ୍ତି ସେଥିରୁ ଦୂରେଇ ରହିବା ପାଇଁ ଏବଂ ଅନ୍ୟଟି ହେଉଛି ବିଜେପିକୁ ସମର୍ଥନ କରିବା। ଯଦି ପାୱାର ଶିବସେନାକୁ ସମର୍ଥନ ଦେଉ ନାହାନ୍ତି ତାହାଲେ ବିଜେପିକୁ ସମର୍ଥନ କରନ୍ତୁ ବୋଲି ମୋଦୀ ପରୋକ୍ଷରେ ସଙ୍କେତ ଦେଇଥିବା ଚର୍ଚ୍ଚା ହେଉଛି।

ଯଦି ଶିବସେନା ସହ କଂଗ୍ରେସ ମିଶି ସରକାର ଗଠନ କରିବାକୁ ଚାହୁଁଛି ତାହାଲେ ବିଜେପି ଏନ୍‌ସିପି ସହିତ ମିଶିବାରେ ଅସୁବିଧା ନାହିଁ ବୋଲି ଜାତୀୟ ରାଜନୀତି କରିଡରରେ ଚର୍ଚ୍ଚା ଚାଲିଛି।

Comment