ଓଡ଼ିଶାଲାଇଭ୍ ପଲିଟିକାଲ୍‌ ବ୍ୟୁରୋ

ବିଧାନସଭାର ଶୀତ ଅଧିବେଶନରେ ପାଣି ତାତି। ଏହି ତାତି କୌଣସି ବିରୋଧୀ ଦଳର ବିଧାୟକଙ୍କ ପ୍ରଶ୍ନକୁ ନେଇ ନୁହେଁ, ଖୋଦ୍‌ ଶାସକ ଦଳର ବିଧାୟକ ମଙ୍ଗଳବାର ପାଣି ପ୍ରସଙ୍ଗରେ ପ୍ରଶ୍ନ ପଚାରି ମନ୍ତ୍ରୀଙ୍କୁ ଘେରିଥିଲେ। ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା ଏହାର ଉତ୍ତର ରଖିଥିଲେ।

ମହାରଥୀ ପଚାରିଥିଲେ, ‘‘ପ୍ରତି ଗାଁକୁ ୨୦୨୦ ସୁଦ୍ଧା ପାନୀୟ ଜଳ ଯୋଗାଣ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ହେଲେ ପୁରୀ ଜିଲ୍ଲାରେ ଯେଉଁ ପୂର୍ତ୍ତ ଓ ଆର୍‌ଡି ବିଭାଗ ରାସ୍ତାରେ ଯେଉଁ ପାଇପ୍‌ ପଡୁଛି ତାହା ଫାଟି ଯାଉଛି। ନବୀନ ପଟ୍ଟନାୟକଙ୍କ ନାଁ ନେଇ ମନ୍ତ୍ରୀ ପାର୍ ହୋଇ ଯାଉଛନ୍ତି। ଏସବୁ ସମସ୍ୟାର ସମାଧାନ ପାଇଁ ମନ୍ତ୍ରୀ କି ପଦକ୍ଷେପ ନେଇଛନ୍ତି ତାହା ଜଣାନ୍ତୁ।’’

ଏହାର ଉତ୍ତରରେ ମନ୍ତ୍ରୀ ଶ୍ରୀ ଜେନା କହିଥିଲେ, ‘‘୨୦୨୦ ସୁଦ୍ଧା ସବୁ ସହରାଞ୍ଚଳ ଏବଂ ୨୦୨୪-୨୫ ସୁଦ୍ଧା ସବୁ ଗ୍ରାମାଞ୍ଚଳକୁ ପାନୀୟ ଜଳ ଯୋଗାଇ ଦେବାର ଲକ୍ଷ୍ୟ ରହିଛି। ଏବେ ୪୭ ହଜାର ୩୬୬ ଗାଁରୁ ୧୯ ହଜାର ୫୦୪ଟି ଗାଁକୁ ପାନୀୟ ଜଳ ଯୋଗାଇ ଦିଆଯାଉଛି।’’

ଏପଟେ ବୌଦ୍ଧ ବିଧାୟକ ପ୍ରଦୀପ ଅମାତ ମଧ୍ୟ ପାଣି ପ୍ରସଙ୍ଗରେ ମନ୍ତ୍ରୀଙ୍କୁ ଘେରିଥିଲେ। ସେ କହିଥିଲେ ଯେ ବୌଦ୍ଧ ବଘିଆପଡ଼ା ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ଦୂର ପାଇଁ ୧୩ ବର୍ଷ ତଳେ ଆରମ୍ଭ ହୋଇଥିଲା ସ୍ୱଜଳ ଧାରା ପ୍ରକଳ୍ପ। ହେଲେ ଏହି ପ୍ରକଳ୍ପ ଅଧାରେ ପଡ଼ିଛି। ବସୁଧା ଯୋଜନାରେ ପାଣି ଯୋଗାଇବା କାମ ମନ୍ଥର ଗତିରେ ଚାଲିଛି। ଫଳରେ ଲୋକେ ଅସୁବିଧା ଭୋଗୁଛନ୍ତି।

ଅମାତଙ୍କ ପ୍ରଶ୍ନ ଶୁଣି ଆଶ୍ଚର୍ଯ୍ୟ ହୋଇଥିଲେ ମନ୍ତ୍ରୀ। ସେ କହିଥିଲେ ଯେ ୨୪ ଘଣ୍ଟା ଭିତରେ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସୂଚନା ଦିଆଯିବ।

Comment