ଓଡ଼ିଶାଲାଇଭ୍ ବ୍ୟୁରୋ
ମହାରାଷ୍ଟ୍ରରେ ଭାଙ୍ଗିଲା ୩ ଦିନିଆ ସରକାର। ଶନିବାର ଦେବେନ୍ଦ୍ର ଫଡନାଭିସ୍ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏନେଇ ସାମ୍ବାଦିକ ସମ୍ମିଳନୀରେ ଦେବେନ୍ଦ୍ର ଫଡନାଭିସ୍ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, କିଛି ସମୟ ପୂର୍ବରୁ ଉପ-ମୁଖ୍ୟମନ୍ତ୍ରୀ ପଦରୁ ଅଜିତ ପାୱାର ଇସ୍ତଫା ଦେଇଥିଲେ।
ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି, “ଆମ ପାଖରେ ବହୁମତ ନାହିଁ। ଆମେ ବିରୋଧୀ ଆସନରେ ବସିବାକୁ ପ୍ରସ୍ତୁତ ଅଛୁ। ବିରୋଧୀ ଆସନରେ ବସି ଆମେ ନୂଆ ସରକାରକୁ କାମ କରିବା ଶିଖାଇବୁ।”
ସେ ଆହୁରି ମଧ୍ୟ କହିଛନ୍ତି, ଆମ ଉଦ୍ଦେଶ୍ୟ କେବେ ମନ୍ଦ ନଥିଲା। ୩ ଚକା ଉପରେ ସରକାର ଚାଲିବା କଷ୍ଟକର। ଆମେ ଅସାଧୁ ଦଳ ସହ ମେଣ୍ଟ କରିବାକୁ ଚାହୁଁନୁ। ପ୍ରେସ୍ ମିଟ୍ ପରେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ଦେବି।
ମହାରାଷ୍ଟ୍ରରେ ଘଡ଼ିକି ଘୋଡ଼ା ଛୁଟୁଛି। ଏନ୍ସିପି ନେତା ଅଜିତ ପାୱାରଙ୍କ ସମର୍ଥନରେ ଦେବେନ୍ଦ୍ର ଫଡନାଭିସ୍ ଶନିବାର ସରକାର ଗଢ଼ିଥିଲେ। ଏହାପରେ ଏନ୍ସିପି ଅଧ୍ୟକ୍ଷ ଶରଦ ପାୱାର ବିଜେପିକୁ ସରକାର ଗଢ଼ିବାକୁ ଦେବୁନି ବୋଲି କହିଥିଲା। ପରେ ଶିବସେନା-ଏନ୍ସିପି-କଂଗ୍ରେସ ମିଳିତ ଭାବେ ବିଜେପିର ଫ୍ଲୋର ଟେଷ୍ଟ ଦାବିକରି ସୁପ୍ରିମକୋର୍ଟରେ ଅପିଲ କରିଥିଲେ।
ତେବେ ଫ୍ଲୋର ଟେଷ୍ଟ ପୂର୍ବରୁ ବିଜେପି ହାର ମାନିଯାଇଛି। ଦଳ ପାଖରେ ବହୁମତ ନଥିବା ଦେବେନ୍ଦ୍ର ଫଡନାଭିସ୍ କହିଥିବା ବେଳେ ନିଜ ମୁଖ୍ୟମନ୍ତ୍ରୀ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ଏଥିସହିତ ମହାରାଷ୍ଟ୍ରରେ ଫଡନାଭିସ୍ଙ୍କ ୩ ଦିନଆ ସରକାରର ଅନ୍ତ ଘଟିଛି।