ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

କାଳିଆ ଓ ପିଏମ୍‌ କିଷାନ୍‌ ଯୋଜନାରେ ଚାଷୀ ବର୍ଷକୁ ୧୬ ହଜାର ଟଙ୍କା ପାଇବାକୁ ଆଶା ରଖିଥିଲେ। ହେଲେ ସେ ଆଶା ମଉଳି ଯାଇଛି।

ନିର୍ବାଚନ ପୂର୍ବରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀ କାର୍ଡ ଖେଳିଥିଲେ। ରାଜ୍ୟ ସରକାର ‘କାଳିଆ’ ଯୋଜନା ଶୁଭାରମ୍ଭ କରିଥିବା ବେଳେ କେନ୍ଦ୍ର ସରକାର ‘ପିଏମ୍‌ କିଷାନ୍‌’ ଯୋଜନା ଆରମ୍ଭ କରିଥିଲେ। ଏହି ଦୁଇ ଯୋଜନାକୁ ନେଇ ନିର୍ବାଚନ ପୂର୍ବରୁ ଉଭୟ ବିଜେପି ଏବଂ ବିଜେଡି ମୁହାଁମୁହିଁ ହୋଇଥିଲେ। ହେଲେ ନିର୍ବାଚନ ପରେ ଏହି ଦୁଇ ଯୋଜନା ମିଶି ଯାଇଛନ୍ତି।

ନିର୍ବାଚନ ପୂର୍ବରୁ ‘କାଳିଆ’ ଓ ‘କିଷାନ୍‌’ ଯୋଜନାକୁ ନେଇ ଯେଉଁ ମହାଭାରତ ଦେଖାଦେଇଥିଲା ଏବେ ଏହି ଦୁଇ ଯୋଜନାକୁ ସରକାର କାହିଁକି ମିଶାଇଦେଲେ ତାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଦୁଇ ଯୋଜନା ମିଶିଯିବା ଫଳରେ ଚାଷୀମାନେ ଫାଇଦାରେ ରହିବେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଚାଷୀମାନେ ଲାଭ ନୁହେଁ, ଲସ୍‌ରେ ପଡ଼ିଲେ ବୋଲି କୁହାଯାଉଛି।

ରାଜ୍ୟ ସରକାର ‘କାଳିଆ’ ଯୋଜନାରେ ବର୍ଷକୁ ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ଦେବାକୁ ଘୋଷଣା କରିଥିଲେ। କେନ୍ଦ୍ର ସରକାର ବର୍ଷକୁ ୬ ହଜାର ଦେବାକୁ ଘୋଷଣା କରିଥିଲେ। ଯେଉଁ ଚାଷୀଙ୍କର ଦୁଇ ଯୋଜନାରେ ନାଁ ଥିଲା ସେମାନେ ବର୍ଷକୁ ୧୬ ହଜାର ଟଙ୍କା ପାଇଥାନ୍ତେ। ହେଲେ ଏହି ଦୁଇ ଯୋଜନା ମିଶିଯିବା ପରେ ଚାଷୀମାନେ କ୍ଷତିରେ ପଡ଼ିଛନ୍ତି। ୧୬ ହଜାର ବଦଳରେ ଚାଷୀ ବର୍ଷକୁ ୧୦ ହଜାର ଟଙ୍କା ପାଇବେ ବୋଲି ଜଣାପଡ଼ିଛି।

କେନ୍ଦ୍ର ସରକାର ପିଏମ୍‌ କିଷାନ୍‌ ଯୋଜନା ବାବଦରେ ୬ ହଜାର ଟଙ୍କା ଦେବେ। ତେବେ ରାଜ୍ୟ ସରକାର କାଳିଆ ଯୋଜନା ବାବଦରେ ୪ ହଜାର ଟଙ୍କା ଦେବେ ବୋଲି କହିଛନ୍ତି। ଏଣୁ ଚାଷୀ ବର୍ଷକୁ ଗାଏମୋଟ ୧୦ ହଜାର ଟଙ୍କା ମିଳିବା ସ୍ପଷ୍ଟ ହୋଇଯାଇଛି। କାଳିଆ ଯୋଜନାରେ ବର୍ଷକୁ ମିଳିବାକୁ ଥିବା ୧୦ ହଜାର ଟଙ୍କାରୁ ରାଜ୍ୟ ସରକାର ୬ ହଜାର ଟଙ୍କା କାଟି ଦେଇଛନ୍ତି।

କାଳିଆ ଯୋଜନାରେ ରାଜ୍ୟ ସରକାର ୬ ହଜାର ଟଙ୍କା କାଟିଦେବାକୁ ନେଇ ନବନିର୍ମାଣ କୃଷକ ସଙ୍ଗଠନ ପ୍ରଶ୍ନ ଉଠାଇଛି। ରାଜ୍ୟ ସରକାର ଚାଷୀମାନଙ୍କୁ ପ୍ରତାରିତ କରିଥିବା ସଂଘ କହିଛି। ଏହାକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରିବାକୁ ସଙ୍ଗଠନ ଚେତାବନୀ ଦେଇଛି।

କାଳିଆ ଯୋଜନା ଶୁଭାରମ୍ଭ କରି ରାଜ୍ୟ ସରକାର ନିର୍ବାଚନ ବୈତରଣୀ ପାର୍‌ ହୋଇଥିଲେ। ନିର୍ବାଚନ ପୂର୍ବରୁ କିଛି ଚାଷୀଙ୍କୁ ପ୍ରଥମ କିସ୍ତିର ଟଙ୍କା ମିଳିଥିବା ବେଳେ ବାକି ଚାଷୀଙ୍କୁ ନୂଆ ସରକାର ଗଠନ ହେବା ପରେ ମିଳିଥିଲା। ହେଲେ ଏହାପରେ କାଳିଆ ଯୋଜନା ଗୋଳିଆ ହୋଇଯାଇଥିଲା।

ଅଯୋଗ୍ୟ ହିତାଧିକାରୀ ଟଙ୍କା ନେଇ ଯାଇଥିବା ସରକାର କହିଲେ। ଏଣୁ ରାଜ୍ୟରେ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟା ଚାଲିଲା। ପ୍ରାୟ ୪୦ ହଜାରରୁ ଅଧିକ ଅଯୋଗ୍ୟ ଚାଷୀ କାଳିଆ ଟଙ୍କା ନେଇ ଯାଇଥିବା ସରକାର କହିଲେ। ଅଯୋଗ୍ୟ ହିତାଧିକାରୀଙ୍କଠାରୁ ଟଙ୍କା ଫେରାଇ ଆଣିବା ଲାଗି ବିଜ୍ଞପ୍ତି ପ୍ରକାଶ କଲେ। ଏହାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ଦେଖାଦେଲା।

ବିରୋଧୀ ରାଜ୍ୟ ସରକାରଙ୍କୁ ଘେରିଲେ। ଯଦି ଟଙ୍କା ନାହିଁ ତାହାଲେ କାଳିଆ ଯୋଜନା କାହିଁକି ଶୁଭାରମ୍ଭ କଲେ ବୋଲି ପ୍ରଶ୍ନ କଲେ। ଏସବୁ ଛକାପଞ୍ଝା ଭିତରେ ଦ୍ୱିତୀୟ କିସ୍ତି ଟଙ୍କାକୁ ଚାହିଁ ରହିଥିବା ଚାଷୀ ନିରାଶ ହେଲେ। ନଭେମ୍ବର ମାସରେ ଦ୍ୱିତୀୟ କିସ୍ତି ଟଙ୍କା ଦେବାକୁ ସରକାର ଶେଷରେ ଘୋଷଣା କଲେ। ହେଲେ ଡିସେମ୍ବର ଆରମ୍ଭ ହୋଇଗଲା ପଛେ ଚାଷୀଙ୍କୁ ଦ୍ୱିତୀୟ କିସ୍ତି କାଳିଆ ଟଙ୍କା ମିଳିଲା ନାହିଁ। ଶେଷରେ ରାଜ୍ୟ ସରକାର କାଳିଆକୁ ପିଏମ୍‌ କିଷାନ୍‌ ସହ ମିଶାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ପୂର୍ବରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମ୍ପର୍କକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଥିଲା। ବିଜେଡି-ବିଜେପି ଭାଇ ଭାଇ ବୋଲି କହୁଥିଲା। ଏବେ କେନ୍ଦ୍ରର ‘ପିଏମ୍‌ କିଷାନ୍‌’ ସହିତ ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନା ମିଶି ଯାଇଥିବାରୁ ରାଜନୀତି ତେଜିଛି। କଂଗ୍ରେସ ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ କରିଛି।

Comment