ଓଡ଼ିଶାଲାଇଭ୍ ବ୍ୟୁରୋ

“ବିବାହର ବର୍ଷେ ନପୂରୁଣୁ ମୋ ସ୍ୱାମୀ ମତେ ଛାଡ଼ି ଚାଲିଗଲେ। ମୋ ସ୍ୱାମୀଙ୍କୁ ଯେଉଁଠି ମାରିଲ ମତେ ସେଇଠି ମାରିଦିଅ। ମୁଁ ତାଙ୍କ ବିନା ବଞ୍ଚିପାରିବନି”, ଏହି ବୟାନ ଦେଇଛନ୍ତି ହାଇଦ୍ରାବାଦ ‘ଦିଶା’ ଗଣଦୁଷ୍କର୍ମ ଅଭିଯୁକ୍ତ ଚେନ୍ନା କେଶବୁଲୁଙ୍କ ପତ୍ନୀ।
ହାଇଦ୍ରାବାଦ ଦିଶା ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କୁ ଶୁକ୍ରବାର ପୋଲିସ୍ ଏନ୍କାଉଣ୍ଟର କରିଛି। ତେଲେଙ୍ଗାନା ପୋଲିସ୍ର ଏନ୍କାଉଣ୍ଟରରେ ସମସ୍ତ ୪ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଛି। ଏହି ଏନ୍କାଉଣ୍ଟରରେ ମୃତ୍ୟୁ ହୋଇ ହୋଇଥିବା ଅଭିଯୁକ୍ତ ଚିନ୍ତାକୁଟା ଚେନ୍ନା କେଶବୁଲୁଙ୍କ ପତ୍ନୀ ସମ୍ପୁର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି।

ଏକ ବର୍ଷ ତଳେ ଚେନ୍ନା କେଶବୁଲୁଙ୍କ ବିବାହ ହୋଇଥିଲା। ତେବେ ବାହାଘରର ଏକ ବର୍ଷ ନପୂରୁଣୁ ସ୍ୱାମୀ ତାଙ୍କୁ ଛାଡ଼ି ଚାଲିଯାଇଛନ୍ତି। ଏହି ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି କେଶବୁଲୁଙ୍କ ପତ୍ନି। ପୋଲିସ୍ ତାଙ୍କ ସ୍ୱାମୀଙ୍କୁ ଯେଉଁଠି ମାରିଛି, ତାଙ୍କୁ ସେଇଠି ମାରି ଦେବା ପାଇ କେଶବୁଲୁଙ୍କ ପତ୍ନି କାନ୍ଦି କାନ୍ଦି କହିଛନ୍ତି।

କିଛି ଦିନ ତଳେ କେଶବୁଲୁଙ୍କ ମା’ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ଦେଇ କହିଥିଲେ, “ଯଦି ମୋ ପୁଅ ଭୁଲ କରିଛି ତେବେ ତାକୁ ଜାଳି ଦିଆଯାଉ। ମୋ ପୁଅ ମୋ ପାଇଁ ମରିଯାଇଛି। ୯ ମାସ ଗର୍ଭରେ ଧରି ଝିଅକୁ ଜନ୍ମ ଦେଇଥିବା ମା’ ଝିଅର ମୃତ୍ୟୁରେ କିଭଳି ଅବସ୍ଥାରେ ଥିବା ତାହା ମୁଁ ବୁଝି ପାରୁଛି।”
ଶୁକ୍ରବାର ହାଇଦ୍ରାବାଦ ଦିଶା ଗଣଦୁଷ୍କର୍ମର ୪ ଅଭିଯୁକ୍ତଙ୍କୁ ପୋଲିସ୍ ଏନ୍କାଉଣ୍ଟର କରିଛି। ପୋଲିସ୍ର ଏହି ପଦକ୍ଷେପକୁ ସାରା ଦେଶରେ ପ୍ରଶାଂସା କରୁଥିବା ବେଳେ ହାଇଦ୍ରାବାଦରେ ପୋଲସ୍ଙ୍କୁ ଅଭିନନ୍ଦନର ସୁଅ ଛୁଟୁଛି। ତେବେ ଏହାକୁ ଅନେକ ସମାଲୋଚନା ମଧ୍ୟ କରିଛନ୍ତି।












