ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ତନରେ କୌଣସି ପ୍ରକାର ପରିବର୍ତ୍ତନ ଦେଖାଦେଲେ, ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରି ସ୍ତନ କର୍କଟ ପରୀକ୍ଷା କରାଇନିଅନ୍ତୁ।

ବର୍ତ୍ତମାନ ସ୍ତନ କର୍କଟ ଏକ ମୁଖ୍ୟ ସମସ୍ୟା ଭାବେ ମୁଣ୍ଡ ଟେକିଛି। ସ୍ତନ କର୍କଟର କାରଣ କ’ଣ? ଏହାକୁ କିପରି ଚିହ୍ନିବା? ଏହାର ଉପଚାର କ’ଣ? ସେ ନେଇ ହେମଲତା ହସ୍ପିଟାଲର ସ୍ତନ କର୍କଟ ବିଶେଷଜ୍ଞ ଡାକ୍ତର ଦୀପକ କୁମାର ଦାସ କ’ଣ କହୁଛନ୍ତି ଜାଣନ୍ତୁ?

କର୍କଟର ସେଲ୍ସ ସ୍ତନର ଟିସ୍ୟୁରେ ହୋଇଥାଏ। ଏହା ସ୍ତନର ଟିସ୍ୟୁରୁ ଆରମ୍ଭ ହୋଇ ସ୍ତନର ଆଖପାଖ ଟିସ୍ୟୁ ଏବଂ ଧୀରେଧୀରେ ପୂରା ଶରୀରରେ ବ୍ୟାପିଥାଏ।

କାରଣ?

ସ୍ତନ କର୍କଟ ହେବା ପଛରେ ଅନେକ କାରଣ ରହିଛି। ଯଦି କୌଣସି ମହିଳା ବିଳମ୍ବରେ ବିବାହ କରିବା ସହ ବିଳମ୍ବରେ ମା’ ହୁଅନ୍ତି, ସେମାନଙ୍କଠାରେ ସ୍ତନ କର୍କଟ ହେବାର ଆଶଙ୍କା ଅଧିକ ଥାଏ।

ସେହିଭଳି ପିଲା ନ ହେଉଥିଲେ ମଧ୍ୟ ସ୍ତନ କର୍କଟ ହେବାର ଆଶଙ୍କା ଦେଖାଦେଇଥାଏ। ବୟସ ବଢ଼ିବା ସହ ଏହାର ରିସ୍କ ମଧ୍ୟ ବଢ଼ି ବଢ଼ି ଚାଲେ।

ଅଧିକ ମଦ୍ୟପାନ ସ୍ତନ କର୍କଟର କାରଣ ହୋଇପାରେ।

କମ୍‌ ବୟସରେ ୠତୁସ୍ରାବ ଆରମ୍ଭ ହେବା ଏବଂ ଅଧିକ ବୟସରେ ୠତୁସ୍ରାବ ବନ୍ଦ ହେବା ସ୍ତନ କର୍କଟର କାରଣ ହୋଇଥାଏ।

ତା’ସହ ମୋଟାପଣ ମଧ୍ୟ ସ୍ତନ କର୍କଟର ଆଉ ଏକ କାରଣ।

ଯଦି କୌଣସି ଲୋକ ହରମୋନାଲ ରିପ୍ଲେସମେଣ୍ଟ ଥେରାପି ନେଉଛନ୍ତି, ତାଙ୍କୁ ଏହି ରୋଗ ହୋଇପାରେ। ବଂଶଗତ କାରଣ ଯୋଗୁଁ ମଧ୍ୟ ସ୍ତନ କର୍କଟ ମହିଳାମାନଙ୍କ ପାଖରେ ଦେଖିବାକୁ ମିଳିଥାଏ। ଯେଉଁମାନଙ୍କ ମା’ କିମ୍ବା ମାଉସୀ, ଭଉଣୀଙ୍କୁ ସ୍ତନ କକର୍ଟ ହୋଇଥାଏ, ତେବେ ତାଙ୍କ ପର ପିଢ଼ିଙ୍କଠାରେ ସ୍ତନ କର୍କଟ ହେବାର ଆଶଙ୍କା ଅଧିକ ଥାଏ। ଏହି ମହିଳାମାନେ ସ୍ତନ କର୍କଟ ପାଇଁ ଅଧିକ ସଚେତନ ହେବା ଜରୁରୀ।

ସ୍ତନ କର୍କଟର ଲକ୍ଷଣ

ସ୍ତନ କର୍କଟ ହେଲେ ଆପଣଙ୍କ ସ୍ତନର ଗୋଟିଏ ପାଖ ଗେଟାଳିଆ ହେଲା ପରି ଲାଗିବ। କାଖରେ ବି ଗେଟାଳିଆ ଭଳି ହୋଇଥାଏ।

ଏହାସହ ସ୍ତନର ଅଗ୍ରଭାଗ ସଙ୍କୁଚିତ ହୋଇଯିବ।

ସ୍ତନରେ ନାଲି ପଡ଼ିଯାଏ।

ସ୍ତନର ଆକାରରେ ପରବର୍ତ୍ତନ ପରିଲକ୍ଷିତ ହୁଏ।

କେତେକ ମହିଳାଙ୍କ କ୍ଷେତ୍ରରେ ସ୍ତନରୁ ରକ୍ତ ମଧ୍ୟ ବାହାରିଥାଏ। ସ୍ତନ କର୍କଟ ହେଲେ କେତେକଙ୍କ ସ୍ତନ ସମ୍ପୂର୍ଣ୍ଣ ଲାଲ ହୋଇଯାଇଥାଏ।

ସ୍ତନ କର୍କଟର କେମିତି କରିବେ ପ୍ରତିକାର?

ଜଣେ ମହିଳା ତାଙ୍କ ସ୍ତନର ଆକାରକୁ ଜାଣିବା ନିହାତି ଦରକାର। କାରଣ ଯଦି ହଠାତ୍ ତାଙ୍କ ସ୍ତନରେ କୌଣସି ପ୍ରକାର ପରିବର୍ତ୍ତନ ଲକ୍ଷ୍ୟ କରନ୍ତି ତେବେ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ।

ଡାକ୍ତରଙ୍କଠାରୁ ଉପଯୁକ୍ତ ପରାମର୍ଶ ନେବା ସହ ଚିକିତ୍ସା ସାହାଯ୍ୟରେ ଏହାର ପ୍ରତିକାର କରାଯାଇପାରିବ ବୋଲି ଡାକ୍ତର ଦୀପକ କୁମାର ଦାସ କହିଛନ୍ତି।

ଆଧୁନିକ ସମୟରେ ମାମୋଗ୍ରାଫି ସାହାଯ୍ୟରେ ପରୀକ୍ଷା କରି ମଧ୍ୟ ସ୍ତନ କର୍କଟର ପ୍ରତିକାର କରାଯାଇପାରିବ। ତା’ସହ କେମୋଥେରାପି, ରେଡିଓଥେରାପି ଆଦି ନେଇ ଏହି ରୋଗର ପ୍ରତିକାର କରାଯାଇପାରିବ।

କେଉଁ ବୟସର ପିଲାଙ୍କୁ ହୋଇଥାଏ ସ୍ତନ କର୍କଟ?

ସ୍ତନ କର୍କଟ ଉଭୟ ଯୁବ ଓ ବୟସ୍କ ମହିଳାଙ୍କ ପାଖରେ ଦେଖାଯାଇଥାଏ। ମୁଖ୍ୟତଃ ଯୁବତୀମାନଙ୍କୁ ବଂଶଗତ କାରଣ ଯୋଗୁଁ ସ୍ତନ କର୍କଟ ହୋଇଥାଏ।

ମୋଟାପଣ ବୃଦ୍ଧି ହେବା ଫଳରେ ଶରୀରରେ ଏଷ୍ଟ୍ରୋଜେନ୍‌ ହରମୋନ୍‌  ବୃଦ୍ଧି ପାଇଥାଏ, ଯାହାକି ସ୍ତନ କର୍କଟର ମୁଖ୍ୟ କାରଣ ହୋଇଥାଏ।

ଯୁବବର୍ଗଙ୍କ ସହ ବୟସ୍କ ମହିଳାଙ୍କ ପାଖରେ ମଧ୍ୟ ଏହି ରୋଗ ଦେଖିବାକୁ ମିଳିଥାଏ।  ୭୦ ବର୍ଷ ବୟସ ପର୍ଯ୍ୟନ୍ତ ଏହି ରୋଗରେ ବିପଦ ବଢ଼ି ବଢ଼ି ଚାଲିଥାଏ ବୋଲି କହିଛନ୍ତି ଡାକ୍ତର ଦୀପକ କୁମାର ଦାସ।

LEAVE A REPLY

Please enter your comment!
Please enter your name here