ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆତ୍ମଘୋଷିତ ବାବା ସାରଥିଙ୍କ ପିଛା ଛାଡୁନି କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚର ପରାମର୍ଶ କ୍ରମେ ପ୍ରବର୍ତ୍ତନ ନିର୍ଦ୍ଦଶାଳୟ ଶୁକ୍ରବାର ସାରଥିଙ୍କ ସତ୍ୟମ୍ ଚାରିଟେବୁଲ ଟ୍ରଷ୍ଟର ୩ ଜଣ ସଦସ୍ୟଙ୍କ ନାଁରେ ରହିଥିବା ୩ଟି ପ୍ଲଟରେ ଆଜି ନୋଟିସ ଝୁଲାଇଛି।

ଭାରତ ସରକାରଙ୍କ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଧିକାରୀମାନେ ଶୁକ୍ରବାର ସାରଥୀଙ୍କ ଚାରିଟେବୁଲ ଟ୍ରଷ୍ଟର ୩ଟି ପ୍ଲଟର ୧ ଏକର ୭୫ ଡେସମିଲ ଜମିକୁ ସିଲ୍ କରିଛନ୍ତି। ଏହି ଜମିରେ ଚାଷ ହୋଇଥିବା ଧାନ ଏବେ ପାଚି ଯାଇଥିବାରୁ ଭାଗ ଚାଷୀମାନେ କାଟିବା ଆରମ୍ଭ କରିଥିଲେ। କିନ୍ତୁ ଏବେ ଏହି ନୋଟିସ ଜାରି ହେବାରୁ ଆଉ ଏହି ଜମିରୁ ଧାନ କଟାଯାଇ ପାରିବନାହିଁ ବୋଲି ଜଣାପଡିଛି।


କେନ୍ଦ୍ରାପଡା ତହସିଲ ଅନ୍ତର୍ଗତ ଗରାପୁର ଗାଁର ୪୫ ଡେସିମିଲ ଜମି ସତ୍ୟମ୍ ଚାରିଟେବୁଲ ଟ୍ରଷ୍ଟର ସଦସ୍ୟ ରବିନ୍ଦ୍ର ପଟ୍ଟନାୟକଙ୍କ ନାମରେ ରହିଛି। ରବିନ୍ଦ୍ରଙ୍କ ଘର କଟକ ସହରର ଲାଲବାଗ ଅଞ୍ଚଳରେ। ସେହିପରି ସେହି ଗରାପୁର ମୌଜାରେ ରହିଛି ୯୫ ଡେସିମିଲ ଜମି। ଯାହା କେନ୍ଦ୍ରାପଡ଼ା ବାରିମୂଳ ଗାଁର ସରୋଜ ରାଉତଙ୍କ ନାମରେ ରହିଛି। ସରୋଜ ମଧ୍ୟ ସତ୍ୟମ ଚ୍ୟାରିଟେବଲ ଟ୍ରଷ୍ଟର ସଦସ୍ୟ ଅଛନ୍ତି।

ଏହାସହ ସତ୍ୟମ୍ ଚାରିଟେବୁଲ ଟ୍ରଷ୍ଟର ଅନ୍ୟତମ ସଦସ୍ୟ ସ୍ଥାନୀୟ ନାଗେଶ୍ଵରପୁର ଗାଁର ସୁରେଶ ମଳିକଙ୍କ ନାମରେ ସେହି ଗାଁରେ ରହିଛି ୩୮ ଡେସିମିଲ ଜମି ରହିଛି। ଗତ ଜୁଲାଇ ମାସ ୨୭ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ଟ୍ରଷ୍ଟର ୨୬ଟି ପ୍ଲଟକୁ ସିଲ୍ କରିଥିଲା। ଯେଉଁଥିରେ ସାରଥିଙ୍କର ମୁଖ୍ୟ ମନ୍ଦିର ରହିଛି।

Comment