ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ୭୩୬୦୯ ଜଣ ବିଦେଶୀ ବସବାସ କରୁଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ ୭୮ ପ୍ରତିଶତ ରାଜ୍ୟର ଗାଁ ଗହଳରେ ବାସ କରୁଛନ୍ତି। ଅବଶ୍ୟ ଏହା ହେଉଛି ୨୦୧୧ ଜନଗଣନାର ପରିସଂଖ୍ୟାନ। ଏହି ଦଶ ବର୍ଷ ମଧ୍ୟରେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇଥିବ ନିଶ୍ଚିତ।

ଯେଉଁମାନେ ବାହାରୁ ଆସି ଓଡ଼ିଶାରେ ରହୁଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ହିନ୍ଦୁ ଓ ମୁସଲିମ୍‌। ଏମାନେ ମୁଖ୍ୟତଃ ବଙ୍ଗଳା ଦେଶରୁ ଆସି ରହିଛନ୍ତି। ମଜା କଥା ହେଉଛି ଓଡ଼ିଶାରେ ୧୧୧୪ ଜଣ ପାକିସ୍ତାନୀ ଲୋକ ବି ସ୍ଥାୟୀ ବାସିନ୍ଦା ହୋଇଛନ୍ତି। ତେବେ ୧୧୩ ଜଣ ପାକିସ୍ତାନୀ ଓ ୧୮୪୮ ଜଣ ବଙ୍ଗଳା ଦେଶର ଲୋକେ କେବେଠାରୁ ଓଡ଼ିଶାରେ ସ୍ଥାୟୀ ଭାବେ ରହୁଛନ୍ତି ତାହାର ରେକର୍ଡ ମିଳୁନାହିଁ।

କେନ୍ଦ୍ର ସରକାରଙ୍କ ନାଗରିକତା ସଂଶୋଧନ ଆଇନ କାର୍ଯ୍ୟକାରୀ ହେବା ପରେ ସେହି ସବୁ ବାସିନ୍ଦାଙ୍କୁ ଏବେ ନାଗରିକତ୍ୱ ପ୍ରାପ୍ତ ହେବ। ବିଜୁ ଜନତା ଦଳ ସଂସଦରେ ଏହି ବିଲ୍‌କୁ ସମର୍ଥନ କରିଥିଲା।

ସରକାରୀ ସୂତ୍ର ଅନୁଯାୟୀ, ବଙ୍ଗଳା ଦେଶରୁ ଆସିଥିବା ଅନୁପ୍ରବେଶକାରୀମାନେ ଦୁଇଟି ପର୍ଯ୍ୟାୟରେ ଓଡ଼ିଶାକୁ ଆସିଥିଲେ। ଏମାନେ ମୁଖ୍ୟତଃ ୫ଟି ଜିଲ୍ଲାରେ ବସବାସ କରନ୍ତି। ଏହି ଜିଲ୍ଲାଗୁଡ଼ିକ ହେଲା କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ମାଲକାନଗିରି ଓ ବାଲେଶ୍ୱର।

ଯଦି ଇତିହାସକୁ ଦେଖାଯାଏ, ବଙ୍ଗଳା ଦେଶରୁ ଶରଣାର୍ଥୀମାନଙ୍କ ଆସିବା ଆରମ୍ଭ ହୁଏ ୧୯୪୭ ମସିହାରୁ ଭାରତ ପାକିସ୍ତାନ ଅଲଗା ହେବା ସହିତ। ପରବର୍ତ୍ତୀ ସମୟରେ ୧୯୭୧ ବଙ୍ଗଳା ଦେଶ ଯୁଦ୍ଧ ସମୟରେ ବହୁ ବଙ୍ଗଳାଦେଶୀ ଓଡ଼ିଶାର ଉପକୂଳରେ ରହିବା ଆରମ୍ଭ କରିଥିଲେ। ଏହି ସଂଖ୍ୟା ତା’ ପରଠାରୁ କ୍ରମାଗତ ଭାବେ ବଢ଼ି ଚାଲିଛି। ଉପକୂଳ ଜିଲ୍ଲାମାନଙ୍କରେ ରହି ଛୋଟ ଛୋଟ ବ୍ୟବସାୟ କରିବା ବ୍ୟତୀତ ବଙ୍ଗଳାଦେଶୀମାନେ ଭିତରକନିକା ଅଭୟାରଣ୍ୟ ଅଞ୍ଚଳକୁ ନିଜ କବ୍‌ଜାରେ ରଖିଥିବା ଅଭିଯୋଗ ହୋଇଛି। ଅପରାଧ ମୂଳକ କାର୍ଯ୍ୟ କରିବା ଅଭିଯୋଗ ମଧ୍ୟ ମଝିରେ ମଝିରେ ଏହି ଅନୁପ୍ରବେଶକାରୀଙ୍କ ବିରୋଧରେ ଆସିଛି।

Comment