ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନାଗରିକତା ସଂଶୋଧନ ଆଇନ୍‌କୁ ନେଇ ରାଜ୍ୟ ରାଜନୀତିରେ ତାତି ଭରିଛି। ଭୁବନେଶ୍ଵରରେ ମୁସଲିମ୍‌ ସଂପ୍ରଦାୟ ନାଗରିକତା ଆଇନ୍‌କୁ ବିରୋଧ କରି ପ୍ରତିବାଦ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତବ୍ୟ ଦେଇଛନ୍ତି।

ଏନ୍‌ଆର୍‌ସିକୁ ଆମେ ସମର୍ଥନ କରୁନୁ ବୋଲି ନବୀନ ଆଜି ଗଣମାଧ୍ୟମକୁ କହିଛନ୍ତି।

‘‘ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ବିଜେଡି ସାଂସଦଙ୍କ ଆଭିମୁଖ୍ୟ ସ୍ପଷ୍ଟ ରହିଛି। ଏନ୍‌ଆର୍‌ସିକୁ ସମର୍ଥନ କରିବୁ ନାହିଁ ବୋଲି ଆମ ସାଂସଦମାନେ ସ୍ପଷ୍ଟ କରିଛନ୍ତି। ସିଏଏ ଭାରତୀୟଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ଏହା କେବଳ ବିଦେଶୀଙ୍କ ଉପରେ ପ୍ରଭାବ ପକାଇବ। ଏଣୁ ଆମ ନାଗରିକମାନେ ଶାନ୍ତି ବଜାୟ ରଖନ୍ତୁ’’, ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ନବୀନଙ୍କ ଏହି ମନ୍ତବ୍ୟ ପରେ ରାଜ୍ୟ ରାଜନୀତିରେ ଝଡ଼ ବହିଛି। ନବୀନଙ୍କ ଏହି ମନ୍ତବ୍ୟକୁ ଉଭୟ ବିଜେପି ଏବଂ କଂଗ୍ରେସ ବିରୋଧ କରିଛନ୍ତି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ‘‘୨୦ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ ବୁଦୁ ବନାଇ ଶାସନ କରୁଛନ୍ତି। ଆଉ କେତେଦିନ ବୋକା ବନାଇବେ? ସିଏଏ ଏବଂ ଏନ୍‌ଆର୍‌ସିକୁ ନେଇ ନବୀନ ଦୋମୁହାଁ ନୀତି ଗ୍ରହଣ କରୁଛନ୍ତି।’’

ଏପଟେ ବିଜେପି ମଧ୍ୟ ନବୀନଙ୍କୁ କଡ଼ା ସମାଲୋଚନା କରିଛି। ସାମ୍ବାଦିକ ସମ୍ମିଳନୀ କରି ବରିଷ୍ଠ ନେତା ଖାରବେଳ ସ୍ୱାଇଁ ନବୀନଙ୍କୁ ପ୍ରଶ୍ନ ବାଣରେ ଛନ୍ଦିଛନ୍ତି।

ରାଷ୍ଟ୍ରୀୟ ସୁରକ୍ଷା ଓ ଅର୍ଥନୀତି ଦୃଷ୍ଟିରୁ ଜାତୀୟ ନାଗରିକ ପଞ୍ଜିକା(ଏନଆରସି)ର ଆବଶ୍ୟକତା ରହିଛି। ପ୍ରତ୍ୟେକ ସମୃଦ୍ଧ ରାଷ୍ଟ୍ରର ନାଗରିକଙ୍କର ଏଭଳି ନାଗରିକ ପଞ୍ଜିକା ରହିଛି। ଏହି ନାଗରିକ ପଞ୍ଜିକା ଦ୍ୱାରା ଭାରତର ନାଗରିକମାନଙ୍କର କୌଣସି କ୍ଷତି ହେବାର ନାହିଁ। ସବୁ ରାଷ୍ଟ୍ରର ନାଗରିକ ପଞ୍ଜିକା ଥିବାବେଳେ ଭାରତରେ ଏଭଳି ନାଗରିକ ପଞ୍ଜିକା ହେବାରେ ଅସୁବିଧା କେଉଁଠି? ମୁଖ୍ୟମନ୍ତ୍ରୀ କାହିଁକି ଏଭଳି ପଞ୍ଜିକାକୁ ବିରୋଧ କରୁଛନ୍ତି? ମମତା ବାନାର୍ଜୀ ଓ କଂଗ୍ରେସ ଏବେ ଭୋଟ୍ ରାଜନୀତି ପାଇଁ ଏହାକୁ ବିରୋଧ କରୁଥିବାବେଳେ ଏଥିରେ ମୁସଲିମ ସମୁଦାୟଙ୍କର କିଛି କ୍ଷତି ହେବାର ନାହିଁ। ଏନଆରସି କଦାପି ମୁସଲିମ ବିରୋଧୀ ନୁହେଁ। ଓଡ଼ିଶାରେ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବହୁତ ଅଛି। ରାଷ୍ଟ୍ରୀୟ ସୁରକ୍ଷା ଦୃଷ୍ଟିରୁ ସେମାନେ ଚିହ୍ନଟ ହୁଅନ୍ତୁ ବୋଲି କ’ଣ ମୁଖ୍ୟମନ୍ତ୍ରୀ ଚାହାନ୍ତି ନାହିଁ?

ସଂସଦରେ ନାଗରିକତା ସଂଶୋଧନ ବିଲ୍‌ ପାସ୍‌ ହେବା ପରେ ଏହାକୁ ନେଇ ସାରା ଦେଶରେ ନିଆ ଜଳୁଛି। ବିଶେଷକରି ଉତ୍ତର ପୂର୍ବ ରାଜ୍ୟରେ ଜଳୁଥିବା ନିଆଁ ବିଭିନ୍ନ ରାଜ୍ୟକୁ ବ୍ୟାପିଛି। ଏହି ବିଲ୍‌କୁ ବିଜେଡି ସଂସଦରେ ସମର୍ଥନ କରିଥିଲା।

କିଛି ମୁସଲିମ ସଂପ୍ରଦାୟର ପ୍ରତିନିଧି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ମୁସଲିମ୍‌ ସଂପ୍ରଦାୟର କିଛି ଅସୁବିଧା ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଆଶ୍ୱାସନା ଦେଇଥିଲେ। ହେଲେ ଦୁଇ ଦିନ ପରେ ରାଜଧାନୀ ଭୁବନେଶ୍ୱରରେ ତାତି ଦେଖିବାକୁ ମିଳିଥିଲା।  ଶହ ଶହ ମୁସଲିମ୍‌ ରାଜଧାନୀ ରାଜରାସ୍ତାରେ ସିଏଏକୁ ବିରୋଧ କରିଥିଲେ।

Comment