ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ନାଗରିକତା ସଂଶୋଧନ ଆଇନ୍‌କୁ ବିରୋଧ କରି ସାରା ଦେଶରେ ବୋବାଲ୍‌ ଚାଲିଥିବା ବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମୋଦୀ ସରକାରଙ୍କୁ ଛନ୍ଦିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଏଏ ଆଇନ୍‌ ସମ୍ପର୍କରେ ଆଲୋଚନା କରିବାକୁ ତୁରନ୍ତ ଏନ୍‌ଡିଏ ବୈଠକ ଡାକିବାକୁ ନୀତିଶ ଦାବି କରିଛନ୍ତି।

ଏନ୍‌ଡିଏର ସହଯୋଗୀ ହେଉଛି ଜେଡିୟୁ। ବିହାରରେ ବିଜେପି ସହଯୋଗରେ ଜେଡିୟୁ ସରକାର ଗଢ଼ିଥିବା ବେଳେ କେନ୍ଦ୍ରରେ ମଧ୍ୟ ଜେଡିୟୁ ବିଜେପିକୁ ସମର୍ଥନ କରୁଛି। ସଂସଦରେ ନାଗରିକତା ବିଲ୍‌ ପାସ୍‌ ହେବା ବେଳେ ଜେଡିୟୁ ଏହାକୁ ସମର୍ଥନ କରିଥିଲା।

ଜେଡିୟୁ ଉପସଭାପତି ପ୍ରଶାନ୍ତ କିଶୋର କିନ୍ତୁ ବିହାରରେ ନାଗରିକତା ଆଇନ୍‌ ବିରୋଧରେ ରାଲି କରିବା ପରେ ନୀତିଶ ସରକାର ଅଡୁଆରେ ପଡ଼ିଥିଲେ। ଏନେଇ ପ୍ରଶାନ୍ତ କିଶୋର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭେଟି ସିଏଏ ଏବଂ ଏନ୍‌ଆର୍‌ସି ଉପରେ ଆଲୋଚନା କରିଥିଲେ। ଶେଷରେ ନୀତିଶ କୁମାର ବିହାରରେ ଏନ୍‌ଆର୍‌ସି ଲାଗୁ ହେବନି ବୋଲି କହିଥିଲେ। ଏବେ ପୁଣି ନୀତିଶ କୁମାର ଏନଡିଏ ବୈଠକ ଡାକିବାକୁ ଦାବି କରିଛନ୍ତି।

ସବୁଠୁ ବଡ଼ କଥା ହେଉଛି ସିଏଏକୁ ବିରୋଧ କରି ବିହାରରେ କଂଗ୍ରେସ ସମେତ ଆର୍‌ଜେଡି ଏବଂ ଅନ୍ୟ ବିରୋଧୀ ଦଳ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଜନମତ ବିରୋଧୀଙ୍କ ସପକ୍ଷରେ ରହିଥିବାରୁ ନୀତିଶ କୁମାର ଅଡୁଆରେ ପଡ଼ିଛନ୍ତି। ଏଣୁ ସେ ଏନ୍‌ଡିଏ ବୈଠକ ଡାକିବାକୁ ଦାବି କରିବା ସହ ଏନ୍‌ଆର୍‌ସି ବିହାରରେ ଲାଗୁ ହେବନି ବୋଲି କହିଛନ୍ତି।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/JbiFeChOJ141BO7qioQFpj

Comment