ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଗୁରୁବାର ବିଜେଡି ପାଳିବ ୨୩ତମ ପ୍ରତିଷ୍ଠା ଦିବସ।

ବିଜୁ ଜନତା ଦଳ (ବିଜେଡି)କୁ ଗୁରୁବାର ଛୁଇଁବ ୨୩ ବର୍ଷ। ଏଥିପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି। ୨୩ତମ ପ୍ରତିଷ୍ଠା ଦିବସ ପାଳନ ପାଇଁ ଭୁବନେଶ୍ୱରର ଚାରିଆଡ଼େ ବଡ଼ ବଡ଼ ହୋର୍ଡିଂ ଛାଇ ଯାଇଥିବା ବେଳେ ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ମଧ୍ୟ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି।

ଏଥର ବିଜେଡି ରାଜ୍ୟ ବିଜେଡି କାର୍ଯ୍ୟାଳୟ ସମେତ ପ୍ରତି ନିର୍ବାଚନ ମଣ୍ଡଳୀରେ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଅଣ୍ଟା ଭିଡ଼ିଛି। ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ପ୍ରତିଷ୍ଠା ଦିବସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଗ ଦେବେ। ତେବେ ନବୀନ ପାର୍ଟି ଅଫିସ୍‌ରୁ ଦଳୀୟ ନେତା ଓ କର୍ମୀଙ୍କୁ କି ବାର୍ତ୍ତା ଦେବେ ତା’ ଉପରେ ନଜର ରହିଛି।

ଏହାସହ କେନ୍ଦ୍ରର ବିଜେପି ସରକାର ଏବଂ ବିଜେଡି ମଧ୍ୟରେ ଏବେ ସମ୍ପର୍କ ଭଲ ରହିଥିବା କୁହାଯାଉଛି। ଏଣୁ ପ୍ରତିଷ୍ଠା ଦିବସରେ ନବୀନ ବିଜେପି ପ୍ରତି କି ଆଭିମୁଖ୍ୟ ପ୍ରଦର୍ଶନ କରୁଛନ୍ତି ତା’ ଉପରେ ବି ନଜର ରହିଛି।

ପଞ୍ଚମ ପାଳି ସରକାର ଗଠନ ହେବା ପରେ ବିଜେଡି ପ୍ରଥମ ଥର ପାଇଁ ପ୍ରତିଷ୍ଠା ଦିବସ ପାଳନ କରୁଛି। ଏଣୁ ଏହି ପ୍ରତିଷ୍ଠା ଦିବସ ରାଜନୀତିକ ଦୃଷ୍ଟିକୋଣରୁ ଅନେକ ଗୁରୁତ୍ୱ ବହନ କରୁଛି। ପଞ୍ଚମ ପାଳି ସରକାର ଗଠନ ପରେ ନବୀନ ୫-ଟି ଏବଂ ମୋ’ ସରକାର ଶୁଭାରମ୍ଭ କରିଛନ୍ତି।

ଏହି ଯୋଜନାକୁ କିପରି ଅଧିକ ଲୋକାଭିମୁଖି କରାଯିବ ସେଥିପ୍ରତି ଧ୍ୟାନ ଦେବାକୁ ନବୀନ ଦଳର ନେତା ଓ କର୍ମକର୍ତ୍ତାଙ୍କୁ ଆହ୍ୱାନ ଦେଇ ପାରନ୍ତି। ଏହାଛଡ଼ା ଦଳର ବିଧାୟକ ଏବଂ ସାଂସଦମାନଙ୍କର ଭାବମୂର୍ତ୍ତି କିପରି ସ୍ୱଚ୍ଛ ରହିବ ସେନେଇ ନବୀନ ମଧ୍ୟ ପରାମର୍ଶ ଦେଇ ପାରନ୍ତି।

ଗତ ନିର୍ବାଚନ ବେଳେ ନବୀନ ଗୋଟିଏ ସ୍ଲୋଗାନ ଦେଇଥିଲେ ‘ସାଢ଼େ ୪ କୋଟି ଓଡ଼ିଶାବାସୀ ହେଉଛନ୍ତି ମୋ’ ପରିବାର’। ଏଣୁ ଲୋକଙ୍କ ସବୁବେଳେ ଯୋଡ଼ି ହୋଇ ରହିବାକୁ ନବୀନ ପ୍ରତିଷ୍ଠା ଦିବସରୁ ପରାମର୍ଶ ଦେଇ ପାରନ୍ତି ବୋଲି କୁହାଯାଉଛି।

ଗତ ବର୍ଷ ନବୀନ ପ୍ରତିଷ୍ଠା ଦିବସରେ କେନ୍ଦ୍ରର ବିଜେପି ସରକାରକୁ ତୀର ମାରିଥିଲେ। ହେଲେ ନିର୍ବାଚନ ପରେ ବିଜେପି-ବିଜେଡିର ସମ୍ପର୍କ ବଦଳିଛି। ଓଡ଼ିଶା ବିଧାନସଭାରେ ସଂଖ୍ୟା ନଥାଇ ବିଜେଡି ସମର୍ଥନରେ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭା ଯାଇଥିବା ବେଳେ ବିଜେଡି ମଧ୍ୟ ସଂସଦରେ କେନ୍ଦ୍ରର ସବୁ ବିଲ୍‌କୁ ସମର୍ଥନ ଦେଇ ଆସୁଛି। ଏଣୁ ନବୀନ ଏଥର ବିଜେପି ପ୍ରତି କିଭଳି ଆଭିମୁଖ୍ୟ ପ୍ରଦର୍ଶନ କରିବେ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି।

ନିର୍ବାଚନ ଇସ୍ତାହାରରେ ବିଜେଡି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରସଙ୍ଗ ଉଲ୍ଲେଖ କରିଥିଲା। ହେଲେ ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ମିଳିବନି ବୋଲି ପୂର୍ବରୁ କେନ୍ଦ୍ର ମନ୍ତ୍ରୀମାନେ କହି ଆସୁଛନ୍ତି। ତେବେ ନବୀନ ଏହି ସ୍ୱତନ୍ତ୍ର ପାହ୍ୟା ସମ୍ପର୍କରେ କ’ଣ କହିବେ ତାହା ବି ଚର୍ଚ୍ଚାର ବିଷୟ ପାଲଟିଛି।

ଛତିଶଗଡ଼ ସହିତ ଓଡ଼ିଶା ସରକାରଙ୍କ ଚାଲିଥିବା ମହାନଦୀ ବିବାଦର ବି ଅନ୍ତ ଘଟିନି। ମହାନଦୀ ସମସ୍ୟାକୁ ପ୍ରସଙ୍ଗ କରି ବିଜେଡି ନିର୍ବାଚନ ପୂର୍ବରୁ ୧୫ଟି ଜିଲ୍ଲାରେ ଶୋଭାଯାତ୍ରା କରିଥିଲା। ହେଲେ ଏହି ବିବାଦ ସମାଧାନ ହୋଇ ପାରୁନି। ମହାନଦୀ ପ୍ରସଙ୍ଗରେ ନବୀନ ଓଡ଼ିଶାବାସୀଙ୍କୁ ପ୍ରତିଷ୍ଠା ଦିବସରେ କି ବାର୍ତ୍ତା ଦେବେ ତା’ ଉପରେ ନଜର ରହିଛି।

ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ୧୯୯୭ ଡିସେମ୍ବର ୨୬ରେ ଗଠନ ହୋଇଥିଲା ବିଜେଡି। ନିର୍ବାଚନ ପରେ ନିର୍ବାଚନ ଲଢ଼ି ବିଜେଡି ସଫଳତାର ସିଡି ଚଢ଼ି ଚାଲିଛି। ନବୀନଙ୍କ ସଫଳ ରଣନୀତି ବିରୋଧୀଙ୍କ ରଣନୀତିକୁ ଫିକା କରି ଦେଇଛି। ନବୀନ ନିଜକୁ ଅପ୍ରତିଦ୍ୱନ୍ଦ୍ୱୀ ନେତା ଭାବେ ପ୍ରତିଷ୍ଠିତ କରିପାରିଛନ୍ତି।

Comment