ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବିଜୁ-ବାଜପେୟୀଙ୍କ ଫଟୋ ସେୟାର କରି ପୁରୁଣା ସ୍ମୃତିକୁ ମନେପକାଇଲେ ଧର୍ମେନ୍ଦ୍ର।

ନିର୍ବାଚନ ପରେ ବିଜେଡି ଓ ବିଜେପିର ସମ୍ପର୍କ କେଉଁ ମୋଡ ନେଇଛି ତାହା କାହାକୁ ଅଛପା ନାହିଁ। ବିଜେଡି-ବିଜେପିର ସମ୍ପର୍କକୁ ନେଇ ରାଜନୀତି ପାଣିପାଗ ଉଷ୍ମ ରହିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏକ ଫଟୋ ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି। ବାଜପେୟୀଙ୍କ ଜନ୍ମ ଦିନରେ ବିଜୁ ବାବୁଙ୍କୁ ମନେପକାଇ ଧର୍ମେନ୍ଦ୍ର କେଉଁ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ରାଜନୀତି କରିଡରରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଆଜି ଥିଲା ୯୫ତମ ଜନ୍ମ ଜୟନ୍ତୀ। ସାରା ଦେଶ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ହେଲେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ ଧର୍ମେନ୍ଦ୍ର ସୋସିଆଲ ମିଡିଆରେ ଯେଉଁ ଫଟୋ ସେୟାର କରିଛନ୍ତି ତାକୁ ନେଇ ରାଜନୀତି ପାଣିପାଗ ପୁଣି ଥରେ ସରଗରମ ହୋଇଛି।

ବାଜପେୟୀଙ୍କ ଓଡ଼ିଶା ଗସ୍ତ ସମୟର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଧର୍ମେନ୍ଦ୍ର। ଏହି ଫଟୋ ସେୟାର କରି ଧର୍ମେନ୍ଦ୍ର ଓଡ଼ିଶା ସହ ବାଜପେୟୀଙ୍କ ସମ୍ପର୍କ କ’ଣ ଥିଲା ତାହା ଓଡ଼ିଶାବାସୀଙ୍କୁ ଜଣାଇବାକୁ ଚାହୁଁଥିଲେ। କିନ୍ତୁ ଏବେ ଏହି ଫଟୋକୁ ନେଇ ଅଲଗା ଚର୍ଚ୍ଚା ଚାଲିଛି। ମୁଖ୍ୟ କଥା ହେଲା ଧର୍ମେନ୍ଦ୍ର ଯେଉଁ ଫଟୋ ସେୟାର କରିଛନ୍ତି ସେଥିରେ ବାଜପେୟୀଙ୍କ ସହ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଅଛନ୍ତି। ବିଜୁ-ବାଜପେୟୀ ଏକାଠି ଥିବା ଫଟୋକୁ ଧର୍ମେନ୍ଦ୍ର ସୋସିଆଲ ମିଡିଆରେ ସେୟାର କରିବାକୁ ନେଇ ରାଜନୀତି କରିଡର ଉଠୁଛି ପଡୁଛି।

ଏହି ଫଟୋଟି ହେଉଛି ୧୯୯୧-୯୨ ମସିହାର। ବାଜପେୟୀ ଓଡ଼ିଶା ଗସ୍ତରେ ଆସିଥିଲେ। ବିଜେପି ପାର୍ଟି ଅଫିସ୍‌ରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଓଡ଼ିଶା ବିଧାନସଭା ପରିଦର୍ଶନରେ ଯାଇଥିଲେ। ବାଜପେୟୀ ବାଚସ୍ପତିଙ୍କ ଗ୍ୟାଲେରୀରେ ରହିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ଥିଲେ ବିଜୁ ପଟ୍ଟନାୟକ। ବାଜପେୟୀ ବିଧାନସଭା ପରିଦର୍ଶନରେ ଆସିଥିବା ଖବର ପାଇଲେ ବିଜୁ ବାବୁ। ସେ ସଙ୍ଗେ ସଙ୍ଗେ ତାଙ୍କର ବ୍ୟକ୍ତିଗତ ସଚିବ ପ୍ୟାରୀମୋହନ ମହାପାତ୍ରଙ୍କୁ ପଠାଇ ବାଜପେୟୀଙ୍କୁ ତାଙ୍କ ଅଫିସ୍‌କୁ ଆମନ୍ତ୍ରଣ କରିଥିଲେ। ବାଜପେୟୀ ନିମନ୍ତ୍ରଣ ପାଇ ବିଜୁ ବାବୁଙ୍କ ପାଖକୁ ଯାଇଥିଲେ। ଉଭୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।

ସେ ସମୟର ଫଟୋକୁ ଧର୍ମେନ୍ଦ୍ର ବାଜପେୟୀଙ୍କ ଜନ୍ମ ଜୟନ୍ତୀରେ ସେୟାର କରି ରାଜନୀତି ମାହୋଲକୁ ଗରମ କରିଥିବା କୁହାଯାଉଛି। ଏହି ଫଟୋ ସେୟାର କରି ଧର୍ମେନ୍ଦ୍ର ବିଜେପି-ବିଜେଡି ଭିତରେ ଥିବା ପୁରୁଣା ସମ୍ପର୍କକୁ ଆଉ ଥରେ ଯୋଡ଼ିବାକୁ ଚାହୁଁଛନ୍ତି କି ବୋଲି ଆଲୋଚନା ହେଉଛିା

ବାଜପେୟୀଙ୍କ ସମୟରେ ହିଁ ଓଡ଼ିଶାରେ ବିଜୁ ଜନତା ଦଳ ଗଠନ ହୋଇଥିଲା। ନବୀନ ପଟ୍ଟନାୟକ ହୋଇଥିଲେ ସଭାପତି। ବିଜେଡି ସେତେବେଳେ ବିଜେପି ସହ ମେଣ୍ଟ କରିଥିଲା। ଆସ୍କା ଲୋକସଭା ଆସନରୁ ନବୀନ ନିର୍ବାଚନ ଜିତି ବାଜପେୟୀଙ୍କ ସରକାରରେ କେନ୍ଦ୍ର ମନ୍ତ୍ରୀ ହୋଇଥିଲେ।

୨୦୦୦ ମସିହାରେ ବିଜେପି ସହ ମେଣ୍ଟ କରି ବିଜେଡି ବିଧାନସଭା ନିର୍ବାଚନ ଲଢ଼ିଥିଲା। ବିଜେପି-ବିଜେଡି ମେଣ୍ଟ କ୍ଷମତାକୁ ଆସିଥିଲା ଏବଂ ନବୀନ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୦୯ ଯାଏଁ ମେଣ୍ଟ ସରକାର ରହିଥିଲା ଓଡ଼ିଶାର। କିନ୍ତୁ ୨୦୦୯ ପରେ ମେଣ୍ଟ ଭାଙ୍ଗି ଯାଇଥିଲା। ମେଣ୍ଟ ହେବା ବେଳେ ବାଜପେୟୀ କ୍ଷମତାରେ ଥିଲେ। ହେଲେ ମେଣ୍ଟ ଭାଙ୍ଗିବାକୁ ବେଳକୁ ବାଜପେୟୀ କ୍ଷମତାରେ ନଥିଲେ।

ପରବର୍ତ୍ତୀ ସମୟରେ ପୁଣି ଥରେ ମେଣ୍ଟ କରିବାକୁ ବିଜେଡି ସହ ବିଜେପିର ଶୀର୍ଷ ନେତୃବୃନ୍ଦ ଆଲୋଚନା କରିଛନ୍ତି। ହେଲେ ଏହି ଆଲୋଚନା ସଫଳ ହୋଇନି। ବିଜେପି ଏବଂ ବିଜେଡି ଅଲଗା ଅଲଗା ନିର୍ବାଚନ ଲଢ଼ିଛନ୍ତି। ୯ ବର୍ଷ ଧରି ବିଜେପି ଓ ବିଜେଡି ଭିତରେ ଯେଉଁ ମିଠା ସମ୍ପର୍କ ଥିଲା ତାହା କେମିତି ତିକ୍ତ ହୋଇଥିଲା ତାର ଉଦାହରଣ ଗତ ୨୦୧୯ ନିର୍ବାଚନ ପ୍ରଚାର ବେଳେ ଦେଖିବାକୁ ମିଳିଥିଲା।

ହେଲେ ନିର୍ବାଚନ ପରେ ଗଣିତ ବଦଳି ଯାଇଛି। ବିଜେପି-ବିଜେଡି ଭିତରେ ସମ୍ପର୍କ ପୁଣି ମଜଭୁତ ହେଉଥିବା ଚର୍ଚ୍ଚା ହେଉଛି। ଏଣୁ ଏହି ସମ୍ପର୍କକୁ ଆଗକୁ ନେବା ପାଇଁ ଧର୍ମେନ୍ଦ୍ର ବାଜପେୟୀଙ୍କ ଜୟନ୍ତୀରେ ଏଭଳି ଫଟୋ ସେୟାର କରିଛନ୍ତି କି ବୋଲି ଚର୍ଚ୍ଚା ଜୋର୍‌ ଧରିଛି।

Comment